କରୋନା ମହାମାରୀ ଯୋଗୁଁ ସ୍ବାସ୍ଥ୍ୟସେବା ଉପରେ ଏହା ଗୁରୁତର ଚାପ ସୃଷ୍ଟି କରିଛି। ଦେଶରେ ଏବେ ବିଭିନ୍ନ ଡାକ୍ତରଖାନାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏଥିପାଇଁ ସରକାର ବାଧ୍ୟ ହୋଇ ଅଣ କୋଭିଡ ଡାକ୍ତରଖାନାକୁ କୋଭିଡ ଡାକ୍ତରଖାନାରେ ପରିଣତ କରୁଛନ୍ତି। ଫଳରେ ଅଧିକାଂଶ ଡାକ୍ତରଖାନାରେ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗର ଓପିଡି ସମେତ ଏଣ୍ଡୋସ୍କୋପି, କଲୋନୋସ୍ପୋପି, ଇଆରସିପି ଆଦି ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ପେଟ ଏବଂ ଯକୃତ ରୋଗରେ ପୀଡ଼ିତ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏଭଳି ରୋଗୀ ଭୟଭିତ ନହୋଇ ଯତ୍ନବାନ ହେବା ଉଚିତ। ସେମାନେ ନିୟମିତ ଭାବେ ଡାକ୍ତରମାନଙ୍କ ପରାମର୍ଶ ନିଅନ୍ତୁ।
କୋଲକାତା ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ମେଡିକା ସୁପରସ୍ପେସାଲିଟି ହସ୍ପିଟାଲର ନିର୍ଦ୍ଦେଶକ ତଥା ବରିଷ୍ଠ ପେଟରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ୍ତ କୁମାର ସେଠୀ ଏହି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଦୀର୍ଘଦିନ ଧରି ପେଟରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କର ନିୟମିତ ଚିକିତ୍ସା ଆବଶ୍ୟକ। କୋଭିଡ୍ ମହାମାରୀ ସମୟରେ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ଏବଂ ଲିଭର ବା ଯକୃତ ରୋଗ ହ୍ରାସ ପାଇନାହିଁ। ଉକ୍ତ ରୋଗୀମାନେ ଡାକ୍ତରଖାନାକୁ ଆସିଲେ କରୋନାରେ ଆକ୍ରାନ୍ତ ହୋଇଯିବା ଭୟ ମଧ୍ୟ ମନରେ ରଖୁଛନ୍ତି। ତେଣୁ ପେଟରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କର ଚିକିତ୍ସା ମଧ୍ୟ ଆବଶ୍ୟକ ବୋଲି ସଚେତନତା ସୃଷ୍ଟି କରିବାକୁ ହେବ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଡାକ୍ତରଖାନା ଓ ଡାକ୍ତରଙ୍କ ନିକଟକୁ ନେବାକୁ ହେବ।
ଭାରତରେ ବହୁସଂଖ୍ୟାରେ ପେଟଜନିତ ଏବଂ ଯକୃତ ରୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ନିୟମିତ ବ୍ୟବଧାନରେ ଚିକିତ୍ସା ଆବଶ୍ୟକ। ଯଦିଓ ଟେଲିମେଡିସିନ ସୁବିଧା ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଯୋଗାଯୋଗ କରାଇ ପାରୁଛି ତଥାପି ରୋଗୀଙ୍କ ପ୍ରତି ଅନେକଟା ବିପଦ ମଧ୍ୟ ରହୁଛି। ତେଣୁ ଏସବୁ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ କୋଭିଡ଼ ନିୟମ ସହିତ ବହିର୍ବିଭାଗ ଓ ଅନ୍ତର୍ବିଭାଗ ସେବା ଯୋଗାଇ ଦିଆଯିବା ଆବଶ୍ୟକ। ପେଟରୋଗୀଙ୍କ ନିୟମିତ ଚିକିତ୍ସା କରୋନା ସମୟରେ ବନ୍ଦ ରହିଲେ ତାହା ପରେ ସେମାନଙ୍କୁ ଚିକିତ୍ସା କରିବା ଲାଗି ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଅଧିକ ଚାପ ପଡ଼ିବ। ତେଣୁ ତାହାକୁ ପରିଚାଳନା କରିବା କଷ୍ଟକର ହୋଇପଡ଼ିବ ବୋଲି ଡାକ୍ତର ସେଠୀ ମତବ୍ୟକ୍ତ କରିଛନ୍ତି।
Follow Us