ତୃତୀୟ ତରଙ୍ଗରେ ଶିଶୁଙ୍କୁ ନେଇ ଆଶଂକା

ତୃତୀୟ ତରଙ୍ଗରେ ଶିଶୁଙ୍କୁ ନେଇ ଆଶଂକା

Zee News

କରୋନାର ତୃତୀୟ ତରଙ୍ଗ ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବ। ଏଭଳି ଅଜଣା ଭୟ ଏବେ ସମସ୍ତଙ୍କୁ ଘାରିଛି। କିଛି ବିଶେଷଜ୍ଞଙ୍କ ଏଭଳି ପୂର୍ବାନୁମାନ ବା ଆଶଂକା ସମସ୍ତକୁ ଅଳ୍ପେବହୁତେ ଚିନ୍ତାରେ ପକାଇଛି। ଅନେକ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ବି ଅଛନ୍ତି। ତେବେ କଣ ପ୍ରକୃତରେ ତୃତୀୟ ତରଙ୍ଗ ଛୋଟ ପିଲାଙ୍କୁ କବଳିତ କରିବ? ଯଦି କରିବ କାହିଁକି? ଏହା ପଛର କାରଣ କଣ? ନଚେତ କାହିଁକି ଏଭଳି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି? ଏସବୁ ପ୍ରଶ୍ନ ବର୍ତ୍ତମାନ ସବୁ ମହଲରେ ବିତର୍କର ବିଷୟ ପାଲଟିଛି।

କରୋନା ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକେ ଭାବୁଥିଲେ ଯେ ଏହି ଭୂତାଣୁ ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରୁ ନାହିଁ। କିନ୍ତୁ ଏବେ ଅନେକ ବିଶେଷଜ୍ଞ ତୃତୀୟ ଲହର ପିଲାଙ୍କୁ ଅଧିକ ପ୍ରଭାବିତ କରିବ ବୋଲି କହିଛନ୍ତି। ମହାରାଷ୍ଟ୍ରର ଅହମ୍ମଦନଗରରେ କେବଳ ଗତ ମେ' ମାସରେ ୧୦ ହଜାରରୁ ଅଧିକ ୧୮ ବର୍ଷରୁ କମ୍‌ ଶିଶୁ ଓ କିଶୋର ସଂକ୍ରମିତ ହୋଇଥିବା ପରିସଂଖ୍ୟାନ ସାରା ଦେଶର ପିତାମାତାଙ୍କୁ ଚିନ୍ତିତ କରିଛି। ଏହାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ଭଳି ରାଜ୍ୟରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଗାମୀ ଦିନରେ ଶିଶୁ‌ ରୋଗୀଙ୍କ ଭିଡ଼ ସମ୍ଭାବନାକୁ ଆଖି ଆଗରେ ରଖି ମୁମ୍ବାଇ, ପୁନେ ଆଦି ସହରରେ ବିଭିନ୍ନ ଡାକ୍ତରଖାନା ଗୁଡ଼ିକରେ ଅଧିକ କ୍ଷମତା ବିଶିଷ୍ଟ ସ୍ବତନ୍ତ୍ର ଶିଶୁ ୱାର୍ଡ ନିର୍ମାଣ ଆରମ୍ଭ ହେଲାଣି। ସେଠାକାର ରାଜ୍ୟ ସରକାର ଓ ନଗରପାଳିକା ଗୁଡ଼ିକ ବି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତେବେ ଓଡ଼ିଶା ଭଳି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ପଦକ୍ଷେପ ଦେଖିବାକୁ ମିଳି ନାହିଁ।

କରୋନା କାଳରେ ଓଡ଼ିଶାରେ ସରକାରୀ ପ୍ରୟାସରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ଅଭିବୃଦ୍ଧି ହୋଇଥିଲେ ବି ଶିଶୁଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍ ହସ୍‌ପିଟାଲ୍‌ର ଆବଶ୍ୟକତା ଅଛି ନା ନାହିଁ, ତାହା ଏବେ ସମୀକ୍ଷାର ବିଷୟ। ଶିଶୁଙ୍କ ଉପରେ କରୋନା ପ୍ରଭାବର ଚର୍ଚ୍ଚା ଭିତରେ ଅନେକ ମତ ଏମିତି ବି ଆସିଛି ଯେଉଁଥିରେ ଏଭଳି ଆଲୋଚନାକୁ ଅତିଶୟୋକ୍ତି ଆଖ୍ୟା ଦିଆଯାଇଛି। ବିଶେଷ କରି ଅନେକ ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଏହି ବିଷୟରେ ଭିନ୍ନ ମତ ରଖିଛନ୍ତି। ଅନେକ ଡାକ୍ତରଙ୍କ କହିବା ହେଲା ଯଦି ତୃତୀୟ ତରଙ୍ଗରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବ, ତା‌'ହେଲେ ସେହି ଅନୁପାତରେ ଶିଶୁ ରୋଗୀଙ୍କ ସଂଖ୍ୟା ବି ବଢ଼ିବ। ଅନେକ ପ୍ରଶାସକ ଓ ଡାକ୍ତରଖାନା ଏଭଳି ବିଚଳିତ କଲା ଭଳି ପ୍ରଚାରକୁ ପ୍ରୋତ୍ସାହିତ କରୁଥିବା ଜଣେ ଡାକ୍ତର ଅଭିଯୋଗ କରିଛନ୍ତି।

ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ (ଆଇଏପି)ର ମତ ଅନୁଯାୟୀ ତୃତୀୟ ତରଙ୍ଗ ଅଧିକ ପରିମାଣରେ ଶିଶୁ ମାନଙ୍କୁ ପ୍ରଭାବିତ କରିବା ଆଶଂକା କମ୍। ଯଦି କରୋନା ରୋଗୀଙ୍କ ସଂଖ୍ୟାରେ ଅହେତୁକ ବଢ଼ିବ, ତା‌'ହେଲେ ଶିଶୁ ରୋଗୀଙ୍କ ମାମଲା ବି ସେହି ଅନୁପାତରେ ବୃଦ୍ଧି ପାଇବ। ଆଉ ଜଣେ ଡାକ୍ତରଙ୍କ କହିବା ହେଲା କୋଭିଡ-୧୯ରେ ପିଲା ମାନଙ୍କ ସଂକ୍ରମିତ ହେବାର ଆଶଂକା ସେତିକି ରହିଛି ଯେତିକି ବୟସ୍କଙ୍କର। ଅନେକ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର କୋଭିଡ୍ ସଂକ୍ରମିତ ହେଉଥିଲେ ବି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳେ ନାହିଁ। ଏକ ପରିସଂଖ୍ୟାନ ଅନୁଯାୟୀ ମେ' ମାସ ସୁଦ୍ଧା ମୋଟ କରୋନା ସଂକ୍ରମଣର ୧୦ ଶତକଡ଼ା ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରଙ୍କର ବୋଲି ଜଣା ପଡ଼ିଛି। ଆଉ ଜଣେ ଡାକ୍ତରଙ୍କ ମତରେ ଅଧିକାଂଶ ପିଲାଙ୍କର ‌ଲକ୍ଷଣ ଥିବା କାରଣରୁ ନୁହେଁ, ବରଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କରୋନା ପରୀକ୍ଷା କରାଯାଏ। କୋଭିଡ୍ ସଂକ୍ରମିତ ପିଲାଙ୍କ ମଧ୍ୟରୁ ୯୯% ଘରେ ରହି ସୁସ୍ଥ ହୋଇଥାଆନ୍ତି। କ୍ବଚିତ୍ ପିଲାଙ୍କୁ କୋଭିଡ୍ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି।

ତେବେ କୋଭିଡ୍ ନୁହେଁ, କୋଭିଡ୍ ପରବର୍ତ୍ତୀ ଜଟିଳତା ହିଁ ପିଲାଙ୍କ ପାଇଁ ପ୍ରକୃତ ଚିନ୍ତାର କାରଣ ବୋଲି କିଛି ‌ଶିଶୁରୋଗ ବିଶେଷଜ୍ଞ କହିଛନ୍ତି। ଅନେକ ଶିଶୁ ପଜିଟିଭ ଚିହ୍ନଟ ହୋଇଥାନ୍ତୁ ବା ନ ହୁଅନ୍ତୁ ସାମାନ୍ୟ ସଂକ୍ରମଣ ପରେ ସୁସ୍ଥ ହୋଇଯାଆନ୍ତି। କିନ୍ତୁ ସୁସ୍ଥ ହେବାର ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ଶିଶୁଙ୍କ ଠାରେ କରୋନା ପରବର୍ତ୍ତୀ ଜଟିଳତା ବା ପେଡିଆଟ୍ରିକ୍ସ ଇନ୍‌ଫ୍ଲାମାଟୋରି ମଲ୍‌ଟିସିଷ୍ଟମ୍‌ ସିଣ୍ଡ୍ରୋମ୍ (ପିଆଇଏମ୍‌ଏସ୍‌) ଦେଖିବାକୁ ମିଳିଥାଏ। ଏଭଳି ସଂଖ୍ୟା‌ ୧୦୦ରେ ମାତ୍ର ୨ ବା ୩ ହୋଇପାରେ। ଆଖି ନାଲି ହେବା, ପେଟ ଯନ୍ତ୍ରଣା ହେବା ଏହାର ଲକ୍ଷଣ। ଯଦି ଠିକ୍ ସମୟରେ ଏହାର ଚିହ୍ନଟ ବା ଚିକିତ୍ସା ନହେଲା ତାହେଲେ ଶିଶୁ ପ୍ରତି ବିପଦ ସୃ‌ଷ୍ଟି ହୋଇପାରେ। ଏହା ଶିଶୁର ହୃଦୟକୁ ବି ପ୍ରଭାବିତ କରିବାର ଆଶଂକା ରହିଛି। ‌କରୋନା ସଂକ୍ରମଣ କମିବା ପରେ ଏଭଳି ମାମଲା ସଂଖ୍ୟା ବୃଦ୍ଧି ପାଇଥାଏ। ତେଣୁ ଏଥି ପ୍ରତି ସତର୍କ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏଭଳି ରୋଗୀଙ୍କ ଚିକିତ୍ସା ସମ୍ଭବ କିନ୍ତୁ ବ୍ୟୟବହୁଳ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe