ବ୍ୟାଙ୍କିଙ୍ଗ୍‌ ସୂତ୍ର: ପୋଷ୍ଟଡେଟେଡ୍ ଚେକ୍

Advertisment
ବ୍ୟାଙ୍କିଙ୍ଗ୍‌ ସୂତ୍ର: ପୋଷ୍ଟଡେଟେଡ୍ ଚେକ୍

ଟଙ୍କା ଦେଣନେଣ ପାଇଁ ପୋଷ୍ଟ ଡେଟେଡ୍ ଚେକ୍ ବା ଆଗିଲା ତାରିଖ ଚେକ୍‌ର ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା, କ’ଣ ଏହାର ବିଶେଷତ୍ବ ଏବଂ ଏହାର ବ୍ୟବହାର ସମୟରେ କି କି ସତର୍କତା ଅବଲମ୍ବନ କରିବା ଜରୁରି। ନିଜ ବ୍ୟାଙ୍କ ଖାତାରୁ କାହାକୁ ଟଙ୍କା ଦେବାପାଇଁ ଆମେ ଚେକ୍ ବ୍ୟବହାର କରିଥାଉ। ଏହା ମାଧ୍ୟମରେ ଖାତାଧାରକ ବ୍ୟାଙ୍କକୁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଥାଆନ୍ତି। ଯାହାଙ୍କୁ ଟଙ୍କା ଦେବାକୁ ହେବ ତାଙ୍କର ନାମ, ଚେକ୍‌ର ତାରିଖ, ଦିଆଯାଉଥିବା ଟଙ୍କାର ପରିମାଣ ସଂଖ୍ୟାରେ ତଥା ଅକ୍ଷରରେ ନିର୍ଭୁଲ୍‌ ଭାବେ ଲେଖିବା ସହ ଖାତାଧାରକ ଚେକ୍‌ର ନିମ୍ନ ଭାଗରେ ଦସ୍ତଖତ କରିଥାନ୍ତି। ଚେକ୍‌ର ତାରିଖଟି ଗୁରୁତ୍ବପୂର୍ଣ୍ଣ ଏଇଥିପାଇଁ ଯେ ଏହି ତାରିଖରୁ ତିନିମାସ ମଧ୍ୟରେ ଚେକ୍‌ଟି ବ୍ୟବହୃତ ନହେଲେ ତାହା ଅଚଳ ହୋଇଯାଏ। ଅର୍ଥାତ୍‌ ସେହି ଚେକ୍ ଦ୍ବାରା ଆଉ ଟଙ୍କା ଉଠାଇ ହୁଏନାହିଁ।

ତେବେ ଚେକ୍ ଦେବା ସମୟରେ ଖାତାଧାରକ ବେଳେବେଳେ ଜାଣିଶୁଣି ଭବିଷ୍ୟତର କୌଣସି ତାରିଖ ଲେଖିଦିଅନ୍ତି। ତାହାକୁ ପୋଷ୍ଟ ଡେଟେଡ୍ ଚେକ୍ ବା ଆଗିଲା ତାରିଖ ଚେକ୍ କୁହାଯାଏ। ଏଭଳି ଚେକ୍‌ର ବିଶେଷତ୍ବ ହେଲା ଯେ ସେହି ଭବିଷ୍ୟତ ତାରିଖ ପୂର୍ବରୁ ଏହାକୁ ବ୍ୟବହାର କରାଯାଇ ପାରିବ ନାହିଁ। ଚେକ୍ ଦେବା ସମୟରେ ବ୍ୟାଙ୍କଖାତାରେ ଆବଶ୍ୟକ ଟଙ୍କା ନଥିଲେ, ବିଶେଷକରି କିଛିଦିନ ପରେ ଟଙ୍କା ଆସିବାର ସମ୍ଭାବନା ଥିଲେ ସେହି ସମ୍ଭାବ୍ୟ ତାରିଖ ଲେଖି ପୋଷ୍ଟ ଡେଟେଡ୍ ଚେକ୍ ଦିଆଯାଏ। ଏହାଦ୍ୱାରା ପ୍ରାପକଙ୍କୁ ଧାର୍ଯ୍ୟ ତାରିଖରେ ଟଙ୍କା ପାଇବାର ଭରସା ମିଳିଥାଏ। ତେବେ ପୋଷ୍ଟ ଡେଟେଡ୍ ଚେକ୍ ଦେଉଥିବା ବ୍ୟକ୍ତି ଚେକ୍‌ରେ ସୂଚିତ ତାରିଖରେ ନିଜ ଖାତାରେ ଆବଶ୍ୟକ ପରିମାଣର ଟଙ୍କା ରହିଥିବା ସୁନିଶ୍ଚିତ କରିବା ଜରୁରି। ଖାତାରେ ଟଙ୍କା ନଥିବା କାରଣରୁ ଯଦି କୌଣସି ଚେକ୍ ଅଗ୍ରାହ୍ୟ ହୁଏ, ତେବେ ତାହା ଏକ ଦଣ୍ଡନୀୟ ଅପରାଧ। ଏଭଳି କ୍ଷେତ୍ରରେ ପ୍ରାପକ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟର ପ୍ରାବଧାନ ଅନୁସାରେ ଖାତାଧାରକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe