ବ୍ୟାଙ୍କଋଣ ଶୁଝିବା ଲାଗି ଦେବାଳିଆ କୋଟିପତି ରାସ୍ତାକଡ଼ରେ ବିକୁଛନ୍ତି ଜଳଖିଆ

Advertisment
ବ୍ୟାଙ୍କଋଣ ଶୁଝିବା ଲାଗି ଦେବାଳିଆ କୋଟିପତି ରାସ୍ତାକଡ଼ରେ ବିକୁଛନ୍ତି ଜଳଖିଆ

ଚୀନ୍‌ର ଜଣେ କୋଟିପତି ବ୍ୟବସାୟୀ ନିଜର ବେପାର ବୁଡ଼ିଯିବା ପରେ ଏବେ ଦାଣ୍ଡର ଭିକାରି ହୋଇପଡ଼ିଛନ୍ତି। ତେବେ ଏବେ ସେ ରାସ୍ତାକଡ଼ରେ ଏକ ଉଠାଦୋକାନ ଦେଇ ତାଙ୍କ ଉପରେ ବାକି ଥିବା ୪.୬ କୋଟି ୟୁଆନ୍‌ (ପ୍ରାୟ ୫୪ କୋଟି ଟଙ୍କା)ର ବ୍ୟାଙ୍କ ଋଣ ଶୁଝିବା ଲାଗି ସଂକଳ୍ପ କରିଛନ୍ତି। ଚୀନ୍‌ର ଝେଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାଙ୍ଗଝାଉ ସହରବାସୀ ଟାଙ୍ଗ ଜିଆନ୍‌ଙ୍କର ଅତୀତରେ ରେସ୍ତୋରାଁ ବ୍ୟବସାୟ ଥିଲା। ଏକଦା ସେ ଝେଜିଆଙ୍ଗ ପ୍ରଦେଶର ସବୁଠୁ ସଫଳ ବ୍ୟବସାୟୀ ଭାବେ ପରିଗଣିତ ହେଉଥିଲେ। ୩୬ ବର୍ଷ ବେଳକୁ ସେ କୋଟି କୋଟି ୟୁଆନ୍‌ର ମାଲିକ ହୋଇପାରିଥିଲେ। ତେବେ ୨୦୦୫ ମସିହାରେ ସେ ନିଜର ବ୍ୟବସାୟ ସାମ୍ରାଜ୍ୟର ସମ୍ପ୍ରସାରଣ ପାଇଁ ଅନ୍ୟ ଏକ କ୍ଷେତ୍ରରରେ ଅର୍ଥନିବେଶ କରିଥିଲେ।

ମାତ୍ର ଭାଗ୍ୟ ତାଙ୍କ ସପକ୍ଷରେ ଯାଇନଥିଲା। ଦିନକୁ ଦିନ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ବାଟବଣା ହୋଇଯିବା ସହ ସେ ବ୍ୟାଙ୍କ ଋଣ କରିବାକୁ ବାଧ୍ୟ ହୋଇଥିଲେ। ଶେଷରେ ନିଜର ବିଭିନ୍ନ ଖର୍ଚ୍ଚ ପାଇଁ ସେ ଘରଦ୍ବାର, ଗାଡ଼ିମୋଟର ଓ ଅଳଙ୍କାର ବିକି ଚାଲିଲେ। ଏବେ ନିଃସ୍ବପ୍ରାୟ ଜିଆନ୍‌ଙ୍କ ଉପରେ ୪୬ ନିୟୁତ ୟୁଆନ୍‌ର ଋଣବୋଝ ରହିଛି। ତେବେ ଏତେ ବଡ଼ ଧକ୍କା ସତ୍ତ୍ବେ ସେ ଧୈର୍ଯ୍ୟହରା ନହୋଇ ରାସ୍ତାକଡ଼ରେ ଏକ ଉଠାଦୋକାନ ଦେଇ ନିଜର ପୁରୁଣା ଜଳଖିଆ ବେପାର ଆରମ୍ଭ କରିଛନ୍ତି। ସେଥିରୁ ଆୟ ଅର୍ଥକୁ ସେ ବ୍ୟାଙ୍କଋଣ ଶୁଝିବାରେ ଲାଗିଛନ୍ତି। ସେ ଜନ୍ମ ବେଳେ କିଛି ସମ୍ପତ୍ତି ନେଇ ଆସିନଥିଲେ ଏବଂ ଯାହା କିଛି ଅର୍ଜିଥିଲେ ସେସବୁ ନିଜ ଅଧ୍ୟବୟାୟ ଯୋଗୁଁ ବୋଲି ଅନ୍ୟମାନଙ୍କୁ କହି ଆଶ୍ବସ୍ତ କରୁଥିବା ଜିଆନ୍‌ଙ୍କ ଏହି ଉଦ୍ୟମକୁ ସହରବାସୀ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe