ଭିନ୍ନ ମଶାଣି: ସୃଷ୍ଟି କରୁଛି ପାର୍କର ଭ୍ରମ, ମୋହୁଛି ପର୍ଯ୍ୟଟକଙ୍କ ମନ

Advertisment
ଭିନ୍ନ ମଶାଣି: ସୃଷ୍ଟି କରୁଛି ପାର୍କର ଭ୍ରମ, ମୋହୁଛି ପର୍ଯ୍ୟଟକଙ୍କ ମନ

ମଶାଣି କହିଲେ ସାଧାରଣତଃ ଲୋକଙ୍କ ମନକୁ ଭୂତ, ପ୍ରେତଙ୍କ କଥା ଆପେ ଆପେ ଚାଲି ଆସିଥାଏ। ଏଠାରେ ସମୟ ବିତାଇବା ତ ଦୂର କଥା, ମଶାଣି ରାସ୍ତା ଦେଇ ଲୋକ ଦିନରେ ବି ଯିବାକୁ ଭୟ କରିଥା’ନ୍ତି। ହେଲେ ନୟାଗଡ଼ ବ୍ଲକ୍‌ ବିରୁଡ଼ା ପଞ୍ଚାୟତର ବିରୁଡ଼ା ଗ୍ରାମରେ ଏକ ଭିନ୍ନ ଧରଣର ମଶାଣି ଦେଖିବାକୁ ମିଳିଛି। ଦିନ ହେଉ କି ରାତି ଅବା ସନ୍ଧ୍ୟା ହେଉ କି ସକାଳ ସବୁ ସମୟରେ ଏହି ମଶାଣିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଯେଉଁ ମଶାଣି ନିକଟକୁ ଯିବାକୁ ଶିଶୁଙ୍କୁ ବାରଣ ଥାଏ, ସେଠାକୁ ନିଜର ଅଝଟିଆ ଶିଶୁଙ୍କୁ ଆଣି ପରିବାର ବୁଲାଇ ଆଣୁଛନ୍ତି। ଏହି ମଶାଣିକୁ ଯିଏ ଥରେ ଦେଖୁଛି, ତା’ର ମନ ଲାଖିଯାଉଛି।

publive-image

ମଶାଣି ମଧ୍ୟରେ ଏହା ସ୍ବର୍ଗପୁରୀ ବୋଲି ପର୍ଯ୍ୟଟକ ଆଲୋଚନା କରିଛନ୍ତି। ମଶାଣି ଏକରକମ ପାର୍କର ଭ୍ରମ ସୃଷ୍ଟି କରୁଛି, ଏହାକୁ ଏଭଳି ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ମଶାଣି କାନ୍ଥରେ ନୀତିବାଣୀ ଠାରୁ ଆରମ୍ଭ କରି ଯମପୁରୀର କାହାଣୀ ବର୍ଣ୍ଣନା ରହିଛି। ମଶାଣି ମଧ୍ୟରେ ଗଜ ଉଦ୍ଧାରଣ କଥାଠାରୁ ଆରମ୍ଭ କରି ମାର୍କେଣ୍ଡେୟ ଋଷିଙ୍କ କଥା, ଶ୍ରବଣ କୁମାର ପିତାମାତାଙ୍କୁ ବୋହିନେବାର ଦୃଶ୍ୟ, ହରିଶ୍ଚନ୍ଦ୍ରଙ୍କ ମଶାଣି କାହାଣୀ ବର୍ଣ୍ଣନା କରାଯାଇଛି। ଏହାକୁ ଅଭିଜ୍ଞ ଶିଳ୍ପୀଙ୍କ ଦ୍ବାରା ନିର୍ମାଣ ଓ ସ୍ଥାପନା କରାଯାଇଛି। ଇଟା, ବାଲି, ସିମେଣ୍ଟରେ ତିଆରି ପ୍ରତିମୂର୍ତ୍ତିଗୁଡ଼ିକ ସତେ ଯେମିତି କଥା କହୁଛନ୍ତି। ଏଥିସହିତ ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼ଙ୍କ କଥା ମଧ୍ୟ ବର୍ଣ୍ଣନା କରାଯାଇଛି। ଯମପୁରୀ, ଯମଦଣ୍ଡର କଥା ବର୍ଣ୍ଣନା ନୀତି ନୈତିକତାର ଶିକ୍ଷା ପ୍ରଦାନ କରୁଛି। ମଶାଣିରେ ବିଶ୍ରାମ ନେବା ପାଇଁ ସ୍ବତନ୍ତ୍ର ଗୃହ, ଟଏଲେଟ୍, ରାତିରେ ମଶାଣିର ସୌନ୍ଦର୍ଯ୍ୟ ବଢ଼ାଇବାକୁ ରଙ୍ଗିନ ଆଲୋକମାଳାର ବ୍ୟବସ୍ଥା ରହିଛି।

publive-image

ଅନ୍ୟ ଗ୍ରାମମାନଙ୍କର ମଶାଣି ଭଳି ଏହା ବି ଦିନେ ଅନାବନା ଗଛ, ବୁଦାରେ ଭର୍ତ୍ତି ହୋଇ ରହିଥିଲା। କେବଳ ଶବଦାହ ନିମନ୍ତେ ଲୋକ ଏଠାକୁ ଯାଉଥିଲେ। କିନ୍ତୁ ନୟାଗଡ଼ର ତତ୍କାଳୀନ ବିଡିଓ ମନୋଜ ପାତ୍ର, ବିରୁଡ଼ା ସରପଞ୍ଚ ବିଷ୍ଣୁପ୍ରିୟା ସ୍ବାଇଁ, ଗ୍ରାମବାସୀଙ୍କ ସହଯୋଗକ୍ରମେ ଏହା ଏକ ନିଆରା ମଶାଣିରେ ପରିଣତ ହୋଇପାରିଛି। ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ମଧ୍ୟ ଏଥିନିମନ୍ତେ ଅନେକ ସହଯୋଗ କରିଥିବା, ଉକ୍ତ ମଶାଣିଟି ତତ୍କାଳୀନ ବିଡିଓଙ୍କ ମାନସ ସନ୍ତାନ ବୋଲି ବିରୁଡ଼ାର ବାସିନ୍ଦା ଅଜୟ କୁମାର ସ୍ବାଇଁ କହିଛନ୍ତି।

publive-image

୨୦୧୯ରୁ ଉକ୍ତ ମଶାଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ୨୦୨୧ରେ ପ୍ରାୟତଃ କାର୍ଯ୍ୟ ଶେଷ ହୋଇଛି। ତଥାପି ଆଉ କିଛି କିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ମନରେଗା, ଏସ୍ଏଫ୍‌ସି, ସିଏଫ୍‌ସି ପାଣ୍ଠିରୁ ବ୍ଲକ୍‌ ପ୍ରଶାସନ ସହଯୋଗରେ ଉକ୍ତ ମଶାଣି କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟ ହୋଇସାରିଛି। ମଶାଣି ପ୍ରାଚୀରରେ ଲେଖାଥିବା ଆଇ ଲଭ୍ ବିରୁଡ଼ା ସେଲ୍‌ଫି ପଏଣ୍ଟ୍‌ରେ ସେଲ୍‌ଫି ନେବାକୁ ଲୋକଙ୍କ ଭିଡ଼ ଜମୁଛି। ନୟାଗଡ଼ ଗସ୍ତରେ ଆସୁଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ ମଧ୍ୟ ଉକ୍ତ ମଶାଣିକୁ ବୁଲିଯାଉଛନ୍ତି। ପ୍ରଶାସନର ଏଭଳି ନିଆରା ପ୍ରୟାସ ଏବଂ ବିରୁଡ଼ା ଗ୍ରାମବାସୀଙ୍କ ଇଚ୍ଛାଶକ୍ତିକୁ ସଭିଏଁ ସାଧୁବାଦ ଜଣାଇଛନ୍ତି।

ନୟାଗଡ଼ରୁ ରିତେନ୍ଦ୍ର ଛାଟୋଇ

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe