ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲାଞ୍ଚ ଅଭିେଯାଗ ଅଣାଯିବା ପରେ ଏହି ତଦନ୍ତକାରୀ ଏଜେନ୍ସି ମଧ୍ୟରେ ଅନ୍ତଃକନ୍ଦଳ ରହିଥିବା ସ୍ପଷ୍ଟ ହୋଇଯାଇଛି। ଗୋଟିଏ ପଟେ ଅସ୍ଥାନା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କ୍ୟାବିନେଟ୍ ସଚିବଙ୍କ ନିକଟରେ ଫେରାଦ ହେବା ପରେ ଏବେ ଅସ୍ଥାନାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ତେବେ ସିବିଆଇର ଏହି ଦୁଇ ଶ୍ରେଷ୍ଠ ପଦବିଧାରୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ନେଇ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ଟ୍ବିଟ୍ କରି ରାହୁଲ କହିଛନ୍ତି, ସିବିଆଇ ଏବେ ନିରର୍ଥକ ପାଲଟିଯାଇଛି। ଏହା କେବଳ ଏକ ରାଜନୈତିକ ପ୍ରତିଶୋଧର ଅସ୍ତ୍ର ସାଜିଛି। ରାହୁଲ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆଖିର ତାରା ସାଜିଥିବା ଗୁଜରାଟ କ୍ୟାଡର ଅଧିକାରୀ, ଗୋଧ୍ରା ଏସ୍ଆଇଟି ସଦସ୍ୟ ସିବିଆଇରେ ଦୁଇନମ୍ବର ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଏବେ ତାଙ୍କ ବିରୋଧରେ ୩ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ହୋଇଛି। ମୋଦୀଙ୍କ ଅମଳରେ ସିବିଆଇ ଏବେ ଅନ୍ୟର ସମସ୍ୟା ସମାଧାନ କରିବା ବଦଳରେ ନିଜ ମଧ୍ୟରେ ଥିବା କନ୍ଦଳ ସହ ଯୁଝିବାରେ ଲାଗିଛି ବୋଲି ରାହୁଲ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ବିଜେପି ସାଂସଦ ମୀନାକ୍ଷୀ ଲେଖି କହିଛନ୍ତି, ସିବିଆଇ ଉପରେ ଜନତାଙ୍କୁ ଭରସା ରଖିବାକୁ ପଡ଼ିବ। ସରକାର ସିବିଆଇ ଲାଞ୍ଚ ମାମଲାରେ ନିଜ ପକ୍ଷ ନିଶ୍ଚିତ ରଖିବେ।
ପ୍ରତିଶୋଧର ଅସ୍ତ୍ର ସାଜିଛି ସିବିଆଇ
Advertisment
Follow Us