ଜ୍ୟୋତ୍ସ୍ନାର ଜୁଆର ଭୁଲାଇ ଦିଏ ଚନ୍ଦ୍ରର କଳଙ୍କ

Advertisment
ଜ୍ୟୋତ୍ସ୍ନାର ଜୁଆର  ଭୁଲାଇ ଦିଏ ଚନ୍ଦ୍ରର କଳଙ୍କ

ଭାଦ୍ରବ କୃଷ୍ଣ ଅଷ୍ଟମୀ- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣ ରସଶେଖର; ରସେଶ୍ୱର। ତାଙ୍କୁ ନେଇ ରଚିତ ଏକ ରସପୂର୍ଣ୍ଣ କାବ୍ୟ ଦୀନ କୃଷ୍ଣଦାସଙ୍କ ‘ରସକଲ୍ଲୋଳ’। ସେହି କାବ୍ୟ ସଂପର୍କିତ ଏକ କିଂବଦନ୍ତି ଆଧାରରେ ବିଖ୍ୟାତ କବି ରାଧାମୋହନ ଗଡ଼ନାୟକ ରଚନା କରିଛନ୍ତି ‘ଦୀନକୃଷ୍ଣ ଦାସ’ କବିତା। ତାହା ତାଙ୍କର ‘ଉତ୍କଳିକା’ରେ ସଂକଳିତ।
ସେହି କବିତା ଅନୁସାରେ, ଦୀନ କୃଷ୍ଣଦାସ ‘ରସକଲ୍ଲୋଳ’ କାବ୍ୟ ରଚନା କରିବା ପରେ, ଅତ୍ୟନ୍ତ ଆନନ୍ଦ ମନରେ ଦିନେ ଯାଇ ପହଞ୍ଚିଥିଲେ କବୀନ୍ଦ୍ର ଉପେନ୍ଦ୍ର (ଭଞ୍ଜ)ଙ୍କ ନିକଟରେ। ତାହାଙ୍କୁ ସେହି କାବ୍ୟଟିକୁ ଉପହାର ଦେଇଥିଲେ। ଉପେନ୍ଦ୍ର ଭଞ୍ଜ ତାହା ପାଠ କରିବା ପରେ କହିଥିଲେ- ହେ ପ୍ରିୟ କବି! ତୁମର ଏହି ପ୍ରିୟ ଅବଦାନ ପାଇଁ ମୁଁ ଅତ୍ୟନ୍ତ ପ୍ରୀତ। ଏହାର କି ପ୍ରତିଦାନ ବା ଦେବି! ତୁମ୍ଭର ଏହି କବିତା ତନୁ-ମନ ମୋହକାରୀ। ଏ କାନ୍ତ ପଦାବଳି ମଧୁର, ବିଧୁର ଓ ମୃଦୁ। କିନ୍ତୁ ଏଥିରେ ଏକ କ୍ଷୀଣ ବ୍ୟତିକ୍ରମ ରହିଯାଇଛି।

ସେହି ବ୍ୟତିକ୍ରମଟି କଣ ତାହା ସୂଚାଇ ଉପେନ୍ଦ୍ର କହିଲେ- ହେ ପ୍ରିୟକବି! ତୁମ୍ଭେ ‘କ’ ବର୍ଣ୍ଣକୁ ଆଦ୍ୟରେ ରଖି ଏହି କାବ୍ୟଟିକୁ ରଚନା କରିଛ। କିନ୍ତୁ ଏହାର ନାମକରଣରେ ତାହାର ବ୍ୟତିକ୍ରମ ଘଟିଛି। କାରଣ, ଏହାର ନାମ ରହିଛି ‘ରସକଲ୍ଲୋଳ’। ସେହି ‘କ’ ନିୟମରେ କାବ୍ୟର ନାମକରଣ ହୋଇଥିଲେ ଅତି ସୁନ୍ଦର ହୋଇଥାନ୍ତା।
ତାହା ଶୁଣି ଦୀନ କୃଷ୍ଣଦାସଙ୍କ ମୁଖ ଉଜ୍ଜ୍ୱଳ ହୋଇ ଉଠିଲା। ସେ କହିଲେ- କବିବର! ମୁଁ ବି ଠିକ୍ ଏହା ହିଁ ଭାବିଥିଲି। ଏହାର ନାମ ଦେଇଥିଲି- ‘କେଳିକଲ୍ଲୋଳ’। ମାତ୍ର ସେଥିରେ ମୋର ମନ ତୃପ୍ତ ହେଲା ନାହିଁ। ତେଣୁ ନାମ ବଦଳାଇ ରଖିଲି ‘ରସକଲ୍ଲୋଳ’। କାରଣ, ଏ କାବ୍ୟରେ କେଳି ନାହିଁ; ଅଛି ଖାଲି ରସ ଆଉ ରସ।
ତାଙ୍କ କଥା ଶୁଣି ଉପେନ୍ଦ୍ର କହିଲେ- ସତ୍ୟ କବି! ଏହା ସତ୍ୟ। ଏ କାବ୍ୟରେ ରସର କଲ୍ଲୋଳ ହିଁ ଖେଳୁଛି। ହୃଦୟ ସେଥିରେ ବିଭୋର ହେଉଛି। ଏଣୁ ନାମକରଣର ଏ ବ୍ୟତିକ୍ରମ କ୍ଷୀଣତମ। ଯେତେବେଳେ ପୂର୍ଣ୍ଣଚନ୍ଦ୍ର ଜ୍ୟୋତ୍ସ୍ନାର ଜୁଆର ରଚିଦିଏ, ସେତେବେଳେ କଣ କିଏ ତାହାର କଳଙ୍କକୁ ମନେରଖିଥାଏ! ଏଣୁ ହେ ରସମୟ! ମୋର ଏ କଥାକୁ ମନରେ ଧର ନାହିଁ। ତାହା ଶୁଣି ବିନୟରେ କବି ଦୀନ କୃଷ୍ଣ ଦାସ କହିଲେ- ରସମୟ କୃଷ୍ଣ ଏ କାବ୍ୟର ନାୟକ। ମୁଁ କେବଳ ତାହାର ଗାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe