ବୀରତ୍ବର ନାଁ ବିଜୁ ବାବୁ: ମାଟିର ମହାନାୟକ, ଦୁଃସାହସୀ ପାଇଲଟ୍, ପ୍ରବାଦ ପୁରୁଷଙ୍କୁ କୋଟି ପ୍ରଣାମ...

BIJU BABU SPL

Photograph: (SAMBAD.IN)

ଭୁବନେଶ୍ବର: ସେ ଥିଲେ କଳିଙ୍ଗ ବୀର, ଅସହାୟଙ୍କ ଆଶା, ସାରା ଓଡିଶାର ସାହସ । ସିଏ ଝଡ଼ର ଇଗଲ, ସେ ଆକାଶରେ ଉଡୁଥିବା ପାଇଲଟ । ସେ କଥାରେ ଲୋକଙ୍କ ମନକୁ କିଣିନେଉଥିଲେ, ଆଉ ଇତିହାସକୁ ବଦଳେଇବାକୁ ସାହସ ରଖୁଥିଲେ । ବିଜୁ ପଟ୍ଟନାୟକ, ଏ ନାଁ ଶୁଣିଲେ, ଆପେ ଆପେ ଆଖି ଆଗକୁ ଚାଲିଆସେ, ଶିଖର ଛୁଇଁଥିବା ଜଣେ ଉତ୍ତୁଙ୍ଗ ମଣିଷର ଛବି...

ଅଧିକ ସମୟ ସେ ସତ୍ତାର ଚେୟାରରେ ବସିନଥିଲେ ସତ, ହେଲେ ଆଜି ବି ଜଣେ ମହାନ ଜନନାୟକ ଭାବେ ସେ ଲୋକଙ୍କ ହୃଦୟରେ ରାଜ୍ କରନ୍ତି । କହନ୍ତି ସେ କିଙ୍ଗ୍ ନୁହଁନ୍ତି, ନିଜେ କିଙ୍ଗ୍ ମେକର, ୟାକୁ ହିଁ ତ କୁହାଯିବ ଜନନେତା । ଯେତିକି ସାହସୀ, ସେତିକି ଧୂରନ୍ଧର ଆଉ ସେତିକି ଦୁର୍ଦ୍ଦଷ ।

କିଏ କହେ ତାଙ୍କୁ ଏ ମାଟିର ବରପୂତ୍ର, ତ ଆଉ କିଏ କହେ ସେ କଳିଙ୍ଗ ବୀର, ହେଲେ କୋଟି କୋଟି ଓଡିଆଙ୍କ ପାଇଁ ସେ ଆଜି ବି ପ୍ରିୟର ବିଜୁ ବାବୁ । ଆଜନ୍ମ ସାହାସୀ, ଦୁର୍ଦ୍ଦଷ ମାନସିକତା ଆଉ ଏ ମାଟି ପ୍ରତି ବେବାକ୍ ଭଲପାଇବା। ପୂରା ନାଁ ବିଜୟାନନ୍ଦ ପଟ୍ଟନାୟକ, ହେଲେ ସମସ୍ତଙ୍କ ପ୍ରିୟ ବିଜୁ ବାବୁ ।

୧୯୧୬ ମସିହା ମାର୍ଚ୍ଚ ୫ । ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଆଉ ମାଆ ଆଶାଲତାଙ୍କ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ ବିଜୁ ପଟ୍ଟନାୟକ । ହେଲେ କିଏ ବା ଜାଣିଥିଲା ଏ ପୁଅ ଦିନେ, ରାଜନୀତିର ସବୁ ଅଙ୍କ ଆଉ ଅଳିନ୍ଦ ଭିତରୁ ଉଠି ଜଣେ ଯୁଗପୁରଷ ଭାବେ ପରିଚିତ ହେବ । ପିଲାଟି ଦିନରୁ ତାଙ୍କର ପାଇଲଟ ହେବାର ନିଶା । ଆକାଶରେ ଝଡ଼ର ଇଗଲ ଭଳି ଉଡି ବୁଲିବାର ଇଚ୍ଛା । ଯେଉଁଥିପାଇଁ ସେ କଲେଜ୍ ପାଠପଢା ନସରିବା ପୂର୍ବରୁ ଚାଲିଯାଇଥିଲେ ଏରୋପ୍ଲେନ୍ ଚଲେଇବା ଶିଖିବାକୁ । ବାସ୍...ଏଇଠୁ ଆରମ୍ଭ ହେଇଥିଲା ତାଙ୍କର ଦୁର୍ଦ୍ଦଷ ଯାତ୍ରା ।

ଇତିହାସ ତ ଅନେକ, ହେଲେ ନାୟକ କିନ୍ତୁ ସେହି ଜଣିଏ ‘ବିଜୁ ବାବୁ’ । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ, କି ମୁଖ୍ୟମନ୍ତ୍ରୀ ପଦକୁ ବିନା ଭାବିଚିନ୍ତିରେ ଛାଡିବା ହେଉ, ସବୁଥିରେ ଆଗରେ ଥିଲେ ବିଜୁ ବାବୁ । ମାତ୍ର ୪୫ ବର୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ, ଅନେକ ନେତା ଯେତେବେଳେ.. ନେତା ହେବାକୁ ସ୍ୱପ୍ନ ଦେଖନ୍ତି, ସେତେବେଳକୁ ସତ୍ତାର ଶିଖରରେ ପହଞ୍ଚିଥିଲେ ବିଜୁ । ଖାଲି ପହଞ୍ଚିନଥିଲେ ବରଂ ସତ୍ତାଠୁ ସେ ଉପରେ ଥିଲେ । ସେଇଥିପାଇଁ ତ କାମରାଜ ପ୍ଲାନ୍ ବେଳେ ବିନା କିଛି ଭାବିଚିନ୍ତି ସେ ମୁଖ୍ୟମନ୍ତ୍ରୀ ଆସନ ଛାଡି ଦେଇଥିଲେ ।

୧୯୬୧ରୁ ୧୯୬୩, ୧୯୯୦ରୁ ୧୯୯୫ । ମାତ୍ର ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବିଜୁ ବାବୁ ଓଡ଼ିଶା ରାଜନୀତିର କିନ୍ତୁ ଛାଇ ଭଳି ଥିଲେ । ପରାଜୟ ନା ତାଙ୍କୁ ରାଜନୀତିରୁ ଦୂରେଇ ପାରିଥିଲା, ନା ସେ ରାଜନୀତିକୁ ଦୂରେଇ ପାରିଥିଲେ । ସବୁବେଳେ, ଓଡ଼ିଶାର ବିକାଶ ହିଁ ଥିଲା ତାଙ୍କର ପ୍ରଥମ ଲକ୍ଷ୍ୟ । ସେଇଥିପାଇଁ ତ, ୧୯୯୨ ମସିହାରେ ବିଜୁ ବାବୁ ଥରେ କହିଥିଲେ, “ଏକବିଂଶ ଶତାବ୍ଦୀରେ ମୋ ସ୍ୱପର ଓଡ଼ିଶାରେ ମୁଁ ଚାହେଁ ସମସ୍ତ ଯୁବକ ଯୁବତୀ ସର୍ବାଗ୍ରେ ରାଜ୍ୟର ସ୍ୱାର୍ଥକୁ ରଖନ୍ତୁ । ନିଜ ଭିତରେ ଅସ୍ମିତା ଓ ଆତ୍ମବିଶ୍ୱାସ ରଖନ୍ତୁ । ନିଜ ବ୍ୟତୀତ ଅନ୍ୟ କାହା ଦୟା ଉପରେ ନିର୍ଭର କରନ୍ତୁ ନାହଁ । ନିଜ ବୁଦ୍ଧି, ଜ୍ଞାନ ଓ ପୁରୁଷାର୍ଥ ବଳରେ ସେ କଳିଙ୍ଗର ଗୌରବକୁ ଫେରେଇ ଆଣିପାରିବେ ।”

ସତରେ, ଓଡିଶା ଆଉ ଓଡ଼ିଆଙ୍କ କଥା ଚିନ୍ତା କରୁଥିବା, ଗୋଟେ ନିଆରା ମଣିଷ ଥିଲେ ବିଜୁ ବାବୁ । ଆଜି ତାଙ୍କ ଜନ୍ମଦିନରେ ବାସ୍ ଏତିକି କହିବୁ ଆପଣ ଲୋକଙ୍କ ହୃଦୟରେ ଅଛନ୍ତି ଆଉ ରହିବେ କାଳ କାଳ ପାଇଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe