ନୂଆଦିଲ୍ଲୀ: ବାପା ଓ ମା’ ହେଉଛନ୍ତି ଆମର ଚଳନ୍ତି ଠାକୁର। ତାଙ୍କର ପୂଜା ଓ ସମ୍ମାନ କରିବାକୁ ପିଲାଟି ଦିନରୁ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥାଏ। ତେବେ ଭାରତରେ କିଛିଟା କ୍ଷେତ୍ରରେ ପିଲାମାନେ ତାଙ୍କ ବାପା ଓ ମା’ଙ୍କୁ ପଚାରୁ ନଥିବା ବେଳେ ଏମିତି ବି ପିଲା ଅଛନ୍ତି ଯେଉଁମାନେ ବାପା ଓ ମା’ଙ୍କୁ ଭଗବାନ ଭଳି ପୂଜା କରି ଥାଆନ୍ତି।
ଏହି କ୍ରମରେ ଏକ ଛୋଟ ପିଲାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ଭାଇରାଲ ହୋଇଥିବା ବେଳେ ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ବାଳକଙ୍କ କାମକୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ଘଟଣାର ଭିଡିଓକୁ ଆଇଏଏସ୍ ଅଧିକାରୀ ଅୱନିଶ ଶରଣଙ୍କ ଦ୍ବାରା ମଧ୍ୟ ଟୁଇଟରରେ ସେୟାର କରାଯାଇଛି।
ଏଥିରେ ଦେଖିବାକୁ ମିଳୁଛି, ଏକ ସାଇକେଲରେ ଏକ ଓଭରବ୍ରିଜ ଉପରେ ବାପା, ମା’ ଓ ପୁଅ ଯାଉଛନ୍ତି। ଏହି ସମୟରେ ବ୍ରିଜରେ ଉଠାଣି ପଡ଼ିବାରୁ ବାପାଙ୍କୁ ବୋଧ ହୁଏ ସାଇକେଲ ଚଲାଇବାରେ ଅସୁବିଧା ହେଉଥିବା ପୁଅ ଅନୁଭବ କରି ପାରିଥିଲା। ତେଣୁ ସେ ବାପା ଓ ମା’ ବସି ଯାଉଥିବା ସାଇକେଲକୁ ପଛରୁ ଠେଲିଠେଲି ସେ ବ୍ରିଜ ଅତିକ୍ରମ କରାଇଥିଲା।
ତେବେ ଏହି ଘଟଣାକୁ ସେହି ରାସ୍ତା ଦେଇ ଯାଉଥିବା ଜଣେ ବାଇକ ଚାଳକ ରେକର୍ଡ କରିଥିଲେ। ଏହି ରେକର୍ଡିଂ ସମୟରେ ବାପା, ମା’ ଓ ପୁଅ ଖୁସିଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳୁଛି। ଏହାକୁ ନେଇ ଭଲ ଭଲ ମନ୍ତବ୍ୟ ଆସିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି-ଚିନ୍ତା କରନାହିଁ, ତୁମର ସୁପରମ୍ୟାନ୍ ଅଛି।
Follow Us