Advertisment

ମଲା ମାଆର ପାଦ ଛୁଇଁ ଆଶୀର୍ବାଦ ନେଲା, କାନ୍ଦିକାନ୍ଦି ପରୀକ୍ଷା ଦେବାକୁ ଗଲା ପୁଅ

Advertisment
MOTHER DEAD IN EXAM DAY

Photograph: (Sambad.in)

ଚେନ୍ନାଇ: ମାଆ ମତେ ଆଶୀର୍ବାଦ କର ମାଆ, ମୁଁ ଯେମିତି ପରୀକ୍ଷାରେ ଭଲ କରେ । ତୋ ଶୁଭେଚ୍ଛା, ତୋ ମମତା, ତୋ ଅଭିନନ୍ଦନ ମୋ ପାଇଁ ବଡ ମାଆ ମୋ ପାଇଁ ସବୁକିଛି... ବଞ୍ଚିଥିଲେ ତୁ କେତେ କଣ କରି ଦେଇଥାନ୍ତୁ । ପରୀକ୍ଷାକୁ ଯିବା ଆଗରୁ ଆଗଣାରେ ଶୁଭ କଳସ ବସେଇ ଦେଇଥାନ୍ତୁ, ପେଟେ ଖାଇବାକୁ ଦେଇଥାନ୍ତୁ ଆଉ ମଥାରେ ଠାକୁରଙ୍କ ଚନ୍ଦନ ଲଗେଇ ଦେଇଥାନ୍ତୁ, ଗଲାବେଳେ ମୁହଁରେ ଟିକେ ମିଠା ଦହି ଖୁଆଇ ଦେଇ କହିଥାନ୍ତୁ ଯା... ଭଲରେ ଲେଖିକି ଆ, ଏଥର ତୋ ପରୀକ୍ଷା ଭଲ ହେବ... ହେଲେ ମୁଁ ଅଭାଗାଟା... ଜୀବନର ପ୍ରଥମ ଯୁକ୍ତ-୨ ପରୀକ୍ଷା ଆରମ୍ଭରୁ ହିଁ ତୋ ଅଭାବ ଅନୁଭବ କଲି । ନା ତୋ ସ୍ନେହ ବୋଳା ହାତରୁ ଖାଇ ପାଇଲି ନା ତୋ ଆଶିଷ ଭରା ହାତରୁ ବିଜୟ ହେବାର ଶୁଭେଚ୍ଛା ପାଇଲି... ମାଆ ତୋର କଣ ଏମିତି ସମୟରେ ଯିବାର ଥିଲା...? ମୁଁ ଯାଉଛି ମାଆ ତୋ ସ୍ବପ୍ନ ପୂରା କରିବାକୁ ମୁଁ ପରୀକ୍ଷା ଦେଇଆସେ, ଆସିଲେ ତୋ ଅନ୍ତିମ ସଂସ୍କାର କରିବି... ମତେ ଆଶୀର୍ବାଦ ଦେ ମାଆ... ମତେ ଆଶୀର୍ବାଦ ଦେ...’

ଓଃ କେଡେ ନିଷ୍ଠୁର ଏ ଶବ୍ଦସବୁ, କେତେ ହୃଦୟ ବିଦାରକ ଏ କାହାଣୀ, କେତେ ମର୍ମାହତ ଏ ମୁହୂର୍ତ୍ତ ସବୁ... ଏ ଦୁଃଖ କିଏ ବା ସହିପାରିବ କହିଲେ, ଏ ଯନ୍ତ୍ରଣାକୁ ଛାତିରେ ଚାପି କେଉଁ ପୁଅ ପରୀକ୍ଷାରେ ଭଲ ଲେଖିପାରିବ କହିଲେ । ପରୀକ୍ଷାର କେଇ ଘଣ୍ଟା ଆଗରୁ ମାଆ ମରିଯିବ ଆଉ ତା ମୃତଦେହର ପାଦ ଛୁଇଁ ପୁଅକୁ ପରୀକ୍ଷା ଦେବାକୁ ଯିବାକୁ ପଡିବ । ତାମିଲନାଡୁର ଏ ହୃଦୟବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି ।

ତାମିଲନାଡୁ ତିରୁନେଲଭେଲି ଜିଲ୍ଲାର ଭାଲିୟୁର ଅଞ୍ଚଳରେ ସୁନୀଲ କୁମାର । ଯିଏ ଏଥର ଯୁକ୍ତ-୨ ବୋର୍ଡ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ସରିଥିଲା, ହେଲେ ଦଇବ ଖେଳ ଖେଳିଦେଲା । ପରୀକ୍ଷା ପାଇଁ ଯିବା ଆଗରୁ ହିଁ ମାଆକୁ ଛଡାଇନେଲା । ଯୁକ୍ତ-୨ ବୋର୍ଡ ପରୀକ୍ଷା ପୂର୍ବରୁ ମାଆର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ସୁନୀଲ । 

୬ ବର୍ଷ ତଳେ ବାପାଙ୍କୁ ହରାଇଥିଲେ ଆଉ ଏବେ ମାଆଙ୍କୁ ହରାଇ ପୂରା ବାପାମାଆ ଛେଉଣ୍ଡ ହେଇଯାଇଥିବା ସୁନୀଲ କାନ୍ଦି କାନ୍ଦି ଗଡିଯାଉଥିଲେ । ମାତ୍ର ତାଙ୍କର ପରୀକ୍ଷା ଥିବାରୁ ସମ୍ପର୍କୀୟମାନେ ବୁଝାସୁଝା କରିଥିଲେ । ସୁନୀଲଙ୍କ ମାଆ ସ୍ବାମୀ ଗଲା ପରେ ପୁଅକୁ ଶିକ୍ଷିତ କରି ବଡ ମଣିଷ କରିବା ପାଇଁ ସବୁବେଳେ ସ୍ବପ୍ନ ଦେଖୁଥିଲେ । ମାଆର ଆକସ୍ମିତ ମୃତ୍ୟୁ ପରେ ପୁଅ ଆଖିର ଲୁହକୁ ପୋଛି ପରୀକ୍ଷା ଦେବାକୁ ବାହାରିଥିଲା । ମୃତ ମାଆର ପାଦଛୁଇଁ, ପାଦତଳେ ହଲ୍ ଟିକେଟ୍ ଛୁଆଁଇ ବତୁରା ହୃଦୟରେ ପରୀକ୍ଷା ହଲକୁ ଯାଇଥିଲେ ସୁନୀଲ । ଆଉ ପରୀକ୍ଷା ପରେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ପରୀକ୍ଷା ମାର୍ଚ୍ଚ ୨୫ ଯାଏଁ ଚାଲିବାକୁ ଥିବା ବେଳେ ପରୀକ୍ଷା ଆରମ୍ଭରୁ ହିଁ ନିଜ ମାଆର ପ୍ରାଣ ଚାଲିଯିବା ପିଲା ପାଇଁ ଏକ ବିରାଟବଡ କ୍ଷତି । ସତରେ ଏ କାହାଣୀ ସମସ୍ତଙ୍କୁ କନ୍ଦାଇ ଦେବ ନିଶ୍ଚିତ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe