ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ସେଠାର ତ୍ରିବେଣୀ ତୀର୍ଥରେ ସ୍ନାନ କରିବା ପାଇଁ ଏବର୍ଷ ଅଭୂତପୂର୍ବ ଆଗ୍ରହ ପ୍ରକାଶ ପାଇଛି। ଏକ ଆକଳନ କରାଯାଇଛି, ଯେ ଏଥର ସେଠାରେ ପ୍ରାୟ ୪୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇବେ। କିନ୍ତୁ ଏମାନେ ସମସ୍ତେ ଯେ ଭକ୍ତିଭାବରେ ବୁଡ଼ ପକାଇବେ, ତାହା ନୁହେଁ। ସେମାନଙ୍କ ମଧ୍ୟରେ ମିଛବୁଡ଼ ପକାଇବା ଭଣ୍ଡଲୋକ ମଧ୍ୟ ଅନେକ ଅଛନ୍ତି। ସେମାନଙ୍କ ସଂପର୍କରେ ମଧ୍ୟ ଆମର ଶାସ୍ତ୍ରପୁରାଣ ଆମକୁ ସତର୍କ କରିଦେଇଛନ୍ତି।
ଆମର ଗୋଟିଏ ଲୋକପ୍ରିୟ ପୁରାଣ ହେଉଛି ‘ମାଘ ମାହାତ୍ମ୍ୟ’। ଏହା ନୃସିଂହ ଦାସଙ୍କ ପୁତ୍ର କୃଷ୍ଣ ଦାସଙ୍କ ଦ୍ବାରା ରଚିତ ଏବଂ ‘ପଦ୍ମପୁରାଣ’ ଆଧାରିତ। ଉଦ୍ଧବଙ୍କ ପ୍ରଶ୍ନ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଉତ୍ତର ମାଧ୍ୟମରେ ଏହା ବର୍ଣ୍ଣିତ। ଏହାର ପ୍ରଥମ ଅଧ୍ୟାୟରେ ମାଘସ୍ନାନର ଧର୍ମ ସଂପର୍କରେ କୁହାଯିବା ପରେ, ଦ୍ବିତୀୟ ଅଧ୍ୟାୟରେ ଭଣ୍ଡସ୍ନାନକାରୀଙ୍କ କଥା ବର୍ଣ୍ଣିତ ହୋଇଛି। ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି- ଅନେକ ଲୋକ ଅଛନ୍ତି, ଯେଉଁମାନେ ମାଘସ୍ନାନ ଧର୍ମ ପାଳନ କରନ୍ତି ନାହିଁ; କିନ୍ତୁ ବଡ଼ିମା ଦେଖାଇ, ମୁଁ ମାଘସ୍ନାନ କରୁଛି ବୋଲି କହନ୍ତି। ମୁଁ ଶୀତକୁ ଡରେ ନାହିଁ; ରାତି ପହରେ ଥାଇ ଯାଇ ଦି’ଘଡ଼ି ଯାଏ ପାଣିରେ ବୁଡ଼େ ବୋଲି ମଧ୍ୟ କହନ୍ତି। ଏହା କହିବା ସହିତ ସେମାନେ ଆମିଷ ଭକ୍ଷଣ କରନ୍ତି। କାମରେ ଉନ୍ମତ୍ତ ହୋଇ ଯୁବତୀ ସଙ୍ଗେ ମାତନ୍ତି।
ନାମକୁ ମାତ୍ର ସ୍ନାନ କରି ବା ଦେହରେ ମୁଣ୍ଡରେ ପାଣି ଟିକିଏ ଛିଞ୍ଚିଦେଇ ନିଆଁ ପାଖରେ ବସନ୍ତି। ଅନ୍ୟକୁ ହିଂସା କରିବା ସହିତ ଅନ୍ୟର ଦ୍ରବ୍ୟ ଚୋରି କରନ୍ତି। ଭଗବାନଙ୍କ ନାମ ତୁଣ୍ଡରେ ଧରନ୍ତି ନାହିଁ। ତେଣୁ ସେମାନେ କୌଣସି ଶୁଭଫଳ ପାଆନ୍ତି ନାହିଁ। କିନ୍ତୁ ଯେଉଁମାନେ ମାଘସ୍ନାନ କରନ୍ତି, ସେମାନେ ସମସ୍ତେ କ’ଣ ଏମାନଙ୍କ ଠାରୁ ଭିନ୍ନ? ଏ ସଂପର୍କରେ ମଧ୍ୟ ସେହି ‘ମାଘ ମାହାତ୍ମ୍ୟ’ରେ କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- ଯେଉଁମାନେ ପବିତ୍ର ତିଥିରେ ସ୍ନାନ କରି ଧର୍ମଶାସ୍ତ୍ର ଶୁଣନ୍ତି, ଅଥଚ ପାପପୁଣ୍ୟ ଜାଣି ମଧ୍ୟ, ପୁଣ୍ୟକର୍ମ ନ କରି ପାପର ପଥ ଆପଣାନ୍ତି; ସେମାନେ ଧର୍ମଲାଭର ଆଶାରେ ଏହି ସ୍ନାନ କଲେ ମଧ୍ୟ ତାଙ୍କର ଧର୍ମ ନାଶ ଯାଏ। ଏଣୁ ପୁଣ୍ୟ ତିଥିରେ ପ୍ରୟାଗରାଜ ପରି ତ୍ରିବେଣୀ ତୀର୍ଥରେ ବା ଅନ୍ୟ ଯେକୌଣସି ନଦୀ ବା ପୁଷ୍କରିଣୀଆଦିରେ ସ୍ନାନ କଲେ ମଧ୍ୟ, ଧର୍ମାଚରଣ ନ କଲେ, ତାହା ଭକ୍ତିବୁଡ଼ ନହୋଇ ଭଣ୍ଡବୁଡ଼ ହୋଇଥାଏ।
Follow Us