କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳେ। ଆଉ ଏପରି ସଫଳତା ତାଙ୍କ ପାଦ ଛୁଇଁଛି ଖୁବ୍ କମ୍ ବୟସରୁ। ଗୋଟିଏ ଛୋଟ ଆଦିବାସୀ ଗାଁର ଝିଅ ଏମ୍ବିବିଏସ୍ ଡିଗ୍ରୀ ହାସଲ କରି ଡାକ୍ତର ହେବା ସ୍ବପ୍ନକୁ ସାକାର କରିଛି। ଡାକ୍ତର ମାର୍ଟିନା ଟୁଡୁ ଏମ୍ବିବିଏସ ଡିଗ୍ରୀ ହାସଲ କରିଥିବା ଆସାମର ପ୍ରଥମ ସାନ୍ତାଳ ଝିଅ ଭବେ ସ୍ବୀକୃତି ପାଇଛନ୍ତି।
ଆସାମର ହୋଜାଇ ଜିଲ୍ଲାର ଅଜରବାରି ଗାଁରୁ ଆସିଥିବା ମାର୍ଟିନା ତେଜପୁର ମେଡିକାଲ୍ କଲେଜରେ ତାଙ୍କର ଡାକ୍ତରୀ ପାଠପଢ଼ା ଶେଷ କରିଛନ୍ତି। ଡାକ୍ତର ଟୁଡୁଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ଆସାମ ଓ ସମଗ୍ର ସାନ୍ତାଳ ସମ୍ପ୍ରଦାୟ ପାଇଁ ଗୋଟେ ଗର୍ବର ମୁହୂର୍ତ୍ତ ବୋଲି ତାଙ୍କ ମତ।
ଗୋଟିଏ ଛୋଟ ଗାଁରୁ ବାହାରି ଉଚ୍ଚଶିକ୍ଷା ଲାଭ କରି ଡାକ୍ତର ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଦୃଢ଼ ନିଷ୍ଠା, କଠିନ ପରିଶ୍ରମ ଓ ଶିକ୍ଷାର ପରିବର୍ତ୍ତନକାରୀ ଶକ୍ତିର ଏକ ବଳିଷ୍ଠ ନିଦର୍ଶନ। ସାନ୍ତାଳ ଜନଜାତି ଭାରତର ସର୍ବବୃହତ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ଗୋଟିଏ। ଏମାନେ ମୁଖ୍ୟତଃ ଭାରତର ପୂର୍ବ ରାଜ୍ୟଗୁଡ଼ିକରେ ଅଧିକ ବସବାସ କରନ୍ତି। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସର୍ବାଧିକ ସାନ୍ତାଳ ଜନଜାତି ବାସ କରନ୍ତି। ତେବେ ବିହାର ଓ ଆସାମରେ ମଧ୍ୟ ସେମାନଙ୍କର ଅବସ୍ଥିତି ଉତ୍ସାହଜନକ। ତେଣୁ ଡାକ୍ତର ଟୁଡୁଙ୍କ ସଫଳତା ସମଗ୍ର ଅଞ୍ଚଳର ସାନ୍ତାଳ ଝିଅମାନଙ୍କ ପାଇଁ ଆଶା ଓ ପ୍ରେରଣାର ଉତ୍ସ, ଯାହା ସେମାନଙ୍କୁ ମଧ୍ୟ ନିଜ ଲକ୍ଷ୍ୟ ହାସଲ ଦିଗରେ ପ୍ରେରଣା ସୃଷ୍ଟି କରିବ।
Follow Us