Queen's Bird ICU: ଚଳନ୍ତିକା: ରାଣୀଙ୍କ ପକ୍ଷୀ ଆଇସିୟୁ

୨୩ଟି ବିରାଡ଼ି, ୧୫ଟି କୁକୁର, ପାରା ପୁଣି କାକାତୁଆ ଓ ରଙ୍ଗବିରଙ୍ଗ ଶୁକପକ୍ଷୀ ଗହଳି ଲଗାଇଥିବା କେରଳର ଆଲପୁଝାସ୍ଥିତ ଗୋଟାଏ ବାସଭବନରେ ବାସକରନ୍ତି ଡାକ୍ତରାଣୀ ରାଣୀ ମାରିଆ ଥୋମାସ୍‌।

dfhfshshfxvvb

୨୩ଟି ବିରାଡ଼ି, ୧୫ଟି କୁକୁର, ପାରା ପୁଣି କାକାତୁଆ ଓ ରଙ୍ଗବିରଙ୍ଗ ଶୁକପକ୍ଷୀ ଗହଳି ଲଗାଇଥିବା କେରଳର ଆଲପୁଝାସ୍ଥିତ ଗୋଟାଏ ବାସଭବନରେ ବାସକରନ୍ତି ଡାକ୍ତରାଣୀ ରାଣୀ ମାରିଆ ଥୋମାସ୍‌। ପ୍ରାଣୀଙ୍କ ମେଳରେ ବଢ଼ିଥିବା ମାରିଆ କହନ୍ତି, ସେମାନେ କେବଳ ସହଚର ନୁହନ୍ତି, ମୋ ଭାଇଭଉଣୀ, ମୋ ସଂସାର।
ସମ୍ପ୍ରତି ଡାକ୍ତରାଣୀ ମାରିଆ ଭାରତକୁ ଆସୁଥିବା ବିଦେଶୀ ପକ୍ଷୀମାନଙ୍କ ପାଇଁ ଆଇସିୟୁଟିଏ ଖୋଲିଛନ୍ତି। ଏ ସଂକ୍ରାନ୍ତରେ ସେ କହନ୍ତି, ‘‘ଥରେ ମୋ ନାହାକା (ଏକ ଜାତୀୟ ବଡ଼ ଶୁକପକ୍ଷୀ)ର ଦେହ ଅସୁଖ ହେଲା। କ’ଣ କରିବି ସେ କଥା କେହି ମତେ ବତାଇ ପାରିଲେ ନାହିଁ।

ମୁଁ ଯଥାସାଧ୍ୟ ଚେଷ୍ଟାକଲି, କିନ୍ତୁ ସେ ବଞ୍ଚିଲା ନାହିଁ।’’ ତାଙ୍କର ଏ ଅସହାୟତା ହିଁ ପକ୍ଷୀ ଚିକିତ୍ସା ଅଭିଯାନ ନିମନ୍ତେ ମୂଳଦୁଆ ପକାଇଲା। ସାଧାରଣତଃ ଭାରତୀୟ ପ୍ରାଣୀଚିକିତ୍ସା କ୍ଷେତ୍ରରେ ଏହା ଉପେକ୍ଷା କରାଯାଇଥାଏ। ୨୦୧୨ରେ ଏମ୍‌ବିବିଏସ୍‌ରେ ଭର୍ତ୍ତିହେବା ପାଇଁ ରୢାଙ୍କ୍‌ ପାଇଥିଲେ ବି ମନ ମାଫି‌େକ ବୃତ୍ତିଗତ ଶିକ୍ଷାଗ୍ରହଣ କରିବା ଲାଗି ରାଣୀଙ୍କୁ ତାଙ୍କ ବାପା ଉତ୍ସାହ ଦେଇଥିଲେ। ତେଣୁ ରାଣୀ ୱାୟନାଡ଼ସ୍ଥିତ ‘କେରଳ ଭେଟ୍ରନାରି ଆଣ୍ଡ୍‌ ଅାନିମଲ୍‌ ସାଇନ୍‌ସ୍‌ ୟୁନିଭର୍ସିଟି’ରେ ନାମ ଲେଖାଇଲେ। ପ୍ରକୃତ କଥା ହେଲା, ରାଣୀଙ୍କ ବାପା କେ. ଟି. ଥୋମାସ୍‌ ଓ ମାଆ ବୀଣା ଚାରି ଦଶନ୍ଧିଧରି ବିଦେଶୀ କୁକୁର, ବିରାଡ଼ି ଆଦି ପାଳିଆସୁଥିଲେ। ତେଣୁକରି ଜୀବଜନ୍ତୁଙ୍କ ପ୍ରତି ପିଲାଦିନରୁ ରାଣୀଙ୍କର ବିଶେଷ ଶ୍ରଦ୍ଧା ଥିଲା। ଆଗରୁ ନଡ଼ିଆକତା ରପ୍ତାନି କରୁଥିବା ତାଙ୍କ ବାପାଙ୍କର ଆଶା ଥିଲା ଦୁଇଝିଅଙ୍କ ମଧ୍ୟରୁ ଜଣେ ପ୍ରାଣୀ ଚିକିତ୍ସକ ହେବ। ରାଣୀ ପ୍ରାଣୀ ଚିକିତ୍ସକ ହେବାରୁ ସେ ଖୁବ୍‌ ଆତ୍ମସନ୍ତୋଷ ବୋଧ କରିଛନ୍ତି।

ଡାକ୍ତରାଣୀ ମାରିଆ କହନ୍ତି, ‘‘ବାପା ଦେଖିଲେ ଭାରତରେ ପକ୍ଷୀ ଚିକିତ୍ସକଙ୍କ ଘୋର ଅଭାବ। ତେଣୁ ମୁଁ ପକ୍ଷୀ ଚିକିତ୍ସକ ହେବା ଉଚିତ। ବାପାଙ୍କ ପ୍ରେରଣା ପାଇ ମୁଁ ଭେଟ୍ରନାରି ମେଡିସିନ୍‌ ପଢ଼ାରେ ମନୋନିବେଶ କଲି। କିନ୍ତୁ, ଏଭଳି କ୍ଷେତ୍ରକୁ ଯିବା ପାଇଁ ଖୁବ୍‌ କମ୍‌ ଶିକ୍ଷାର୍ଥୀ ସାହସ କରନ୍ତି। ଦିବାନିଶି ଏକକରି ମୁଁ ପଢ଼ିଲି। ଲାଇବ୍ରେରିରୁ ପକ୍ଷୀ ଚିକିତ୍ସା ସମ୍ବନ୍ଧୀୟ ପୁସ୍ତକ ଆଣିବାରେ ମୁଁ ଥିଲି ଏକମାତ୍ର ଶିକ୍ଷାର୍ଥୀ। ଏମ୍‌ବିବିଏସ୍‌ ନ ପଢ଼ି ଥିବାରୁ ମୁଁ ଆନନ୍ଦିତା। କାରଣ, ଏ ବୃତ୍ତି ମୋ ଲାଗି ବେଶ୍‌ ଜଞ୍ଜାଳମୁକ୍ତ ଓ ସୁଖପ୍ରଦ। ଏବେ ମୁଁ ବେଶ୍‌ ଶାନ୍ତିସନ୍ତୋଷରେ ଚଳୁଛି। ମୋ ସ୍ବାମୀ ଇଞ୍ଜିନିୟର୍‌ ମ୍ୟାଥନ୍‌ ଜନ୍‌ ବି ମୋତେ ସହଯୋଗ କରୁଛନ୍ତି। ସେ ବି ପ୍ରାଣୀପ୍ରେମୀ।’’

ପକ୍ଷୀ ଚିକିତ୍ସା ନିମନ୍ତେ ପ୍ରତିବଦ୍ଧତା ହିଁ ୨୦୧୬ରେ ତାଲିମ ନିମନ୍ତେ ରାଣୀଙ୍କୁ ଆବୁଧାବିସ୍ଥିତ ‘ଫାଲ୍‌କନ୍‌ ହସ୍‌ପିଟାଲ୍‌’କୁ ବାଟ କ‌ଢ଼ାଇନେଲା। ସେଠାରେ ସେ ଦେଖିଲେ ଈଗଲମାନଙ୍କୁ ଦିଆଯାଉଥିବା ଉତ୍କୃଷ୍ଟ ଚିକିତ୍ସା ସେବା। ଶିକାର ଖୋଜି ବାହାରିବା ଆଗରୁ ଶେଖ୍‌ମାନେ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଅଗଣିତ ଈଗଲ୍‌ ନେଇ ସେଠାକୁ ଯାଆନ୍ତି। ଏଭଳି ମାନର ଚିକିତ୍ସା ସେବା ଭାରତରେ ଯୋଗାଇ ଦେବା ପାଇଁ ସେଉଠୁ ସେ କଳ୍ପନାକଲେ। ଭାରତ ପ୍ରତ୍ୟାବର୍ତ୍ତନ କରି ୨୦୨୧ ଅଗଷ୍ଟରେ ସେ ସଂସ୍ଥାପନ କଲେ ‘ସାରାସ୍‌ ବାର୍ଡସ୍‌ ଆଣ୍ଡ୍‌ ଏକ୍‌ସୋଟିକ୍‌ ଆନିମଲ୍‌ ହସ୍‌ପିଟାଲ୍‌’। ୬୬ ନମ୍ବର ଜାତୀୟ ରାଜପଥ ପ୍ରାନ୍ତରେ ଅବସ୍ଥିତ ଦୁଇ ହଜାର ବର୍ଗଫୁଟ୍‌ ଜମି ଉପରେ ଅବସ୍ଥିତ ଏହି ପ୍ରତିଷ୍ଠାନରେ ଆଇସିୟୁ ରହିଛି, ଏଣ୍ଡୋସ୍କୋପି, ଏକ୍‌ସ୍‌-ରେ ଓ ପକ୍ଷୀଙ୍କ ପରଆଦି ପରିଚ୍ଛନ୍ନ କରିବା ନିମନ୍ତେ ସୁବିଧା। ଏହି ଚିକିତ୍ସାଳୟ ପାଖରେ ଥିବା ଘରେ ବାସକରନ୍ତି ଡାକ୍ତରାଣୀ ମାରିଆଙ୍କ ପିତାମାତା। ତା’ଛଡ଼ା ସେଠାରେ ରାଣୀ ଜେଜୀଙ୍କ ନାମାନୁସାରେ ‘ସାରାସ୍‌ ଏକ୍‌ସୋଟିକ୍‌ ପେଟ୍‌ ଫାର୍ମ’ ନାମରେ ଗୋଟାଏ ଫାର୍ମ ବି ଚଳାଉଛନ୍ତି। ସେଠାରେ ୭୦ ପ୍ରଜାତିର ବିଦେଶୀ ପକ୍ଷୀ ଓ କିଛି କୁକୁର ଆଉ ବିରାଡ଼ି ଅଛନ୍ତି।

ସେ କହନ୍ତି, ‘‘ଆଜି ମୁଁ ନାହାକା, କାକାତୁଆ, କୋଚିଳାଖାଇ, ଏରା, ଶାଗୁଣା ଓ ସମଗ୍ର ଭାରତ‌ରେ ଥିବା ଅନ୍ୟାନ୍ୟ ବିଦେଶାଗତ ପକ୍ଷୀଙ୍କୁ ଚିକିତ୍ସା କରୁଛି।’’ ଚାକିରି ନିମନ୍ତେ ତାଙ୍କୁ ବିଦେଶରେ ସୁଯୋଗ ବା ଆମନ୍ତ୍ରଣ ମିଳୁଥିଲେ ବି ସେ ଭାରତରେ ରହିଛନ୍ତି। ତେଣୁ, ସେ କହନ୍ତି, ‘‘ମୋ ଲକ୍ଷ୍ୟ ହେଉଛି ଏ କ୍ଷେତ୍ରକୁ ସମୃଦ୍ଧ କରିବା, ଅଧିକ ପ୍ରାଣୀଚିକିତ୍ସକଙ୍କୁ ତାଲିମ ଦେବା ଓ ଭାରତରେ ଉତ୍କୃଷ୍ଟ ଚିକିତ୍ସା ଯୋଗାଇ ଦେବା।’’ ପରିଶେଷରେ ଡାକ୍ତରାଣୀ ମାରିଆ କହନ୍ତି, ‘‘ଭାରତରେ ବିଦେଶୀ ପ୍ରାଣୀ ଓ ପକ୍ଷୀ ଚିକିତ୍ସା କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ନିମନ୍ତେ ମୁଁ ଅଭିଯାନ ଚଳାଇଛି। ଏ କ୍ଷେତ୍ରରେ ପାରଙ୍ଗମ ହେବାଲାଗି ଅଧିକ ପ୍ରାଣୀ ଚିକିତ୍ସକଙ୍କୁ ପ୍ରେରିତ କରୁଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe