୨୦୦୧ ଜୁଲାଇ ୨୫ ତାରିଖ ବଡ଼ି ସକାଳୁ କେରଳ ରାଜ୍ୟରେ ଯାହା ଘଟିଲା ପାଣିପାଗ ସମ୍ବନ୍ଧୀୟ ବିଜ୍ଞାନ ନିମନ୍ତେ ତାହା ଥିଲା ଆପାତତଃ ଏକ ଅଭୂତପୂର୍ବ ଘଟଣା। ଆକାଶରୁ ଲାଲ୍ରଙ୍ଗର ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା! ରାଜ୍ୟର କେତେକ ଅଞ୍ଚଳରେ ୪୫୦ x ୧୫୦ ବର୍ଗ କିଲୋମିଟର୍ ଅଞ୍ଚଳ ଲାଲ୍ବର୍ଷା ପାଣିରେ ଭରିଗଲା। ବର୍ଷା ପଡ଼ିବାର ଅଳ୍ପ କିଛିକ୍ଷଣ ଆଗରୁ ପ୍ରଚଣ୍ଡ ଘଡ଼ଘଡ଼ି ଶବ୍ଦ ଶୁଣିଥିବା କଥା ମଧ୍ୟ ପ୍ରତ୍ୟକ୍ଷଦର୍ଶୀମାନେ କହିଲେ। ସେବେଠାରୁ ଦୁଇ ମାସଧରି ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ ରକ୍ତ ରଙ୍ଗର ବର୍ଷା ହୋଇଥିବା ରିପୋର୍ଟ ବି ମିଳିଲା। ପ୍ରଥମେ ଲାଲ୍ ବର୍ଷା ହେଲା ରାଜ୍ୟର ଦକ୍ଷିଣାଞ୍ଚଳ କୋଟ୍ଟାୟାମ୍ ଓ ଇଡୁକ୍କି ଜିଲ୍ଲାରେ। ହଳଦିଆ, ଶାଗୁଆ ଓ କଳା ବର୍ଷା ହୋଇଥିବା ଖବର ବି ମିଳିଲା। କିନ୍ତୁ, ପ୍ରାରମ୍ଭରୁ ୧୦ ଦିନ ପର୍ଯ୍ୟନ୍ତ ଅନେକ ଥର ରଙ୍ଗିନ ବର୍ଷା ହୋଇଥିଲା।
୫୦ ହଜାର ଲୋହିତ କଣିକା
ଅଧିକାଂଶ ସ୍ଥାନରେ ବର୍ଷା ପାଣି ରକ୍ତ ପରି ଲାଲ୍ ଦିଶୁଥିଲା। ପ୍ରତି ଅସରା ପ୍ରାୟ ୨୦ ମିନିଟ୍ ବର୍ଷୁଥିଲା। ଏ ଅଦ୍ଭୂତ ବର୍ଷା କେଉଁଠୁ ଆସିଲା ଜାଣିବା ପାଇଁ କୋଚିନ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟର ଅନ୍ୟତମ ପଦାର୍ଥ ବିଜ୍ଞାନୀ ଗଡ୍ଫ୍ରି ଲୁଇ ନମୁନା ସଂଗ୍ରହ କଲେ। ସେ କହିଲେ କି, ଏ ବର୍ଷା ବାହ୍ୟଜଗତ୍ରୁ ଉତ୍ପନ୍ନ। ଗୋଟାଏ ଉଲ୍କାର ଭଗ୍ନାଂଶ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରି କେରଳ ଉପରେ ବାଦଲ ସୃଷ୍ଟି କରି ଲାଲ୍ଜଳ ବର୍ଷାଇଛି। ଆକାଶରୁ ପ୍ରାୟ ୫୦,୦୦୦ କିଲୋ ଲାଲ୍ କଣିକା ପଡ଼ିଛି ବୋଲି ସେ ଆକଳନ କଲେ। ପଦାର୍ଥ ବିଜ୍ଞାନୀ ଗଡ୍ଫ୍ରି ଲୁଇ ଓ ମହାତ୍ମା ଗାନ୍ଧୀ ବିଶ୍ବବିଦ୍ୟାଳୟର ତାଙ୍କ ସହଯୋଗୀ ସନ୍ତୋଷ କୁମାର କହିଲେ, ସମ୍ଭବତଃ ଉଲ୍କା ବିସ୍ଫୋରଣ ଯୋଗୁଁ ଘଡ଼ଘଡ଼ି ଓ ବିଜୁଳି ମାରିଥାଇପାରେ। ଏହା ପୂର୍ବରୁ ୧୮୯୬, ୧୯୫୭, ୨୦୦୧ ଓ ୨୦୧୨ରେ କେରଳ ରାଜ୍ୟର କୋଟ୍ଟାୟାମ୍, ଇଡ୍ଡୁକି ଓ ୱାୟନାଡ଼ ଜିଲ୍ଲାରେ ଅନେକ ଥର ରକ୍ତବର୍ଣ୍ଣ ବର୍ଷା ହୋଇଥିବା ରେକର୍ଡ ରହିଛି। ସେଠାକାର ବାସିନ୍ଦାମାନେ କହନ୍ତି, ‘‘ଏ ଲାଲ୍ବର୍ଷା ଲୁଗାପଟା ଦାଗ କରି ପକାଏ, ଗଛପତ୍ର ପୋଡ଼ିପକାଏ ଓ ମାଟିକୁ ବି ଅନୁର୍ବର କରିପକାଏ। ବର୍ଷା ଆଗରୁ ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ମାରେ, କିନ୍ତୁ ସ୍ବଳ୍ପ ଅଞ୍ଚଳରେ ଏହି ଲାଲ୍ବର୍ଷା ବର୍ଷେ। ଅର୍ଥାତ୍ ମାତ୍ର ଅଳ୍ପ କେତେ କିଲୋମିଟର୍ ପରିସୀମା ଭିତରେ।’’
ଉଲ୍କା ନା, ଶିଉଳି କଣିକା?
ପ୍ରଥମେ ଭାରତୀୟ ବୈଜ୍ଞାନିକମାନେ ଭାବିଥିଲେ ସାଉଦି ଆରବରୁ ଉଡ଼ି ଆସୁଥିବା ଧୂଳି ବୋଧହୁଏ ଏଥିପାଇଁ ଦାୟୀ। ଲାଲ୍ କଣିକା ଥିବା ଉଲ୍କା ବିସ୍ଫୋରଣ ଏହି ବର୍ଷା ପାଇଁ ଦାୟୀ ବୋଲି ‘ଦି ସେଣ୍ଟର୍ ଫର୍ ଆର୍ଥ ସାଇନ୍ସ୍ ଷ୍ଟଡିଜ୍’ (ସିଇଏସ୍ଏସ୍) ମଧ୍ୟ ମତ ରଖିଲା। ସେ ବର୍ଷାରେ ଯେତେ ସବୁ ବାଦାମୀ-ଲାଲ୍ ରଙ୍ଗର କଠିନ ପଦାର୍ଥ ଅଛି ତାହା ନିକେଲ୍, ତମ୍ବା, ମାଙ୍ଗାନିଜ୍, ଟାଇଟାନିୟମ୍ ଓ କ୍ରୋମିୟମ୍ ଭଳି ଖଣିଜ ପଦାର୍ଥରେ ପରିପୂର୍ଣ୍ଣ ଥିବା କଥା ସେମାନେ ଦେଖିଥିଲେ। କିନ୍ତୁ, ପ୍ରତିଥର ସେହି ଅଞ୍ଚଳରେ ଲାଲ୍ କଣିକା ଧାରଣ କରିଥିବା ସେ ଧରଣର ଉଲ୍କା ଭଗ୍ନାଂଶ ବିସ୍ଫୋରଣ ହେଉଛି କିପରି ସେ କଥା ସେମାନେ ବୁଝାଇ ପାରିଲେ ନାହିଁ। କିନ୍ତୁ, ଅଣୁବୀକ୍ଷଣ ଯନ୍ତ୍ରରେ ବିଶ୍ଳେଷଣ କରିବାରୁ ଜଣାପଡ଼ିଲା ତାହା ଧୂଳିକଣା ନୁହେଁ; କୌଣସି ଜୈବିକ ପଦାର୍ଥ। ୫୦% ଅଙ୍ଗାରକ, ୪୫% ଅମ୍ଳଜାନ ଓ ସାମାନ୍ୟ ପରିମାଣରେ ଅନ୍ୟାନ୍ୟ ଉପାଦାନରେ ସେ ଲୋହିତ କଣିକା ଗଠିତ। ଶେଷରେ, ସରକାରୀ ଅଧିକାରୀମାନେ ତଦନ୍ତ କରି କହିଲେ ଯେ, କେମିତି କ’ଣ ବାୟୁମଣ୍ଡଳକୁ ଉଠିଯାଇଥିବା ଶିଉଳିର ବୀଜାଣୁ ବା ପ୍ରଜନନକ୍ଷମ ରେଣୁ ଯୋଗୁଁ ବର୍ଷାର ରଙ୍ଗ ଲାଲ୍ ହୋଇଛି।
ପରେ ‘ସିଇଏସ୍ଏସ୍’ ଓ ଟ୍ରପିକାଲ୍ ବଟାନିକାଲ୍ ଗାର୍ଡେନ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ ମଧ୍ୟ ଅନୁସନ୍ଧାନ କରି କହିଲା ଯେ ସେ ବର୍ଷା ପାଣିରେ ଉଲ୍କା ଉପାଦାନ, ଅାଗ୍ନେୟଗିରି ଉଦ୍ଗୀରଣଜନିତ ଉପାଦାନ ଅଥବା ମରୁଧୂଳି ନାହିଁ। କିନ୍ତୁ, ଏ ବର୍ଷାକୁ ସଂକ୍ରମିତ କରିଛି ଗଛଗଣ୍ଡି ଏବଂ ଆର୍ଦ୍ର ପ୍ରସ୍ତରରେ ବାସ କରୁଥିବା ଗୋଟାଏ ଶିଉଳି ବୀଜାଣୁ, ଯାହାର ରଙ୍ଗ ଗାଢ଼ ନାରଙ୍ଗୀ।
ବାହ୍ୟଜଗତ ଜୀବକୋଷ
ପୁନଶ୍ଚ ଗଡ୍ଫ୍ରି ଲୁଇ ଓ ତାଙ୍କ ସହଯୋଗୀ ସନ୍ତୋଷ କୁମାର କହିଲେ ଯେ, ବାସ୍ତବରେ ଉକ୍ତ ବୀଜାଣୁ ବା ଉଦ୍ଭିଦ କଣିକା ବର୍ଷାର ରଙ୍ଗ ଲାଲ୍ କରାଇଛି, କିନ୍ତୁ ଉକ୍ତ ବୀଜାଣୁ ସବୁ ମହାଶୂନ୍ୟରୁ ଗୋଟାଏ ଉଲ୍କା ଦ୍ବାରା ବାହ୍ୟଜଗତ ଜୀବରୁ କେରଳକୁ ଆସିଛି। ୨୦୦୬ ଜାନୁଆରିରେ ଲୁଇ ଓ ତାଙ୍କ ସହକର୍ମୀ ସନ୍ତୋଷ କୁମାର ଏ ସମ୍ବନ୍ଧରେ ଏକ ଆଲେଖ୍ୟ ‘ଆଷ୍ଟ୍ରୋଫିଜିକ୍ସ୍ ଆଣ୍ଡ୍ ସ୍ପେସ୍ ସାଇନ୍ସ୍’ରେ ପ୍ରକାଶ କଲେ। ସେମାନେ ଅନୁମାନ କରିଥିଲେ ସମ୍ଭବତଃ ଏ ବର୍ଷା ବାହ୍ୟଜାଗତିକ ସୃଷ୍ଟି। ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ଗୋଟାଏ କ୍ଷୁଦ୍ର ଉଲ୍କା ଅଥବା ଧୂମକେତୁର କିଛି ଅଂଶ ପଶିଥିବାରୁ ଏପରି ହୋଇଛି।
ଗଡ୍ଫ୍ରି ଲୁଇ ଉକ୍ତ ବର୍ଷାକୁ ଅଣୁବୀକ୍ଷଣ ଯନ୍ତ୍ରରେ ବିଶ୍ଳେଷଣ କରି ଦେଖିଲେ ତାହା ମନୁଷ୍ୟ ରକ୍ତ ଭଳି ବାଦାମୀ ରଙ୍ଗର ଓ ରକ୍ତକୋଷିକା ଭଳି ରେଣୁ ସଦୃଶ। ପୁଣି ତାହାକୁ ଏନର୍ଜି-ଡିସ୍ପର୍ସିଭ୍ ଏକ୍ସ-ରେ ଆନାଲାଇଜର୍ରେ ବିଶ୍ଳେଷଣ କରିବାରୁ ଜଣାପଡ଼ିଲା ମୁଖ୍ୟତଃ ଅଙ୍ଗାରକ ଓ ଅମ୍ଳଜାନରେ ଉକ୍ତ କୋଷିକାଗୁଡ଼ିକ ଗଠିତ। ଘଟଣା ରହସ୍ୟମୟ ହେବାରୁ ସେଥିରେ ଡିଏନ୍ଏ ଅଛି କି ନାହିଁ ଜାଣିବାକୁ ଲୁଇ ତାହାକୁ ଏଥିଡିୟମ୍ ବ୍ରୋମାଇଡ୍ରେ ଘଷି ଦେଖିଲେ, କିନ୍ତୁ ଡିଏନ୍ଏ ନ ଥିଲା।
ଶ୍ରୀଲଙ୍କାସ୍ଥିତ ପରୀକ୍ଷାଗାର ‘ଷ୍ଟିନ୍ଟେକ୍’ରେ ଥିବା ଗବେଷକମାନେ ବି ଦେଖିଲେ ଯେ, ‘ଡିଏନ୍ଏ’ ବିନା ଏ ବୀଜାଣୁ କୋଷିକା ସବୁ ବହୁଗୁଣିତ ହେଉଛନ୍ତି; ପୁଣି ୫୭୨ ଡିଗ୍ରି ଫାରେନ୍ ହିଟ୍ରୁ ଅଧିକ ତାପମାତ୍ରାରେ! ଏତେ ତାପମାତ୍ରାରେ ଅନ୍ୟାନ୍ୟ ଜୀବମାନେ ପୋଡ଼ିଯିବେ ନିଶ୍ଚୟ! କିନ୍ତୁ, ଡିଏନ୍ଏ ବିନା ଏହା ବହୁଗୁଣିତ ହେଉଛି କେମିତି? ଏହା ନିତାନ୍ତ ଅଯୌକ୍ତିକ କଥା।
ସେମାନେ ଆହୁରି ମଧ୍ୟ କହିଛନ୍ତି, ବାହ୍ୟ-ଜାଗତିକ ଜୀବବିଜ୍ଞାନ ଏହି ଲାଲ୍ବର୍ଷା ପାଇଁ ଦାୟୀ। କେରଳ ଉପରେ ବିସ୍ଫାରିତ ଏହି ଉଲ୍କାରେ ଆଗରୁ ଏହି ବୀଜାଣୁ ସବୁ ଥିଲେ। କିନ୍ତୁ, ଉଲ୍କାରେ ଥିବା ସେହି ଏକ ରକମର ବୀଜାଣୁ ସବୁ ୧୮୯୬ରୁ ୨୦୧୨ ପର୍ଯ୍ୟନ୍ତ କେରଳର କେବଳ ସେଇ ନିର୍ଦ୍ଦିଷ୍ଟ ଅଞ୍ଚଳରେ କେମିତି ପଡ଼ିଲା ତାହା ବି ଏ ତତ୍ତ୍ବରୁ ବୁଝି ହେଉନାହିଁ।
ଜାଗତିକ ନା, ବାହ୍ୟ ଜାଗତିକ!
ନମୁନା ଗ୍ରହାଣୁରୁ, ଗ୍ରହରୁ ଅଥବା ଚନ୍ଦ୍ରରୁ ଆସିଛି କି, ନାହିଁ ଜାଣିବାକୁ ଉଲ୍କା କଣିକା ଅଧ୍ୟୟନ କରୁଥିବା ଗବେଷକମାନେ ସଦାସର୍ବଦା ‘ଆଇସୋଟପିକ୍’ ବିଶ୍ଳେଷଣ କରନ୍ତି। କର୍ଣ୍ଣେଲ୍ ବିଶ୍ବବିଦ୍ୟାଳୟର ନ୍ୟୁଟ୍ରିନ୍ୟାସ୍ନାଲ୍ ସାଇନ୍ସେସ୍ ବିଭାଗର ଜେ. ଟୋମାସ୍ ବ୍ରିନାଙ୍କ ନିକଟକୁ ଗଡ୍ଫ୍ରି ଲୁଇ ଦୁଇଟି ୧୫ ମିଲି ଲିଟର୍ ନମୁନା ପଠାଇଲେ। ସେ ମଧ୍ୟ ଏହାକୁ ଏକ୍ସ୍-ରେ, ଏଲିମେଣ୍ଟାଲ୍ ଆନାଲାଇଜର୍ ଓ ସ୍ପେକ୍ଟ୍ରୋମିଟର୍ ଯୋଗେ ବିଶ୍ଳେଷଣ କଲେ। ସେ ଦେଖିଲେ- ଶୁଖିଯିବା କ୍ଷଣି ଲାଲ୍କଣିକା ସବୁ ଭାଙ୍ଗିଯାଉଛି। ତା’ ଅର୍ଥ ସେଥିରେ ତରଳ ପଦାର୍ଥ ଭରି ରହିଥିଲା। ଏଥିରେ ଥିବା ନାଇଟ୍ରୋଜେନ୍ରୁ ଜଣାପଡ଼ିଲା ଯେ ଏହା ଜାଗତିକ, ବାହ୍ୟ ଜାଗତିକ ନୁହେଁ। ସେ ଯାହା ହେଉ ନା କାହିଁକି, ସବୁ ବେଳେ କେରଳରେ ରକ୍ତ ବର୍ଷl ହେଉନାହିଁ କାହିଁକି? ଏକାଥରକେ ଏତେଗୁଡ଼ିଏ ବୀଜାଣୁ ପବନରେ ଉଡ଼ିଲେ ବା କେମିତି? ଏହା ବାହ୍ୟଜାଗତିକ ନୁହେଁ ବୋଲି ବ୍ରିନା ଯାହା କହୁଛନ୍ତି, ଲୁଇ ତାହା ଗ୍ରହଣ କରିବାକୁ ଅନିଚ୍ଛୁକ।
Follow Us