Wikipedia
ରବିବାର (ଜୁଲାଇ ୩) ଭାରତୀୟ ଖ୍ରୀଷ୍ଟିଆନ୍ ଦିବସ। ହିନ୍ଦୀରେ ଏହାକୁ ଯୀଶୁ ଭକ୍ତି ଦିବସ ଓ ଇଂରାଜୀରେ ଏହାକୁ ଇଣ୍ଡିଆନ୍ ଖ୍ରୀଷ୍ଟିଆନ୍ ଡେ’ ବୋଲି କୁହାଯାଉଛି। ସାଧାରଣତଃ ଆମେ ଜାଣୁ ଯେ ଇଷ୍ଟ-ଇଣ୍ଡିଆ କମ୍ପାନି ଶାସନ ଆରମ୍ଭ କରିବା ପରେ ଭାରତରେ ଖ୍ରୀଷ୍ଟଧର୍ମର ପ୍ରଚାରପ୍ରସାର ହୋଇଥିଲା। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ, ଯୀଶୁଙ୍କ ମୃତ୍ୟୁରୁ ପୁନରୁତ୍ଥାନ ଓ ସ୍ବର୍ଗାରୋହଣର ଅଳ୍ପ ବର୍ଷ ପରେ ଭାରତରେ ଖ୍ରୀଷ୍ଟଧର୍ମ ପ୍ରଚାରିତ ହୋଇଥିଲା। ସମଗ୍ର ଭାରତବର୍ଷ ନିମନ୍ତେ ଏହା ଈଶ୍ବରଙ୍କ ଏକ ମହାନ୍ ଅନୁଗ୍ରହ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଯୀଶୁଙ୍କ ଶିଷ୍ୟଙ୍କ ମଧ୍ୟରେ ଅନ୍ୟତମ ଥିଲେ ‘ଥୋମାସ୍’। ତାଙ୍କର ଅନ୍ୟ ନାମ ଥିଲା ‘ଦିଦୁମ’। ତାଙ୍କୁ ଅନେକ ‘ଅବିଶ୍ବାସୀ ଥୋମାସ୍’ ନାମରେ ଜାଣନ୍ତି। କାରଣ ସେ ପ୍ରତ୍ୟକ୍ଷ ପ୍ରମାଣ ଉପରେ ଅଧିକ ଭରସା କରୁଥିଲେ। ଯୀଶୁଙ୍କ ପୁନରୁତ୍ଥାନ ହେବା ପରେ ତାଙ୍କୁ ସଶରୀରେ ସ୍ବଚକ୍ଷୁରେ ଦେଖି ତାଙ୍କ ଶରୀର ସ୍ପର୍ଶ ନ କରିବା ଯାଏ, ସେ ଯୀଶୁଙ୍କ ପୁନରୁତ୍ଥାନରେ ବିଶ୍ବାସ କରିନଥିଲେ। ଏଣୁ ସେ ଯେଉଁ ପ୍ରତ୍ୟକ୍ଷ ପ୍ରମାଣ ଓ ପ୍ରତ୍ୟକ୍ଷ ଜ୍ଞାନ ଯୀଶୁଙ୍କ ବିଷୟରେ ପାଇଥିଲେ, ସେଗୁଡ଼ିକୁ ଅନ୍ୟମାନଙ୍କ ସମ୍ମୁଖରେ ନ କହି ସେ ରହିପାରିଲେ ନାହିଁ।
ମୂଳତଃ ଯୀଶୁଙ୍କ ସୁସମ୍ବାଦ ଯିହୁଦୀମାନଙ୍କ ନିକଟରେ ପ୍ରଚାରିତ ହୋଇଥିଲା। କିନ୍ତୁ ଥୋମାସ୍ ଅଣଯିହୁଦୀମାନଙ୍କ ନିକଟରେ ପ୍ରଚାର କରିବାକୁ ଆଗେଇ ଗଲେ। ଯୀଶୁଙ୍କ ସୁସମ୍ବାଦର ପ୍ରତ୍ୟକ୍ଷ ପ୍ରମାଣ ସେ ପାଇଥିବାରୁ ତାହାକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବାକୁ ସେ ଅତ୍ୟନ୍ତ ଉତ୍ସୁକ ହୋଇପଡ଼ିଥିଲେ। ଜଣେ ବଣିକଙ୍କ ସହ ଥୋମାସ୍ ତାଙ୍କର ପ୍ରଥମ ପ୍ରଚାରଯାତ୍ରାରେ ମେସୋପଟାମିଆ ଅଞ୍ଚଳରେ ରାଜତ୍ବ କରୁଥିବା ରାଜା ଗଣ୍ଡୋଫରେସ୍ଙ୍କ ରାଜଧାନୀ ତକ୍ଷଶୀଳା ପର୍ଯ୍ୟନ୍ତ ଆସିଥିଲେ। ଏହି ମେସୋପଟାମିଆ ଅଞ୍ଚଳ ଆଫଗାନିସ୍ତାନ ଓ ସିନ୍ଧୁ ପ୍ରଦେଶରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଏହାପରେ ଥୋମା ତାଙ୍କର ଦ୍ବିତୀୟ ପ୍ରଚାରଯାତ୍ରାରେ, ଦକ୍ଷିଣ ଭାରତର ରାଜ୍ୟ କେରଳରେ ପହଞ୍ଚିଥିଲେ। ସେହି ଅଞ୍ଚଳରୁ ଯୀଶୁଙ୍କ ସୁସମ୍ବାଦ ପ୍ରଚାର କରିଥିଲେ। ତେବେ ସେ ବାର୍ତ୍ତା ପ୍ରଚାର କରୁଥିବା ସମୟରେ ବର୍ତ୍ତମାନର ଚେନ୍ନାଇ ନିକଟବର୍ତ୍ତୀ ଅଞ୍ଚଳରେ ତାଙ୍କୁ ଜୁଲାଇ ୩ ତାରିଖରେ ହତ୍ୟା କରାଯାଇଥିଲା। ଈଶ୍ବରଙ୍କ ସେବା କାର୍ଯ୍ୟ କରୁଥିବା ସମୟରେ ଥୋମା ସହିଦ ହେବାର ଏହି ଦିବସକୁ ଆମେ ୨୦୨୧ ମସିହାରୁ ସାରା ଭାରତରେ ପାଳନ କରିଆସୁଛୁ।
-ତପନ କୁମାର ମହାନ୍ତି
Follow Us