Delhi Planet
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆସନ୍ତା ୨ ସପ୍ତାହ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସମସ୍ତ ଡାନ୍ସ ବାର୍ରେ ନାଚ ବନ୍ଦ କରିବା ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଘୋଷଣା କରିଛନ୍ତି। ପୂର୍ବରୁ ଅବକାରୀ କମିସନର ଅଞ୍ଜନ କୁମାର ମାଣିକ ଏ ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ। ଏହାକୁ ନିଶ୍ଚିତ କରିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ଲଗାତାର ମିଳିତ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାତି ଠାରୁ ଏହି ଚଢ଼ଉ ଆରମ୍ଭ ହୋଇଛି। ଭୁବନେଶ୍ବରରେ ଏବେ ୮ଟି ବାର୍ରେ ନାଚ ହେଉଛି। କୌଣସି ପରିସ୍ଥିତିରେ ଏଠାରେ ନାଚ ଏବଂ ଅଧିକ ଲୋକ ଏକାଠି ହେବେ ନାହିଁ। ପୁଲିସ ଓ ଅବକାରୀ ବିଭାଗ ଏଗୁଡ଼ିକ ଉପରେ ନଜର ରଖିବା ସହ ନାଚ ହେଉନଥିବା ନିଶ୍ଚିତ କରିବ। ଯଦି କେହି ଅମାନ୍ୟ କରେ ତେବେ ଅବକାରୀ ନିୟମ ସହ ସରକାର ଜାରି କରିଥିବା କରୋନା ଅଧିନିୟମ-୨୦୨୦ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ ଯେ ରାଜ୍ୟର ରାଜଧାନୀ ଛଡ଼ା ଅନ୍ୟ କୌଣସି ଜାଗାରେ ଡାନ୍ସ ବାର୍ ପାଇଁ ଅନୁମତି ନାହିଁ। କେବଳ ଭୁବନେଶ୍ବରରେ ସରକାରଙ୍କ ଅନୁମୋଦନରେ ଲକ୍ଷ୍ମୀସାଗରରେ ୪ଟି ଡାନ୍ସ ବାର୍ ରହିଥିବା ବେଳେ ବୁଦ୍ଧନଗରରେ ଦୁଇଟି, ବାପୁଜୀନଗର ଓ ପାଣ୍ଡରାରେ ଗୋଟିଏ ଲେଖାଏଁ ଡାନ୍ସ ବାର୍ ରହିଛି। ଏଥିରେ ବାହାର ରାଜ୍ୟର ମୋଟ ୩୮ ଜଣ ଝିଅ ନୃତ୍ୟ କରୁଛନ୍ତି। ଏହି ସବୁ ବାର୍ଗୁଡ଼ିକରୁ ପୂର୍ବରୁ କମିସନରେଟ୍ ପୁଲିସ ଏହି ସବୁ ବାର୍ଗୁଡ଼ିକକୁ ଦିଆଯାଇଥିବା ମ୍ୟୁଜିକ୍ ଲାଇସେନ୍ସ ବାତିଲ କରିସାରିଛି।
Follow Us