bidia pana Photograph: (sambad.in)
ପାନ ଭିତରେ ବିଡିଆ ପାନ ହେଲା ସର୍ବଶ୍ରେଷ୍ଠ। ଏହି ପାନ ଠାକୁରଙ୍କ ପାଖରେ ଲାଗେ। ଏଥିରେ ଖଇର ଓ ଗୁଣ୍ଡି ପଡେ ନାହିଁ। ଭୋଗ ନୈବେଦ୍ୟ ପରେ ଠାକୁରଙ୍କ ପାଖରେ ବିଡିଆ ପାନ ଅର୍ପଣ କଲାବେଳେ ବ୍ରାହ୍ମଣ ମନ୍ତ୍ରପାଠ କରନ୍ତି:
ପୁଗୀଫଳସମାଯୁକ୍ତଂ ନାଗବଲ୍ଲୀଦଳୈର୍ଯୁତମ୍। ଏଳାଦି ଚୂର୍ଣ୍ଣସଂଯୁକ୍ତଂ ତାମ୍ବୁଳଂ ପ୍ରତିଗୃହ୍ୟତାମ୍।। ,
ଶ୍ଳୋକଟିର ଅର୍ଥ ହେଉଛି- ହେ ପ୍ରଭୁ, ନାଗବଲ୍ଲୀ ବା ପାନପତ୍ର ଭିତରେ ପୁଗୀଫଳ ବା କଟାଗୁଆ ଓ ଅଳେଇଚ ଆଦି ଚୂର୍ଣ୍ଣ ସଂଯକ୍ତ ତାମ୍ବୁଳ ଅର୍ପଣ କରୁଛି, ଆପଣ ତାହା ଗ୍ରହଣ କରନ୍ତୁ। କିନ୍ତୁ ଆଜିକାଲି ଏ ପାନରେ ଗୁଣ୍ଡି-ଜର୍ଦା ଆଦି ମିଶାଇ ତାକୁ ନିଶାଯୁକ୍ତ କରାଯାଉଛି। ଚୂନ ନ ଥିଲେ ପାନଟା ଅବାଗିଆ ଲାଗିବ। ଖଇରଟା ନ ପଡ଼ିଲେ ପାଟି ନାଲି ହବ କେମିତି? ଏ ପ୍ରସଙ୍ଗରେ ମନେପଡେ ଦୁଇଜଣ ରସିକ କବିଙ୍କ ସମ୍ବନ୍ଧରେ ରହିଥିବା ଏକ ରୋଚକ କିମ୍ବଦନ୍ତୀ।
କବି କାଳିଦାସ ଓ ଭବଭୂତି ଏକଦା ଗୋଟିଏ ବୁଢୀର ପାନ ଦୋକାନକୁ ପାନ ଖାଇବାକୁ ଯାଇଥିଲେ ବୁଢୀ ଜାଣିଶୁଣି ଭବଭୂତିଙ୍କ ପାନରେ ଚୂନ ଓ କାଳିଦାସଙ୍କ ପାନରେ ଖଇର ଦେଇ ନ ଥିଲା, ଦୁଇ ରସିକ କବିଙ୍କର ପ୍ରତିକ୍ରିୟା ଜାଣିବା ପାଇଁ। ପାନରେ ଚୂନ ନ ଥିବା ଦେଖି ଭବଭୂତି କହିଲେ:
ଚୂର୍ଣ୍ଣମାନୀୟତାଂ ତୂର୍ଣ୍ଣଂ ପୂର୍ଣ୍ଣଚନ୍ଦ୍ରନିଭାନନେ। ପର୍ଣ୍ଣାନି ସ୍ବର୍ଣ୍ଣବର୍ଣ୍ଣାନି ନଶ୍ୟନ୍ତ୍ୟାକର୍ଣ୍ଣଲୋଚନେ।।
ଅର୍ଥାତ୍, ହେ ପୂର୍ଣ୍ଣଚନ୍ଦ୍ରନିଭାନନେ (ପୂର୍ଣ୍ଣଚନ୍ଦ୍ର ଭଳିଆ ସୁନ୍ଦର ଆନନ ବା ମୁଖମଣ୍ଡଳ ଯାହାର), ଶୀଘ୍ର ଟିକିଏ ଚୂନ ଆଣ, କାହିଁକି ନା, ହେ ଆକର୍ଣ୍ଣଲୋଚନେ (କର୍ଣ୍ଣ ପର୍ଯ୍ୟନ୍ତ ଲମ୍ବିଥିବା ଦୀର୍ଘ ଲୋଚନଯୁଗଳ ଯାହାର), ଚୂନ ବିନା ଏ ପାଚିଲା ପାନପତ୍ରଗୁଡିକ ନଷ୍ଟ ହୋଇଯାଉଛି।
ଭବଭୂତିଙ୍କର ଏପରି ଚାଟୂକ୍ତି କାଳିଦାସଙ୍କୁ ଭଲ ଲାଗିଲା ନାହିଁ। ସାମାନ୍ୟ ଟିକିଏ ଚୂନ ପାଇଁ ଗୋଟିଏ ବୁଢୀକୁ ପୂର୍ଣ୍ଣଚନ୍ଦ୍ରନିଭାନନେ, ଆକର୍ଣ୍ଣଲୋଚନେ ବୋଲି ସମ୍ବୋଧନ କରିବା କି ଦରକାର ? ତେଣୁ ଖଇର ମାଗିବାକୁ ଯାଇ କାଳିଦାସ କହିଲେ:
ବିନା ଖଦୀରସାରେଣ ହାରେଣ ହରିଣୀଦୃଶାମ୍।
ନାଧରେ ଜାୟତେ ରାଗୋ ନାନୁରାଗଃ ପୟୋଧରେ।।
ଅର୍ଥାତ୍, ମାଗୋ! ଟିକିଏ ଖଇର ଦିଅ। କାରଣ ହାର ବିନା ହରିଣୀଦୃଶା (ହରିଣୀର ଆଖି ପରି ଚଞ୍ଚଳ ଆଖି ଯାହାର) ତରୁଣୀର ବକ୍ଷୋଜଯୁଗଳରେ ଯେପରି ଅନୁରାଗ ଜାତ ହୁଏ ନାହିଁ, ସେହିପରି ଖଇର ବିନା ଅଧରରେ ରାଗ (ଲାଲ୍ ରଙ୍ଗ) ଜାତ ହୁଏ ନାହିଁ।
ପାନ ଉପରେ ଆମ ଓଡ଼ିଆ କବି ବି ବର୍ଣ୍ଣନାପାଟବରେ ପଛରେ ନାହାନ୍ତି। ଖିଲିପାନ ଗାଲରେ ଜାକି ଚମ୍ପାମଣି ଯେତେବେଳେ ଗାଁ ଦାଣ୍ଡରେ ଯାଉଥାନ୍ତି, ସେ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ବ୍ୟାସକବି ତାଙ୍କ ଛଅମାଣ ଆଠଗୁଣ୍ଠରେ-
“କଜ୍ଜ୍ବଳପୂରିତଂ ଲୋଚନ ଭାଲେ,
ଗୁଣ୍ତିମିଶା ଖିଲି ଗୁଞ୍ଜିତ ଗାଲେ ।
ତୈଳ-ହରିଦ୍ରା ବୋଳିତଂ ଦେହେ,
କୁକ୍କୁରୀବ ଶୀଘ୍ରଂ ଧାବତି ଗେହେ ।
ଷୋଳହାତୀ ଶାଢ଼ୀ ବିସ୍ତୃତ କଚ୍ଛେ,
ଥୋପଭିଡ଼ା ଜୁଡ଼ା ଶୋଭିତ ଉଚ୍ଚେ ।
ଦୁମୁ ଦୁମୁ ଗୁମୁ ଗୁମୁ ଚଳନଂ ତସ୍ୟା,
ଚଳତି ବା ଧାବତି ବିଷମ ସମସ୍ୟା ।
କଙ୍କଣ ଚୁଡ଼ି ହସ୍ତେ ବିରାଜେ,
ଝମ ଝମ ଝମ ଝୁଣ୍ଟିଆ ବାଜେ ।
ସା ଯଦା ଗଚ୍ଛତି ଗୋହିରୀଦାଣ୍ତେ,
ହସ୍ତ ହଲାଇ ଚାଣ୍ତେ ଚାଣ୍ତେ ।
ଦେଖି ଶଙ୍କି ଯାନ୍ତି ଗ୍ରାମ୍ୟ ଲୋକେ,
ଡରି ମରି ପଳାଇଯାନ୍ତି ଥୋକେ ।
ଇତି ରୂପବର୍ଣ୍ଣନଂ କୁଜ୍ଝଟୀ ଛନ୍ଦେ,
ଅତଃ ସା ବର୍ଣ୍ଣ୍ୟତେ ବିବିଧପ୍ରବନ୍ଧେ ।
ପାନ ଖାଇ ଚମ୍ପାମଣିଙ୍କ ଓଷ୍ଠାଧର କିପରି ଆରକ୍ତିମ ଦିଶୁଥିଲା, ତାହା ବର୍ଣ୍ଣନା କରିବା ସହ ତାଙ୍କର ଚାଲି, ଠାଣି ଆଦି ବି ବର୍ଣ୍ଣନା କରିବାରେ ବ୍ୟାସକବି କାର୍ପଣ୍ୟ କରି ନ ଥିଲେ। ଆମ ଗାଁଗହଳରେ ଗୁଣ୍ଡିମିଶା ଖିଲିପାନ ଅଧିକାଂଶ ବୁଢ଼ାବୁଢ଼ୀଙ୍କର ପ୍ରିୟ। ଦାନ୍ତ ପଡିଯାଇଥିବା ଯୋଗୁ ପାନକୁଟାରେ ସେହି ପାନକୁ କୁଟି ସେମାନେ ଖାଇଥାନ୍ତି। କିନ୍ତୁ ଛେପ ଏଣେତେଣେ ପକାଇ ପରିବେଶକୁ ଅସନା କରିବାର ପରମ୍ପରା ଆମ ଓଡିଆ ସଂସ୍କୃତିରେ ନାହିଁ।
ସେଥିପାଇଁ ପାନ ଖାଉଥିବା ବୁଢ଼ାବୁଢ଼ୀମାନେ ନିଜ ପାଖରେ ପିକଦାନି ରଖିଥାନ୍ତି। ସେହି ପିକଦାନି ପ୍ରତିଦିନ ସଫା ହୁଏ। ତେଣୁ ଗନ୍ଧ ଛାଡିବାର ଅବକାଶ ନ ଥାଏ।
ପାନ ହଜମକାରକ ଓ ଏଥିରେ ଅଛି ଅନେକ ଔଷଧୀୟ ଗୁଣ। ଏହା କଫ, ମୁଖଦୌର୍ଗନ୍ଧ୍ୟ, ମଳ, ବାୟୁ, ଶ୍ରାନ୍ତି ଓ ରାତ୍ର୍ୟନ୍ଧତା ନାଶକ। ପାନରସ କଫ ଆଦି ଅନେକ ରୋଗରେ ଔଷଧର ଅନୁପାନ ସ୍ବରୂପ ବ୍ୟବହୃତ ହୁଏ। ପାନରେ ଦିଆଯାଉଥିବା ଧନିଆ ଓ ପାନମଧୁରୀ ବି ହଜମକାରକ, ଯାହା ଘରେ ଘରେ ତରକାରି ମସଲା ଭାବେ ମଧ୍ୟ ବ୍ୟବହୃତ ହୁଏ।
ଗୁଆ କୃମିନାଶକ ଏବଂ ଚୂନରେ ଅଛି କ୍ୟାଲସିୟମ, ଯାହା ଦାନ୍ତ ଓ ହାଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆଗକାଳରେ ମୁଖଶୁଦ୍ଧି ଭାବେ ଲବଙ୍ଗ ଓ ଗୁଜରାତିଦିଆ ବିଡିଆପାନ ବ୍ୟବହାର କରାଯାଉଥିଲା କିନ୍ତୁ ଆଜିକାଲି ସେଥିରେ ତମାଖୁ ଦେଇ ନିଶାକାରକ ଭାବେ ଖିଆଯାଉଛି, ଯାହା ମୁଖକର୍କଟରୋଗର କାରକ।
ସେଥିପାଇଁ ପ୍ରତିବର୍ଷ ମେ ୩୧ ତାରିଖକୁ ତମାଖୁ ବିରୋଧୀ ଦିବସ ଭାବେ ପାଳନ କରାଯାଉଛି। ଉଦ୍ଦେଶ୍ୟ ଲୋକମାନେ ତମାଖୁର ଅପକାରିତା ବିଷୟରେ ଜାଣିଲେ ତାହା ଖାଇବା ଛାଡିଦେବେ। ତେବେ ଆମ ଓଡିଆ ପରମ୍ପରାରେ ପାନ ଖାଇବାର ବିଧି ହେଉଛି: ଭୋଜନ ପରେ ତମାଖୁବିହୀନ ଗୋଟିଏ ବିଡିଆ ପାନ ଖାଇବେ। ଏହାଫଳରେ ଅଧିକ ପରିମାଣରେ ପାଚକରସ (ଲାଳ) ନିର୍ଗତ ହୋଇ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ।
ତା’ଛଡ଼ା ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ ହେତୁ ପାନ ଖଣ୍ଡେ ଖାଇଦେଲେ ସଙ୍ଗେ ସଙ୍ଗେ ପାଣି ପିଇବାର ଆବଶ୍ୟକତା ପଡ଼େ ନାହିଁ। ତା’ପରେ ଦେଢଘଣ୍ଟା ପରେ ପାଣି ପିଆଯାଇପାରେ।
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା,
ମୋ- ୭୦୦୮୯୬୦୫୦୨
lifestyle | bidia pana
Follow Us