ନିଜ ଜନ୍ମର ୧୦୭ ବର୍ଷ ଓ ମୃତ୍ୟୁର ୨୬ ବର୍ଷ ପରେ ବି ବିଜୁବାବୁ ଓଡ଼ିଆ ଜନମାନସକୁ ବେଶ ଆଚ୍ଛନ୍ନ କରି ରଖିପାରିଥିବାର କାରଣ ଜଣେ ବୈମାନିକ, ସ୍ବାଧୀନତା ସଂଗ୍ରାମୀ, ଶିଳ୍ପ ଓ ଉଦ୍ୟୋଗପତି, ସଂଘୀୟ ଢାଞ୍ଚା ଓ ଧର୍ମନିରପେକ୍ଷ ରାଷ୍ଟ୍ର ତଥା ଜ୍ଞାନ-ବିଜ୍ଞାନ-କଳାର ସମର୍ଥକ, ଦରଦୀ ଓ ବଦାନ୍ୟ ମଣିଷ ଏବଂ ରାଜନେତା-ଜନନାୟକ ଭାବେ ସିଏ ଥିଲେ ସ୍ବପ୍ନ, ସ୍ବାଭିମାନ ଓ ଦୁଃସାହସର ଧାତୁରେ ଗଢ଼ା ଓଡ଼ିଶାର ଅନ୍ୟତମ ପ୍ରମୁଖ ଲୋକବିଗ୍ରହ ଓ କିମ୍ବଦନ୍ତୀ। ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ରୂପେ ବିଜୁବାବୁ ପଦବୀରେ ଅଧିକ କାଳ ନ ଥିଲେ ସୁଦ୍ଧା ଶିଳ୍ପାୟନ, ପ୍ରଗତି, ବିକାଶ ଓ କ୍ଷମତା ସଂପନ୍ନତା-ଅଭିମୁଖୀ ପଦକ୍ଷେପ ଓ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଲୋକେ ଏବେ ବି ମନେ ପକାନ୍ତି। ପ୍ରାୟ ଅଢ଼େଇ ବର୍ଷ (୧୯୬୧-୬୩) ପାଇଁ ପ୍ରଥମ ଥର ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟାୟଟି ଥିଲା ଆମ ରାଜ୍ୟରେ ନବନିର୍ମାଣ, ଅନୁଷ୍ଠାନ ସ୍ଥାପନା ଓ ଶିଳ୍ପ ପ୍ରତିଷ୍ଠାର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। କାମରାଜ ଯୋଜନା ଯୋଗୁଁ ସିଏ ନିଜ ଆଡୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ; ଯଦିଓ ପଦ ନ ଛାଡ଼ିବା ପାଇଁ ନିଜ ସପକ୍ଷରେ ତାଙ୍କର ଦୁଇଟି ବଳିଷ୍ଠ କାରଣ ଥିଲା - ବୟସ ତାଙ୍କର ୫୦ରୁ କମ୍ ଥିଲା ଓ ପ୍ରଥମ ଥର ସକାଶେ ସିଏ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ବିଜୁବାବୁ ବିଜୁବାବୁ।
ପ୍ରାୟ ତିନି ଦଶନ୍ଧିର ବ୍ୟବଧାନ ପରେ ୧୯୯୦ରେ ବିଜୁବାବୁ ଦ୍ବିତୀୟ ଥର ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟାୟଟିର ପ୍ରମୁଖ ଅାଭିମୁଖ୍ୟ ଥିଲା ବିକେନ୍ଦ୍ରୀକରଣ ଓ ସଶକ୍ତୀକରଣ। ଜିଲ୍ଲା ସଂଖ୍ୟା ୧୩ରୁ ବଢ଼ି ହୋଇଥିଲା ୩୦। ଓଡ଼ିଶା ଜିଲ୍ଲା ପରିଷଦ ଆଇନ ଆସିବା ସାଙ୍ଗକୁ ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା। ପୁଣି ପଞ୍ଚାୟତ ହାତରେ ଅର୍ପଣ କରାଯାଇଥିଲା ମହିଳା ଓ ଶିଶୁ ମଂଗଳ କାର୍ଯ୍ୟକ୍ରମ, ସାମାଜିକ ବନୀକରଣ, ଗ୍ରାମ୍ୟ ଆବାସ, କ୍ଷୁଦ୍ର ଶିଳ୍ପ ଓ ସର୍ବସାଧାରଣ ବିତରଣ ବ୍ୟବସ୍ଥା ତଦାରଖ କରିବାର ଦାୟିତ୍ବ। ମହିଳା ଆୟୋଗ ଓ ମହିଳା ବିକାଶ ସମବାୟ ନିଗମ ମଧ୍ୟ ଆରମ୍ଭ କରାଯାଇଥିଲା।
odishanewsinsight.comସ୍ବାଭିମାନୀ ବିଜୁବାବୁଙ୍କର ଅତିପ୍ରିୟ ଥିଲା କଳିଙ୍ଗ ନାଁଟି, ଯାହା ସହ ଯୋଡ଼ା ତାଙ୍କର ପ୍ରୟାସମାନ- ଯଥା : କଳିଙ୍ଗ ଏୟାରୱେଜ, କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ପୁରସ୍କାର, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ, କଳିଙ୍ଗ ଖବରକାଗଜ, କଳିଙ୍ଗ କପ୍, କଳିଙ୍ଗ ରଥ ଓ କଳିଙ୍ଗ ବାଲିଯାତ୍ରା। ଅବଶ୍ୟ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ୍ ବା ଓଟିଏମ୍ ଥିଲା ତାଙ୍କର ଏକ ସଫଳ ଓ ଲୋକପକ୍ଷଭୁକ୍ତ ଶିଳ୍ପ ଅଭିକ୍ରମ। ଓଡ଼ିଶା ଚର୍ଚ୍ଚା ବିଜୁବାବୁଙ୍କ ପାଇଁ କଳିଙ୍ଗ ଅବତାରଣା ବିନା ଅସମ୍ପୂର୍ଣ୍ଣ ଥିଲା।
ଯେଉଁ ଦୁଃସାହସୀ ବିଜୁ ପଟ୍ଟନାୟକ ଏକଦା ସାଇକେଲରେ କଟକରୁ ପେଶୱାର ଯାଇଥିଲେ ସେଇ ମେଳାପୀ ଓ ଅନୌପଚାରିକ ବିଜୁବାବୁ ପରବର୍ତ୍ତୀ ଜୀବନରେ ବେଳେ ବେଳେ ଚାଲି ଚାଲି କି ରିକ୍ସାରେ ଯାଇ କାହାଠାରୁ କାକୁଡ଼ି ତ କାହାଠାରୁ ବାଦାମ ଓ ଆଉ କାହାଠାରୁ ପଖାଳ ଖାଇବାକୁ ଲାଜ କରୁନଥିଲେ। ଗାଁଗଣ୍ଡାରେ ବୁଲୁଥିବା ବେଳେ ବିଶେଷ କରି ବୁଢ଼ୀ ମାଉସୀମାନଙ୍କ ପାଖରେ ଅଳି କରୁଥିଲେ - ଓଡ଼ିଶାର ପ୍ରଗତି ପାଇଁ ଏ ବିଜୁ ପଟ୍ଟନାୟକକୁ ଆଶୀର୍ବାଦ କରି ଚାଲିଥିବ। ପୁଣି ମେଧାବୀ ଓ ଅଭାବୀ ଛାତ୍ରଛାତ୍ରୀଙ୍କୁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟରୁ ଯଥୋଚିତ ବୃତ୍ତି ଯୋଗାଇ ଦେଉଥିଲେ। ନିଜ ନିଜ ଜୀବନରେ ବିଜୁବାବୁଙ୍କ ସେଭଳି ମହାନୁଭବତାର ହିତାଧିକାରୀ ଅନେକ ଓଡ଼ିଆଙ୍କ ଭିତରୁ ତିନି ଜଣ ଅତି ଜଣାଶୁଣା ହେଉଛନ୍ତି ପ୍ରାବନ୍ଧିକ ଚିତ୍ତରଂଜନ ଦାସ, କଥାକାର ମନୋଜ ଦାସ ଓ ଚିତ୍ରଶିଳ୍ପୀ ଯତୀନ ଦାସ। ଜଣେ ଲୋକର କାମ ଓ ପ୍ରତିଭାକୁ ବିଜୁବାବୁ ଚିହ୍ନି ସମ୍ମାନ ଦିଅନ୍ତି ବୋଲି ଏକଦା ବୈଜ୍ଞାନିକ ଓ ଦାର୍ଶନିକ ଜେ.ବି.ଏସ୍ ହାଲଡେନ୍ କହିଥିଲେ ଯାହାଙ୍କୁ ବିଜୁବାବୁ ଓଡ଼ିଶା ଆମନ୍ତ୍ରଣ କରି ଆଣିଥିଲେ ବାୟୋମେଟ୍ରି ଓ ଜେନେଟିକ୍ସ ପରୀକ୍ଷାଗାରର ନିର୍ଦ୍ଦେଶକ ଭାବେ। ଏବେ ବାୟୋମେଟ୍ରି ଓ ଜେନେଟିକ୍ସ ପ୍ରସଂଗ ସାରା ପୃଥିବୀ ବାରମ୍ବାର ଉଠାଉଛି।
/sambad/media/post_attachments/wp-content/uploads/2023/03/dokata-m12-750x430.jpg)
ଆଜିଠାରୁ ବିଜୁବାବୁଙ୍କ ଡାକୋଟା ବିମାନ ସର୍ବସାଧାରଣ ଦର୍ଶନ କରିବାର ସୁବିଧା ପାଇବେ ବୋଲି ଆଗରୁ ପଢ଼ିବାକୁ ଶୁଣିବାକୁ ମିଳିଛି। ବିମାନକୁ ଯାନ କରି ବିଜୁବାବୁ ଅନେକ ଲୋମହର୍ଷକ ଅଭିଯାନରେ ସଫଳ ହୋଇ ନେହେରୁଙ୍କ ସମେତ ଦେଶ ବିଦେଶର ବହୁ ମହଲରୁ ପ୍ରଶଂସା ଓ ଅଭିନନ୍ଦନ ଅର୍ଜନ କରିଥିଲେ। ସେ ସବୁ କୀର୍ତ୍ତି ସହ ଗୁନ୍ଥି ହୋଇଛି ଭାରତ ଛାଡ଼ ଆନ୍ଦୋଳନ, ଇଣ୍ଡୋନେସିଆ, ଋଷିଆ, ବର୍ମା, କାଶ୍ମୀର, ତିବ୍ଦତ ଓ ଉତ୍ତରପୂର୍ବ ଆଦିର କାହାଣୀ ଆଉ ଉପାଖ୍ୟାନ ଯାହା ଯେତିକି ସତ ସେତିକି ରୋମାଞ୍ଚଭରା। ବିଜୁବାବୁଙ୍କ ମରଶରୀର ବହନ କରି ଆସିଥିବା କଫିନ୍ ତିନୋଟି ଦେଶର ପତାକା ଦ୍ବାରା ଆଚ୍ଛାଦିତ ହୋଇଥିବା ବିଜୁବାବୁଙ୍କ ଉତ୍ତୁଙ୍ଗ ଆନ୍ତର୍ଜାତିକ ବ୍ୟକ୍ତିତ୍ବ ପ୍ରତିଥିଲା ବିଶ୍ବସ୍ତ ଓ ବିନମ୍ର ସମ୍ମାନ।
ସୁନ୍ଦର ଗଣେଶନ୍ ରଚିତ ତଥ୍ୟ ଓ ଚିତ୍ର ସମ୍ବଳିତ ଏକ ଅତି ଉପାଦେୟ ବିଜୁ ଜୀବନୀ ପୁସ୍ତକ ହେଉଛି - ‘‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’’ (୨୦୧୭)। ପୁସ୍ତକଟିର ଉନ୍ମୋଚନ ସମାରୋହରେ ପ୍ରଣବ ମୁଖାର୍ଜୀ, ଏଚ୍.ଡି. ଦେବେଗୌଡ଼ା, ଲାଲକୃଷ୍ଣ ଆଡଭାନୀ, ସୀତାରାମ ୟେଚୁରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ବାହାରୁ ଆସିଥିବା ମଞ୍ଚାସୀନ ମାନ୍ୟଗଣ୍ୟଗଣ ସଭାରେ ଓ ସଭା ପରେ ଖୋଲା ଆଳାପ କ୍ରମେ କହିଥିଲେ - ବିଜୁବାବୁଙ୍କ ବ୍ୟକ୍ତିତ୍ବର ବିଶେଷତ୍ବ ହେଲା ସିଏ ଅନ୍ୟମାନଙ୍କ ଉଚ୍ଚତା ମଧ୍ୟ ବଢ଼େଇ ଦେଉଥିଲେ। ଆଉ ମଞ୍ଚରେ ନିଜ ବକ୍ତବ୍ୟରେ ନବୀନବାବୁ କହିଥିଲେ - ‘ବିଜୁବାବୁ ଇଜ୍ ଆନ୍ ଆଇଡିଆ ଇନ୍ କଣ୍ଟିନିଉଟି’। ସତରେ ନିରବଚ୍ଛିନ୍ନ ଓ ପ୍ରବହମାନ ବିଚାରର ଅନ୍ୟ ନାମ ବିଜୁ ବାବୁ ଯିଏ ଭୟ କଣ ଜାଣି ନଥିଲେ।
(ମୋ- ୯୪୩୭୩୦୭୦୭୯)
Follow Us