ମା’ କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

Advertisment
ମା’ କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

Pregnancy, Birth and Baby

କରୋନାକୁ ନେଇ ଲୋକଙ୍କ ମନରେ ନାନା ଭୟ ବସା ବାନ୍ଧିଛି। ପ୍ରଥମ ଲହର୍‌ ଅପେକ୍ଷା ଦ୍ବିତୀୟ ଲହର୍‌ରେ ସଂକ୍ରମଣ ହାର ବିଶେଷ ମାତ୍ରାରେ ବୃଦ୍ଧି ପାଇଛି। ପ୍ରଥମ ଲହରରେ ଅଧିକାଂଶ ବୟସ୍କ ଓ ବୃଦ୍ଧ ବ୍ୟକ୍ତି ସଂକ୍ରମିତ ହେଉଥିବାବେଳେ ଦ୍ବିତୀୟ ଲହରରେ ଯୁବବର୍ଗ ଏବଂ ଶିଶୁମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଟିକାକରଣ। କରୋନା ପାଇଁ ଦିଆଯାଉଥିବା ଟିକାକୁ ନେଇ ଲୋକଙ୍କ ମଧ୍ୟରେ ନାନା ଦ୍ବନ୍ଦ୍ବ ରହିଛି। ଏଭଳି କିଛି ଦ୍ବନ୍ଦ୍ବକୁ ଦୂର କରିଛନ୍ତି ଡା. ବେଣୁଧର ପାଣ୍ଡେ। ଡା. ପାଣ୍ଡେଙ୍କ କହିବା ଅନୁସାରେ ଟିକା ନେବାରେ ମାସିକ ଋତୁସ୍ରାବର କୌଣସି ସମ୍ପର୍କ ନାହିଁ। ଋତୁସ୍ରାବ ସମୟରେ ମଧ୍ୟ ମହିଳାମାନେ ଟିକା ନେଇପାରିବେ। ଏହାର ପୂର୍ବରୁ ଓ ପରେ ମଧ୍ୟ ଟିକା ନେଇ ପାରିବେ। ଏଥିରେ କୌଣସି ଅସୁବିଧା ନାହିଁ।

ସେହିପରି କରୋନା ସଂକ୍ରମିତ ମା' ଶିଶୁକୁ କ୍ଷୀର ଦେଇପାରିବେ। ଏଥିରେ କୌଣସି ଅସୁବିଧା ନାହିଁ। କାରଣ ମା' କ୍ଷୀର ଶିଶୁ ପାଇଁ ଅମୃତ ସଦୃଶ। ଯାହାକି ନବଜାତ ଶିଶୁ ପାଇଁ ନିହାତି ଆବଶ୍ୟକ। ଏହା ସହିତ ମା' କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଣୁ ମା' କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ନବଜାତ ଶିଶୁକୁ କ୍ଷୀର ଦେବା ପାଇଁ କୁହାଯାଉଛି। ଯଦି ଜଣେ ମହିଳା ଗର୍ଭବତୀ ଅଛନ୍ତି ଏବଂ ପ୍ରସବ ସମୟରେ ଯଦି ତାଙ୍କର ରିପୋର୍ଟ ପଜିଟିଭ୍‌ ଆସୁଛି, ଏହା ପରେ ବି ନବଜାତ ଶିଶୁକୁ ମା' ନିଜ ପାଖରେ ରଖି କ୍ଷୀର ଦେବାକୁ ପରାମର୍ଶ ଦିଆଯାଉଛି। ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ ମା'କୁ କରୋନା ହେଲେ ସୁଦ୍ଧା ଶିଶୁକୁ କରୋନା ହେଉନି। ଏଥିରୁ ସ୍ପଷ୍ଟ ହେଉଛି ଯେ ନବଜାତ ଶିଶୁମାନଙ୍କ ପ୍ରତିରୋଧକ ଶକ୍ତି ଅଧିକ। ଏବେ ବହୁତ କମ୍‌ ଶିଶୁଙ୍କ କ୍ଷେତ୍ରରେ ପଜିଟିଭ୍‌ ପରିଲକ୍ଷିତ ହେଉଛି। ଯେଉଁମାନେ ବି ପଜିଟିଭ୍‌ ହେଉଛନ୍ତି, ସେମାନଙ୍କର ସେଭଳି କିଛି ଖାସ୍‌ ଲକ୍ଷଣ ଦେଖାଯାଉ ନାହିଁ। ଏଣୁ ଶିଶୁମାନେ ଶୀଘ୍ର ଆରୋଗ୍ୟଲାଭ କରୁଛନ୍ତି।

କରୋନା ସମୟରେ ଯେଉଁ ଦମ୍ପତି ପିଲା ଜନ୍ମ ପାଇଁ ଯୋଜନା କରୁଛନ୍ତି ସେମାନଙ୍କର ସେଭଳି କୌଣସି ଅସୁବିଧା ହୋଇ ନାହିଁ। କାରଣ ପ୍ରଥମ ଲହର ସମୟରେ ଯେଉଁ ମହିଳା ମାତୃତ୍ବ ଲାଭ କରିଥିଲେ, ବର୍ତ୍ତମାନ ତାଙ୍କର ଶିଶୁ ସୁସ୍ଥ ସବଳ ରହିଛନ୍ତି। ସେହିପରି ମା' ମଧ୍ୟ ସୁସ୍ଥ ରହିଥିବା ଦେଖିବାକୁ ମିଳିଛି। ଏପରିକି ପଜିଟିଭ୍‌ ଥିବା ମା'-ଶିଶୁ ମଧ୍ୟ ସୁସ୍ଥ ରହିଛନ୍ତି। କିନ୍ତୁ ଯାହାର ଗୋଟିଏ ସନ୍ତାନ ଅଛି ଓ ସେମାନେ ଦ୍ବିତୀୟ ସନ୍ତାନ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ କରୋନା ମହାମାରୀ ଥମିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ। ମହିଳାମାନେ ଗର୍ଭବତୀ ଥିବା ସମୟରେ ଟିକା ନେବାକୁ ବିଶେଷଜ୍ଞମାନେ ମନା କରୁଛନ୍ତି। ଏଣୁ ଏହା ପାଳନ କରିବା ଦରକାର। କାରଣ ଏ ଦିଗରେ ଭାରତରେ ଅଧିକ ଗବେଷଣା ହୋଇନାହିଁ। ଏଥିପାଇଁ ଆହୁରି କିଛି ସମୟର ଆବଶ୍ୟକତା ରହିଛି। କିନ୍ତୁ ଅନ୍ୟ ଦେଶରେ ଗର୍ଭବତୀ ଥିବା ସମୟରେ ମଧ୍ୟ ଟିକା ଦିଆଯାଉଛି। ହେଲେ ଭାରତରେ ବର୍ତ୍ତମାନ ସୁଦ୍ଧା ଏହାକୁ ଗ୍ରହଣ କରାଯାଇ ନାହିଁ।
ଡାକ୍ତର ବେଣୁଧର ପାଣ୍ଡେ
ଆସୋସିଏଟ୍‌ ପ୍ରଫେସର୍‌, ଭିମ୍‌ସାର୍‌, ବୁର୍ଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe