ଚଳନ୍ତିକା: କମାଲ୍‌ କଲେ କୋରାପୁଟ ଝିଅ

ବୟସ କମ୍‌, କିନ୍ତୁ ସଫଳତା ଉଲ୍ଲେଖନୀୟ। କୋରାପୁଟ ଜିଲ୍ଲାର ବୈପାରିଗୁଡ଼ାର ଝିଅ ହର୍ଷିତା ଅନ୍ତର୍ଜାତୀୟସ୍ତରରେ ସଫଳତା ଅର୍ଜନ କରିଛନ୍ତି। ଜୟପୁରର ଏକ ଘରୋଇ ସ୍କୁଲ୍‌ରେ ନବମଶ୍ରେଣୀରେ ପଢୁଥିବା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଦେଶୀ ବିହନ ସଂଗ୍ରହ କରି ସୃ‌ଷ୍ଟି କରିଛନ୍ତି ନିଆରା....

New Project (1)

Photograph: (Sambad.in)

ବୟସ କମ୍‌, କିନ୍ତୁ ସଫଳତା ଉଲ୍ଲେଖନୀୟ। କୋରାପୁଟ ଜିଲ୍ଲାର ବୈପାରିଗୁଡ଼ାର ଝିଅ ହର୍ଷିତା ଅନ୍ତର୍ଜାତୀୟସ୍ତରରେ ସଫଳତା ଅର୍ଜନ କରିଛନ୍ତି। ଜୟପୁରର ଏକ ଘରୋଇ ସ୍କୁଲ୍‌ରେ ନବମଶ୍ରେଣୀରେ ପଢୁଥିବା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଦେଶୀ ବିହନ ସଂଗ୍ରହ କରି ସୃ‌ଷ୍ଟି କରିଛନ୍ତି ନିଆରା ଉଦାହରଣ। ଅାମେରିକାର ସାନ୍‌ଫ୍ରାନସିସ୍‌କୋସ୍ଥିତ ପରିବେଶ ସୁରକ୍ଷା ଅନୁଷ୍ଠାନ ‘ଆକ୍ସନ୍ ଫର୍‌ ନେଚର୍’ ପକ୍ଷରୁ ଅଗଷ୍ଟ ୧୧ରେ ‘ୟଙ୍ଗ୍‌ ଇକୋ-ହିରୋ’ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି। ୪୩ଟି ଦେଶର ୪୫୭ ଜଣ ପ୍ରତିଯୋଗୀଙ୍କ କାର୍ଯ୍ୟଧାରାର ଅନୁଧ୍ୟାନ କରିବା ପରେ ଅନୁଷ୍ଠାନ ୧୪ ବର୍ଷରୁ କମ୍ ବୟସ ବର୍ଗରେ ହର୍ଷିତାଙ୍କୁ ଦ୍ବିତୀୟ ପୁରସ୍କାର ଦେଇଛି। ପୁରସ୍କାର ବାବଦକୁ ତାଙ୍କୁ ୪୦୦ ଆମେରିକୀୟ ଡଲାର୍‌ ଓ ମାନପତ୍ର ବି ମିଳିଛି। ଜୈବ ବିବିଧତା ବଜାୟ ରଖିବା ସହ ପାରମ୍ପରିକ ଦେଶୀ ବିହନ ସଂରକ୍ଷଣ ଓ ବିସ୍ମୃତ ଖାଦ୍ୟ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ହର୍ଷିତାଙ୍କୁ ଏହି ସ୍ବୀକୃତି ମିଳିଛି।

ନିଜ କାର୍ଯ୍ୟଧାରା ସଂପର୍କରେ ହର୍ଷିତା କହନ୍ତି, “ଦିନଥିଲା ମୋ ଜନ୍ମମାଟିରେ ୨୦୦୦ରୁ ଊର୍ଦ୍ଧ୍ବ କିସମର ପାରମ୍ପରିକ ଦେଶୀ ଧାନ, ଅନେକ ପ୍ରକାରର ମାଣ୍ଡିଆ, ବାଜରା ଓ ପନିପରିବା ବିହନ ବା ମଞ୍ଜି ସହଜରେ ମିଳୁଥିଲା। ଏସବୁ ବିହନ ସ୍ଥାନୀୟ ଜଳବାୟୁ ସହିତ ଖାପଖୁଆଇ ଭଲ ଫଳ ଦେଇ ଚାଷୀଙ୍କୁ ଲାଭବାନ୍‌ କରୁଥିଲା। ପୁଣି ଅନେକ ବିହନର ମରୁଡ଼ି ପରିସ୍ଥିତି ସହିବାର କ୍ଷମତା ବି ଥିଲା। କିନ୍ତୁ କ୍ରମେ ଅନେକ ପ୍ରଜାତିର ‘ହାଇବ୍ରିଡ୍‌’ ବିହନ ଓ ମଞ୍ଜି ଆସି ଆମର ଚାଷକୁ ଉଜାଡ଼ି ଦେଇ ଚାଷୀଙ୍କୁ ଦେବାଳିଆ କରିଦେଲା। ଅଧିକ ଅମଳର ଲୋଭ ଦେଖାଇ ଅନେକ କମ୍ପାନି ଚାଷୀଙ୍କୁ ହାଇବ୍ରିଡ୍ ବିହନ ବ୍ୟବହାର କରି ଅଧିକ ଲାଭର ପ୍ରଲୋଭନ ଦେଲେ। ହାଇବ୍ରିଡ୍‌ ବିହନ ବ୍ୟବହାର ଲାଗି ପ୍ରବର୍ତ୍ତାଇଲେ। ଫଳରେ ଧୀରେ ଧୀରେ ଦେଶୀ ବିହନ ଓ ମଞ୍ଜିର ବ୍ୟବହାର ହ୍ରାସ ହେବାକୁ ଲାଗିଲା। ଏହା ଆମ ଅଞ୍ଚଳରେ ଏକ ବଡ଼ ବିପଦ ହୋଇ ଉଭାହେଲା। ମାତ୍ର ‘ହାଇବ୍ରିଡ୍‌’ ବିହନ ଆମ ସ୍ଥାନୀୟ ପାଣିପାଗରେ ତିଷ୍ଠି ପାରିଲା ନାହିଁ। ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ହେଉଥିବାରୁ ଆମ ଦେଶୀ ବିହନ ହିଁ ଚାଷୀଙ୍କ ପାଇଁ ଏକମାତ୍ର ବିକଳ୍ପ। ଏହାକୁ ଦୃଷ୍ଟିରେ ରଖି ପଦ୍ମଶ୍ରୀ କମଳା ପୂଜାରୀ ଦେଶୀ ବିହନର ସଂରକ୍ଷଣ ଆରମ୍ଭ କରିଥିଲେ। ସେ ୧୦୦ ପ୍ରକାରର ଦେଶୀ ପ୍ରଜାତିର ଧାନ ବିହନ ସଂରକ୍ଷଣ କରିବା ସହ ନିଜେ ସେଥିରେ ଚାଷ କଲେ। ଏହା ମୋତେ ଖୁବ ପ୍ରଭାବିତ କଲା। ମୁଁ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦେଶୀ ବିହନ ବ୍ୟାଙ୍କ୍‌ ପ୍ରତିଷ୍ଠା ପାଇଁ କାର୍ଯ୍ୟ ଆରମ୍ଭ କଲି। ବର୍ତ୍ତମାନ ମୋ ଦେଶୀ ବିହନ ବ୍ୟାଙ୍କ୍‌ରେ ୧୮୦ ପ୍ରକାରର ଧାନ, ୬୦ ପ୍ରଜାତିର ମାଣ୍ଡିଆ ଓ ୬ ପ୍ରକାରର ସୁଆଁ ସଂଗୃହୀତ ହୋଇଛି। ଆହୁରି ଅନେକ କିସମର ଦେଶୀ ବିହନ ସଂଗ୍ରହ ମୁଁ ଜାରି ରଖିଛି। ଏଥିସହିତ ସ୍ଥାନୀୟ ଦେଶୀ ବାଇଗଣ, ବିଲାତି ଓ ଶିମ୍ବ ମଞ୍ଜି ସଂଗ୍ରହ କରୁଛି। ଲୋପ ପାଇଯାଉଥିବା କେତେକ ସ୍ଥାନୀୟ ବିହନକୁ ମଧ୍ୟ ମୁଁ ସଂରକ୍ଷିତ ରଖିଛି।’’

ହର୍ଷିତା କେବଳ ବିହନ ସଂଗ୍ରହରେ ନିଜକୁ ସୀମିତ କରିନାହାନ୍ତି। ବିହନ ଭଣ୍ଡାରକୁ ମଧ୍ୟ ବର୍ଷକୁ ବର୍ଷ ବଢ଼ାଇ ଚାଲିଛନ୍ତି। ସେ ଚାଷୀମାନଙ୍କୁ ପ୍ରତିବର୍ଷ ୨ କିଲୋ ବିହନ ମାଗଣାରେ ଦେଉଛନ୍ତି ଓ ଫସଲ ବାହାରିବା ପରେ ସେମାନଙ୍କ ଠାରୁ ୪ କିଲୋ ନେଉଛନ୍ତି। ଚଳିତବର୍ଷ ସେ ୧୮୬ ଜଣ ଚାଷୀଙ୍କୁ ବିହନ ପ୍ରଦାନ କରିଛନ୍ତି।  ୨୦୨୩ରେ ୨୦ଜଣ ଚାଷୀ ଓ ୨୦୨୪ରେ ୬୦ ଜଣ ଚାଷୀ ତାଙ୍କ ବିହନ ବ୍ୟାଙ୍କ୍‌ ଦ୍ୱାରା ଉପକୃତ ହୋଇଛନ୍ତି। ହର୍ଷିତା ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି ବୋଲି କହନ୍ତି ତାଙ୍କ ବାପା ହରେକୃଷ୍ଣ ମହାନ୍ତି। ୨୦୦୩ର ଜାତୀୟ ଯୁବ ପୁରସ୍କାର ବିଜେତା ଶ୍ରୀ ମହାନ୍ତି ପୁଣି କହନ୍ତି, ‘‘ଆକ୍ସନ୍ ଫର୍‌ ନେଚର୍ ପକ୍ଷରୁ ପ୍ରତିବର୍ଷ ପୁରସ୍କାର ଲାଗି ଆବେଦନ ଆହ୍ବାନ କରାଯାଇଥାଏ। ଚଳିତବର୍ଷ ହର୍ଷିତାଙ୍କ ସମେତ ୪୫୭ ଜଣ ଆବେଦନ କରିଥିଲେ। ଏହାପରେ ସଂସ୍ଥା ୪୦ ଜଣଙ୍କୁ ମନୋନୀତ କରିଥିଲା। ଏମାନଙ୍କ ଭିତରେ ସ୍ଥାନ ପାଇବା ପରେ ହର୍ଷିତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ବିଚାରକମଣ୍ଡଳୀ ତାଙ୍କ କାର୍ଯ୍ୟ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନୋତ୍ତର ସନ୍ତୋଷଜନକ ହେବା ପରେ ତାଙ୍କୁ ପୁରସ୍କାର ଲାଗି ଚୟନ କରାଯାଇଥିଲା।’’     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe