ପର୍ବପର୍ବାଣି ଆସିଲେ ଆମେ ଘରେ ସ୍ବାଦିଷ୍ଠ ଭୋଜନ ପ୍ରସ୍ତୁତ କରି ଖାଇବା ଓ ବନ୍ଧୁବର୍ଗଙ୍କୁ ଖୁଆଇବାରେ ଆନନ୍ଦ ପାଉ। ଯଦିଓ ଆଜିକାଲି ଆମେ କିଣା ଖାଦ୍ୟ ଉପରେ ବହୁ ଭାବେ ନିର୍ଭରଶୀଳ ହୋଇପଡ଼ିଛେ, କିନ୍ତୁ ଘରତିଆରି ବ୍ୟଞ୍ଜନର ସ୍ବାଦ ନିଆରା। ଆଗକୁ କାଳୀପୂଜା ଓ ଦୀପାବଳି। ଘରକୁ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବ ଆସିଲେ ଆପଣ ନିହାତି ସେମାନଙ୍କ ମୁହଁ ମିଠା ତ କରାଇବେ! ଏଥର ଘରେ ଏକ ନୂଆ ପ୍ରକାରର ମିଠା ତିଆରି କରନ୍ତୁ, ଯାହା ପାଟିକୁ ନରମ ଏବଂ ଜିଭକୁ ମଧୁର। ଆସନ୍ତୁ, ଭୁବନେଶ୍ବରସ୍ଥିତ ହୋଟେଲ୍ ଏକ୍ସିଲେନ୍ସିର ସେଫ୍ ହିମାଂଶୁ ମହାନ୍ତିଙ୍କ ଠାରୁ ଶିଖିବା କେମିତି ତିଆରି ହେବ ‘ପନିର ଲଡୁ’। ଯଦିଓ ଇଣ୍ଡିଆନ୍, ଚାଇନିଜ୍ ଓ କଣ୍ଟିନେଣ୍ଟାଲ୍ ଆଦି ସବୁ ଧରଣର ଭୋଜନ ପ୍ରସ୍ତୁତିରେ ବିଚକ୍ଷଣ, କିନ୍ତୁ ଉତ୍ସବ ସମୟର ମିଠା ପ୍ରସ୍ତୁତିରେ ହିମାଂଶୁ ସିଦ୍ଧହସ୍ତ। ମାତ୍ର ୧୦ରୁ ୧୫ ମିନିଟ୍ ମଧ୍ୟରେ ପ୍ରସ୍ତୁତ ହୋଇପାରୁଥିବା ପନିର ଲଡୁର ପ୍ରସ୍ତୁତି ପ୍ରଣାଳୀ ସେ ନିମ୍ନରେ ବର୍ଣ୍ଣନା କରିଛନ୍ତି।
l ପ୍ରଥମେ ୨୫୦ ଗ୍ରାମ୍ ପନିର ନେବେ।
l ଏହାକୁ ଗ୍ରାଟର୍ ସାହାଯ୍ୟରେ ଗ୍ରାଟ୍ କରିନେବେ। (ନଡ଼ିଆ କୋରା ଭଳି କରିବାକୁ ହେବ)
l ଏକ ଫ୍ରାଇଂ ପ୍ୟାନ୍ ନେଇ ସେଥିରେ ଦୁଇ ଚାମଚ ଘିଅ ପକାଇବେ।
l ଘିଅ ଗରମ ହେଲା ପରେ ସେଥିରେ ପନିର କୋରାକୁ ଅଳ୍ପ ସମୟ ପାଇଁ ଭାଜିନେବେ।
l ଏହାପରେ ସେଥିରେ ଅଧ ଲିଟର୍ କ୍ଷୀର ଓ ୧୦୦ ଗ୍ରାମ୍ ଚିନି ପକାଇ କିଛି ସମୟ ଛାଡ଼ିଦେବେ।
l ଏହା ସିଝି ୮୦ ପ୍ରତିଶତ ମରିଗଲା ପରେ ସେଥିରେ ଅଳ୍ପ ମିଲ୍ସ ପାଉଡର୍ ପକାଇଦେବେ।
l ଗ୍ୟାସ୍ରୁ ଓହ୍ଲାଇ ଏହି ବାଇଡିଂ (ମିଶ୍ରଣ)କୁ ଶୁଖିବା ପାଇଁ ଛାଡ଼ିଦେବେ ଏବଂ ଏହାପରେ ମନମୁତାବକ ଆକୃତିର ଲଡୁ ପ୍ରସ୍ତୁତ କରିବେ।
l ଶେଷରେ ଏଥିରେ ଡ୍ରାଏଫ୍ରୁଟ୍ ପକାଇ ସଜାଇପାରିବେ। ଆବଶ୍ୟକସ୍ଥଳେ ଏହାକୁ ସୁଗନ୍ଧଯୁକ୍ତ ବି କରାଯାଇପାରେ।
ଏବେ ପ୍ରସ୍ତୁତ ହୋଇଗଲା ପନିର ଲଡୁ। ଦୀପାବଳିରେ ଏହି ନୂଆ ମିଷ୍ଟାନ୍ନର ଆନନ୍ଦ ନିଜେ ନିଅନ୍ତୁ ଏବଂ ଘରକୁ ଆସୁଥିବା ଅତିଥିଙ୍କୁ ଦିଅନ୍ତୁ।
Follow Us