କଟକ: ଏଣିକି ଓଡ଼ିଶା କ୍ରାଇମବ୍ରାଞ୍ଚ ପୁଲିସ ଆପରାଧିକ ମାମଲାରେ ନିୟୋଜିତ କରୁଥିବା ସନ୍ଧାନୀ କୁକୁରଙ୍କୁ ଆଉ ରାଜ୍ୟ ବାହାରୁ ଆଣିବ ନାହିଁ। କଟକରେ ନିଜସ୍ବ ପ୍ରଜନନ କେନ୍ଦ୍ର ମାଧ୍ୟମରେ କୁକୁର ଛୁଆ ଜନ୍ମ ପାଇଁ ଏକ ପ୍ରଜନନ କେନ୍ଦ୍ର ଖୋଲିବାକୁ ଯାଉଛି। ଏହା ସହିତ ଏହି କେନ୍ଦ୍ରରେ ତାଲିମ ମଧ୍ୟ ପ୍ରଦାନ କରାଯିବ। ରାଜ୍ୟ ବାହାରକୁ ଆଉ ତାଲିମ ପାଇଁ କୁକୁରଙ୍କୁ ବି ପଠାଯିବ ନାହିଁ। କଟକରେ ହିଁ କୁକୁର ଛୁଆଙ୍କୁ ତାଲିମ ପ୍ରଦାନ କରାଯିବ। ଏ ନେଇ ଓଡ଼ିଶା ପୁଲିସର ପ୍ରକ୍ରିୟା ଆରମ୍ଭ ହୋଇଛି।
କୁକୁରଙ୍କୁ ତାଲିମ ଦେବେ କ୍ରାଇମବ୍ରାଞ୍ଚ୍ର ୫୯ ଟ୍ରେନର୍
ବେଲଜିୟମ୍ ମାଲେନିୟସ୍, ମୁଧୋଲ୍ ହାଉଣ୍ଡ ପ୍ରଜାତିକୁ ପ୍ରୋତ୍ସାହନ
ସୂଚନା ଅନୁଯାୟୀ, ୧୯୬୧ରେ କ୍ରାଇମବ୍ରାଞ୍ଚରେ ଦୁଇଟି କୁକୁରରୁ ଓଡ଼ିଶା ପୁଲିସରେ ସନ୍ଧାନୀ କୁକୁର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏବେ ଏହି ସଂଖ୍ୟା ୫୧ରେ ପହଞ୍ଚିଲାଣି। ବେଲଜିୟମ୍ ମାଲେନିୟସ୍ ପ୍ରଜାତିର ୨୭ଟି, ଜର୍ମାନ୍ ସେଫର୍ଡ ୧୨ଟି, ଲାବ୍ରାଡର୍ ୬ଟି, ରଟଉଇଲର୍ ୨ଟି, ଡୋଗରମ୍ୟାନ୍ ଗୋଟିଏ, ମୁଧୋଲ୍ ହାଉଣ୍ଡ ୩ଟି ପର୍ଯ୍ୟାୟକ୍ରମେ ସାମିଲ ହେଲେଣି। ରାଜ୍ୟର ୩୪ ପୁଲିସ ଜିଲ୍ଲାରେ ଏହି ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଛି। ତେବେ ଏହି ସନ୍ଧାନୀ କୁକୁର ଛୁଆଙ୍କୁ ଆମଦାନି ଓ ତାଲିମ ପ୍ରଦାନ ପାଇଁ କ୍ରାଇମବ୍ରାଞ୍ଚ ରାଜ୍ୟ ବାହାରେ ଥିବା ମଧ୍ୟପ୍ରଦେଶ ବିଏସ୍ଏଫର ନ୍ୟାସନାଲ୍ ଟ୍ରେନିଂ ସେଣ୍ଟର ଫର୍ ଡଗ୍, ହରିୟାଣା ପଞ୍ଚକୁଲାର ନ୍ୟାସନାଲ୍ ଟ୍ରେନିଂ ସେଣ୍ଟର୍ ଫର୍ ଡଗ୍, ରାଜସ୍ଥାନର ସଶସ୍ତ୍ର ସୀମା ବଳର ଡଗ୍ ଟ୍ରେନିଂ ଆଣ୍ଡ ବ୍ରିଡିଂ ସେଣ୍ଟର, କର୍ଣ୍ଣାଟକର ସିଆରପିଏଫ୍ ଡଗ୍ ବ୍ରିଡିଂ ଆଣ୍ଡ ଟ୍ରେନିଂ ସ୍କୁଲ ଉପରେ ନିର୍ଭର କରାଯାଉଛି।
କୁକୁର ଆମଦାନୀ ଖର୍ଚ୍ଚ ସହିତ ଓଡ଼ିଶାକୁ ଆଣିବା ଓ ପୁଣି ତାଲିମ ପାଇଁ ଉକ୍ତ କେନ୍ଦ୍ରକୁ ନେବାରେ ଲୋକବଳ ଓ ଅର୍ଥ ବଳ ଅଧିକ ହୋଇଯାଉଛି। ସେଥିପାଇଁ କ୍ରାଇମବ୍ରାଞ୍ଚ ନିଜସ୍ବ ପ୍ରଜନନ କେନ୍ଦ୍ର ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟରେ ଏବେ କ୍ରାଇମବ୍ରାଞ୍ଚର କେ-୯ ସ୍କ୍ବାଡ୍ ଅଧୀନରେ ୫୯ ଜଣ ପୁଲିସ କର୍ମଚାରୀ କୁକୁର ଟ୍ରେନର ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଜନନ କେନ୍ଦ୍ର ଆରମ୍ଭ ହେବା ପରେ ଏହି ଟ୍ରେନରମାନେ କଟକରେ ହିଁ ଅନ୍ୟ ପୁଲିସ କର୍ମଚାରୀଙ୍କୁ ତାଲିମ ଦେବେ। ମୁଖ୍ୟତଃ ବେଲଜିୟମ୍ ମାଲେନିୟସ୍ ଓ ମୁଧୋଲ ହାଉଣ୍ଡ ପ୍ରଜାତିର କୁକୁର ପ୍ରଜନନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ମୁଧୋଲ ହାଉଣ୍ଡ ଭଳି ଦେଶୀ କୁକୁର ନିୟୋଜିତ କରାଯାଉଥିବା ବେଳେ ଏହି ପ୍ରଜାତିର କୁକୁର ରାଜ୍ୟ ପୁଲିସ ଓ ସୁରକ୍ଷା ବଳ ନିୟୋଜିତ କରିବାକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି।
Follow Us