The New Indian Express
ସ୍ବର୍ଗତ ତ୍ରିଲୋଚନ କାନୁନ୍ଗୋ ଓଡ଼ିଶା ବିଧାନସଭାର ସଦସ୍ୟ ଭାବେ, ଏହାର ତତ୍କାଳୀନ ଗ୍ରନ୍ଥାଗାରର ସୁପରିଚାଳନା ଓ ବିକାଶ ନିମିତ୍ତ ଗଠିତ କମିଟିର ଅଧ୍ୟକ୍ଷ କାର୍ଯ୍ୟନିର୍ବାହ କରିଥିଲେ ଏବଂ କିପରି ଗ୍ରନ୍ଥାଗାରରେ ସଂଗୃହୀତ ପୁସ୍ତକ, ପୁସ୍ତିକା ଓ ବିଭିନ୍ନ ରାଜ୍ୟ ବିଧାନସଭା ବିବରଣୀ, ଲୋକସଭା ତଥା ରାଜ୍ୟସଭା ବିବରଣୀଗୁଡ଼ିକୁ ବର୍ଗୀକରଣ, ସୂଚୀକରଣ, ସୁସଂଗଠିତ ଓ ସୁରକ୍ଷା ପଦ୍ଧତି ଅବଲମ୍ବନ କରାଯିବ, ତାହା ସେ ଓଡ଼ିଶା ରାଜ୍ୟ ଗ୍ରନ୍ଥାଗାର (ବର୍ତ୍ତମାନ ହରେକୃଷ୍ଣ ମହତାବ ଗ୍ରନ୍ଥାଗାର)ର ପ୍ରାକ୍ତନ ଗ୍ରନ୍ଥାଗାରିକ ସ୍ବର୍ଗତ ନବୀନ ଚନ୍ଦ୍ର କର ଓ ତାଙ୍କ ସହଯୋଗୀମାନଙ୍କ ସହାୟତାରେ କରାଇଥିଲେ। ବିଧାନସଭାର ସ୍ବତନ୍ତ୍ର ଗ୍ରନ୍ଥାଗାର ଭବନ ନିର୍ମାଣ ନିମନ୍ତେ ତତ୍କାଳୀନ ବାଚସ୍ପତିଙ୍କୁ ପରାମର୍ଶ ଦେଇଥିଲେ, ପରବର୍ତ୍ତୀ ସମୟରେ ବିଧାନସଭାର ସ୍ବତନ୍ତ୍ର ଗ୍ରନ୍ଥାଗାର ଭବନ ନିର୍ମାଣ କରାଯାଇ ଆଧୁନିକ ପଦ୍ଧତିରେ ପରିଚାଳିତ ହେଉଛି।
ରାଜ୍ୟର ବିଭିନ୍ନ ପୌରପାଳିକାଗୁଡ଼ିକ କିପରି ସହର ତଥା ନଗରବାସୀଙ୍କୁ ଗ୍ରନ୍ଥାଗାର ସେବା ପ୍ରଦାନ କରିପାରିବେ, ତାହା ସେ ସର୍ବଦା ଚିନ୍ତା କରୁଥିଲେ। କଟକ ନଗରପାଳିକାର ସଭାପତି ଭାବେ ପ୍ରଥମେ ସହିଦଭବନ ଓ ପରେ ଖାନନଗରସ୍ଥିତ କାର୍ଯ୍ୟାଳୟ ନିକଟରେ ଏକ ଗ୍ରନ୍ଥାଗାର ଭବନ ନିର୍ମାଣ କରାଇଥିଲେ।
କଟକ ଅଡ଼ଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ସେ ବିଭିନ୍ନ ନୂତନ ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ସୃଷ୍ଟି କରିପାରିଥିଲେ। ତନ୍ମଧ୍ୟରୁ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ ଅନ୍ୟତମ। ୨୦୦୭ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା, ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ ମୁଖ୍ୟଙ୍କୁ ସ୍ବର୍ଗତ କାନୁନ୍ଗୋ ସାକ୍ଷାତ କରି କିପରି ସ୍ନାତକ ସମ୍ମାନ ପାଠ୍ୟକ୍ରମ ଆରମ୍ଭ କରାଯିବ, ତାହାର ଯୋଜନା ପ୍ରସ୍ତୁତ କରି ସଫଳ ହୋଇଥିଲେ। ଏହା ପରେ ୨୦୧୦ରେ ବର୍ଷିକିଆ ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ଫଳସ୍ବରୂପ, ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ଗ୍ରନ୍ଥାଗାର ଓ ସୂଚନାବିଜ୍ଞାନରେ ଡିଗ୍ରି ହାସଲ କରି ଓଡ଼ିଶାର ବିଭିନ୍ନ ଗ୍ରନ୍ଥାଗାରରେ ନିଯୁକ୍ତ ସୁଯୋଗ ପାଇପାରିଲେ। ପରବର୍ତ୍ତୀ ସମୟରେ ଏହା ଅନେକ ବିକଶିତ ହୋଇ ଏକ ଅନନ୍ୟ ବିଭାଗରେ ପରିଣତ ହୋଇଛି।
ତ୍ରିଲୋଚନ ବାବୁଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ପ୍ରାକ୍ତନ ପ୍ରଫେସର, ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ,
ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବେନଶ୍ବର
Follow Us