‘ବିସିଜି’ ଟିକା କୋଭିଡ୍-୧୯ ବିସ୍ତାର ମନ୍ଥର କରିପାରେ, କିନ୍ତୁ ପ୍ରତିକାର ନିମନ୍ତେ ‘କୁହୁକ ଗୁଳି’ ନୁହେଁ: ଗବେଷଣା

Advertisment
‘ବିସିଜି’ ଟିକା କୋଭିଡ୍-୧୯ ବିସ୍ତାର ମନ୍ଥର କରିପାରେ, କିନ୍ତୁ ପ୍ରତିକାର ନିମନ୍ତେ ‘କୁହୁକ ଗୁଳି’ ନୁହେଁ: ଗବେଷଣା

Image Courtesy of Hindustan Times

ନୂଆଦିଲ୍ଲୀ: ‘ବିସିଜି’ ଟିକା କରୋନାଭାଇରସ୍‌ଜନିତ ରୋଗ ସଂକ୍ରମଣ ଓ ମୃତ୍ୟୁ ହ୍ରାସ କରି ପାରେ ବୋଲି ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି। ‘ବିସିଜି’ ଟିକା ନେବାର ପ୍ରଥମ ୩୦ ଦିନରେ ଏହାର ଉତ୍ତମ ପ୍ରଭାବ ରହୁଛି।

‘ଆମେରିକାନ୍ ଆସୋସିଏସନ୍ ଫର୍ ଦି ଆଡ୍‌ଭାନ୍‌ସ୍‌ମେଣ୍ଟ୍‌ ଅଫ୍ ସାଇନ୍ସ’ ପ୍ରକାଶିତ ଏକ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏହି ଅଧ୍ୟୟନ କହେ, କେତେ ଦଶନ୍ଧି ତଳୁ ଯଦି ସରକାର ‘ବିସିଜି’ ଟିକା ନେବା ବାଧ୍ୟତାମୂଳକ କରି ଥାଆନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍-୧୯ଜନିତ ମୃତ୍ୟୁହାର ଏତେ ଅଧିକ ହୋଇ ନ ଥାନ୍ତା।

ଗବେଷଣାରୁ ଜଣାପଡ଼ିଛି ଯେ, କୋଭିଡ୍-୧୯ ବିରୋଧରେ ସଂଗ୍ରାମ ନିମନ୍ତେ ‘ବିସିଜି’ ଟିକାକରଣ ନୀତି ଫଳପ୍ରଦ। ଟିବି ପ୍ରତିରୋଧ ନିମନ୍ତେ ସାଧାରଣତଃ ଜନ୍ମକାଳରେ ପିଲାକୁ ‘ବିସିଜି’ ଟିକା ଦିଆଯାଏ। ଗବେଷଣା କହେ, ବୋଧହୁଏ କୋଭିଡ୍-୧୯ ସମେତ ଅନ୍ୟ କେତେକ ସଂକ୍ରାମକ ରୋଗ ବିପକ୍ଷରେ ରୋଗପ୍ରତିରୋଧକ ଶକ୍ତି ବିକାଶ କରିବାରେ ‘ବିସିଜି’ ଟିକା ସହାୟକ ହୋଇଥାଏ।

ପ୍ରତି ଦେଶରେ କରୋନାଭାଇରସ୍ ସଂକ୍ରମଣ ହେବାର ପ୍ରଥମ ୩୦ ଦିନ ସମୟସୀମା ମଧ୍ୟରେ ଦୈନନ୍ଦିନ ବୃଦ୍ଧି ପାଉଥିବା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ବିଶେଷଜ୍ଞମାନେ ଅନୁଶୀଳନ କରିଥିଲେ। ସେମାନେ ୧୩୫ଟି ଦେଶର ସଂକ୍ରମଣ ସଂଖ୍ୟା ଓ ୧୩୪ଟି ଦେଶର ମୃତ୍ୟୁ ସଂଖ୍ୟା ଅନୁଶୀଳନ କରି ଜାଣିଲେ, ବାଧ୍ୟତାମୂଳକ ଭାବେ ‘ବିସିଜି’ ଟିକାକରଣ ଏବଂ କୋଭିଡ୍-୧୯ ସଂକ୍ରମଣ ରେଖା ସମାନ୍ତରଳ କରିବାରେ ପାରସ୍ପରିକ ସମ୍ପର୍କ ରହିଛି।

କିନ୍ତୁ, ଗବେଷକମାନେ ‘ବିସିଜି’ ଟିକାକୁ କୋଭିଡ୍-୧୯ ପ୍ରତିକାର ନିମନ୍ତେ ‘କୁହୁକ ଗୁଳି’ ଭାବ‌େ ଚିତ୍ରଣ କରି ନାହାନ୍ତି। ସେମାନେ କହିଛନ୍ତି, ଏ ବିଷୟରେ ଅଧିକ ବିଶ୍ଳେଷଣ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe