ବର୍ତ୍ତମାନ ସମୟରେ ସିଷ୍ଟ ହେବା ଏକ ସାଧାରଣ ସମସ୍ୟା ଭାବେ ଉଭା ହେଲାଣି। ମହିଳା ଓ ପୁରୁଷ ଉଭୟଙ୍କ େକ୍ଷତ୍ରରେ ଯେକୌଣସି ବୟସରେ ଏହା ଦେଖାଦେଇପାରେ। ତେବେ ମହିଳାମାନଙ୍କ ଡିମ୍ବାଶୟରେ ସିଷ୍ଟ ହେବା ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା। କୌଣସି ଲକ୍ଷଣ ବିନା ଡିମ୍ବାଶୟରେ ସିଷ୍ଟ ସୃଷ୍ଟି ହୋଇପାରେ। ଡିମ୍ବାଶୟ ସିଷ୍ଟଗୁଡ଼ିକ ତରଳ ପଦାର୍ଥ ଆକାରର। ଏହା ଡିମ୍ବାଶୟର ଉପର ଓ ଭିତର ଭାଗରେ ସୃଷ୍ଟି ହୋଇଥାଏ। ବିଶେଷଜ୍ଞଙ୍କ ମତରେ ପଲିସିଷ୍ଟିକ୍ ଓଭାରିରେ ଅନେକ ଛୋଟ ସିଷ୍ଟ ରହିଥାଏ। ଏହି ସିଷ୍ଟଗୁଡ଼ିକୁ ସାଧାରଣତଃ ପିସିଓଏସ୍ କହନ୍ତି। ଏହା ମହିଳାଙ୍କ ହରମୋନ୍ ସନ୍ତୁଳନ ଓ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଠିକ୍ ସମୟରେ ଔଷଧ ନଖାଇବା କିମ୍ବା ଅସ୍ତ୍ରୋପଚାର ନକରିବା ଦ୍ବାରା ହର୍ମୋନ୍ ଅସନ୍ତୁଳନ ହୋଇଥାଏ। ଏହାଯୋଗଁୁ ଯୁବତୀମାନଙ୍କଠାରେ ଏଣ୍ଡୋମେଟ୍ରିଆଲ୍ କର୍କଟ ହେବାର ଆଶଙ୍କା ଥାଏ।
ଦେଖିବାକୁ ଗଲେ, ଶରୀରର ଯେକୌଣସି କୋଷ ଭିତରେ ସିଷ୍ଟ ହୋଇପାରେ। ଫୁସ୍ଫୁସ୍ରେ ଅଧିକାଂଶ ସିଷ୍ଟ ବାୟୁରେ ପରିପୂର୍ଣ୍ଣ ଥାଏ। ଲିମ୍ଫ୍ ସିଷ୍ଟମ୍ ଯକୃତ କିମ୍ବା ବୃକ୍କରେ ଗଠିତ ସିଷ୍ଟଗୁଡ଼ିକ ତରଳ ପଦାର୍ଥରେ ପରିପୂର୍ଣ୍ଣ ଥାଏ। ଗୋଲ୍କୃମି ଓ ଟେପ୍ୱର୍ମ ପରି ପରଜୀବୀ ମାଂସପେଶୀ, ଯକୃତ, ମସ୍ତିଷ୍କ, ଫୁସ୍ଫୁସ୍ ଓ ଆଖି ଭିତରେ ସିଷ୍ଟ ତିଆରି କରିପାରନ୍ତି।
ସିଷ୍ଟ ସାଧାରଣତଃ ଚର୍ମରେ ପ୍ରଥମେ ବ୍ରଣ ଆକାରର ଦେଖାଯାଏ। ବ୍ରଣ ଯୋଗୁଁ ସେବେସିୟସ୍ ଗ୍ରନ୍ଥି ବନ୍ଦ ହୋଇଯାଏ କିମ୍ବା ଚର୍ମରେ ରହିଥିବା କୌଣସି ଜିନିଷ ଚାରିପାଖରେ ଆବରଣ ସୃଷ୍ଟି ହୋଇପାରେ। ଏହି ସିଷ୍ଟଗୁଡ଼ିକ କର୍କଟ ସୃଷ୍ଟିକାରୀ ନୁହନ୍ତି; କିନ୍ତୁ ଛୋଟ ହେଲେ ବି ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ। ଅନେକ ସମୟରେ ଏଗୁଡ଼ିକ ସଂକ୍ରମିତ ହୋଇପାରେ ଏବଂ ଯନ୍ତ୍ରଣା ଓ ଫୁଲା ଯୋଗୁଁ ଚିକିତ୍ସା ମଧ୍ୟ ଆବଶ୍ୟକ ହୋଇଥାଏ। ସିଷ୍ଟଗୁଡ଼ିକର ପ୍ରକାର, ଆକାର ଓ ଚର୍ମରେ ଅବସ୍ଥାନକୁ ଦେଖି ଅସ୍ତ୍ରୋପଚାର ଦ୍ୱାରା ଏହାକୁ କଢ଼ାଯାଇପାରିବ କିମ୍ବା ଅପସାରଣ କରାଯାଇପାରିବ।
Follow Us