ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ବରୂପ ପଶ୍ଚିମ ଆଫ୍ରିକାରେ କୋକୋ ଉତ୍ପାଦନ ଭୀଷଣ ଭାବରେ ବାଧାପ୍ରାପ୍ତ ହୋଇଛି। ଚକୋଲେଟ୍ର ମୁଖ୍ୟ ଉପାଦାନ କୋକୋର ୭୦% ଉତ୍ପାଦାନ କରୁଥିବା ପଶ୍ଚିମ ଆଫ୍ରିକାର ଏଭଳି ସ୍ଥିତି ଯୋଗୁଁ ବିଶ୍ବରେ ଚକୋଲେଟ୍ ଯୋଗାଣ ପ୍ରତି ବିପଦ ସୃଷ୍ଟି ହୋଇଛି। ବିଗତ କିଛି ବର୍ଷ ହେଲା ଆଫ୍ରିକାର ପଶ୍ଚିମ ଭାଗରେ ଲଗାତାର ଉଚ୍ଚ ତାପମାତ୍ରା, ମରୁଡ଼ି, ଓ ଅପ୍ରତ୍ୟାଶିତ ବୃଷ୍ଟିପାତ ସେଠାକାର କୋକୋ ଉତ୍ପାଦନକୁ କମାଇଦେଇଛି। କୋକୋର ଅଭାବ ଯୋଗୁଁ ଏହାର ଦର ଆକାଶଛୁଆଁ ହେବା ସହ ଚକୋଲେଟ୍ର ମୂଲ୍ୟ ମଧ୍ୟ ବଢ଼ିଚାଲିଛି। ଏଭଳି ସ୍ଥିତି ଜାରି ରହିଲେ ଚକୋଲେଟ୍ ଗ୍ରାହକମାନଙ୍କ ଉପରେ ଅତିରିକ୍ତ ଚାପ ପଡ଼ିବା ସହ ଚକୋଲେଟ୍ ଶିଳ୍ପରେ ଉଲ୍ଲେଖନୀୟ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଗବେଷକମାନେ ଭବିଷ୍ୟବାଣୀ କରିଛନ୍ତି।
ବିଶେଷ କରି ଆଇଭରି କୋଷ୍ଟ୍, ଘାନା, କାମେରୁନ୍ ଓ ନାଇଜେରିଆ ଆଦି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ କୋଇଲା, ଜୀବାଶ୍ମ ତୈଳ ଓ ମିଥେନ୍ ଆଦି ବାଷ୍ପର ମାତ୍ରାଧିକ ଦହନ ଯୋଗୁଁ ତାପମାତ୍ରା ବୃଦ୍ଧି ସହ ଏଭଳି ସ୍ଥିତି ଉପୁଜିଛି। ସର୍ବାଧିକ କୋକୋ ଉତ୍ପାଦନକାରୀ ଦେଶ ଆଇଭରି କୋଷ୍ଟ ଓ ଘାନା ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି। ପଶ୍ଚିମ ଆଫ୍ରିକାର ୪୪ଟି କୋକୋ ଉତ୍ପାଦନ ଅଞ୍ଚଳର ଜଳବାୟୁ ସଂକ୍ରାନ୍ତ ତଥ୍ୟକୁ ବିଶ୍ଳେଷଣ କରି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ସେସବୁ ଅଞ୍ଚଳରେ ତାପମାତ୍ରା ୩୨ ଡିଗ୍ରି ସେଲସିଅସ ଉପରେ ରହୁଛି ଯାହା କୋକୋ ଉତ୍ପାଦନ ସ୍ତରଠାରୁ ଯଥେଷ୍ଟ ଅଧିକ। ଏକ ଦଶନ୍ଧି ହେଲା କୋକୋ ଫସଲ ଋତୁ (ଅକ୍ଟୋବରରୁ ମାର୍ଚ୍ଚ)ରେ ଆଇଭରି କୋଷ୍ଟ ଓ ଘାନାର ତାପମାତ୍ରା ୩୨ ଡିଗ୍ରି ସେଲସିଅସ ଉପରେ ରହି ଆସିଛି। ଏଥି ସହିତ ଗତବର୍ଷ ବିଶ୍ବ ସ୍ତରରେ ତାପମାତ୍ରା ବୃଦ୍ଧି ରେକର୍ଡ କରିଥିବା ବେଳେ ସଂପୃକ୍ତ କୋକୋ ଚାଷ ଅଞ୍ଚଳରେ ଅତି କମ୍ରେ ୪୨ ଦିନ ଧରି ତାପମାତ୍ରା ୩୨ ଡିଗ୍ରି ସେଲସିଅସ୍ ଠାରୁ ଉପରେ ରହିଥିଲା। ସୁତରାଂ କୋକୋ ଉତ୍ପାଦନରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇଛି।
Follow Us