ପ୍ରଖ୍ୟାତ ଗାଳ୍ପିକ, ବାଗ୍ମୀ ତଥା ଅଧ୍ୟାତ୍ମ୍ୟବାଦୀ ସାଧକ ମନୋଜ ଦାସ ୧୯୩୪ ମସିହା ଫେବ୍ରୁଆରି ୨୭ ତାରିଖରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଶଙ୍ଖାରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମଧୁସୂଦନ ଦାସ ଓ ମାତାଙ୍କ ନାମ କାଦମ୍ବିନୀ ଦେବୀ। ସ୍କୁଲ୍ରେ ପଢୁଥିବା ସମୟରେ ୧୫ ବର୍ଷ ବୟସରେ ତାଙ୍କର ପ୍ରଥମ କବିତା ପୁସ୍ତକ ‘ଶତାବ୍ଦୀର ଆର୍ତ୍ତନାଦ’ ପ୍ରକାଶ ପାଇଥିଲା। ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ଲାଭ କରିଥିଲା ୧୯୫୧ ମସିହାରେ। କଲେଜରେ ଅଧ୍ୟୟନ କାଳରେ ସେ ମାର୍କ୍ସବାଦ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବୈପ୍ଳବିକ ଗତିବିଧି ପାଇଁ ତାଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ସେ ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜରୁ ସ୍ନାତକ ଏବଂ ରେଭେନ୍ସା କଲେଜରୁ ଇଂରେଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।
ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସେ ଆଇନ ପାଠ ପଢ଼ିଥିଲେ। ମନୋଜ କିଛି କାଳ କଟକର ଖ୍ରୀଷ୍ଟ କଲେଜରେ ଅଧ୍ୟାପନା କରିଥିଲେ। ୧୯୬୩ରେ ସେ ପଣ୍ଡିଚେରୀ ଯାଇ ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ଶିକ୍ଷା କେନ୍ଦ୍ରରେ ଇଂରେଜୀ ସାହିତ୍ୟର ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ। ଶ୍ରୀଅରବିନ୍ଦଙ୍କ ଚେତନା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେ ଭାରତୀୟ ସଂସ୍କୃତିର ଜଣେ ଅଦ୍ବିତୀୟ ବ୍ୟାଖ୍ୟାକାର ପାଲଟିଥିଲେ। ସେ ଓଡ଼ିଆ ସମେତ ଇଂରେଜୀ ଭାଷାରେ ମଧ୍ୟ ଲେଖୁଥିଲେ। ସାହିତ୍ୟର ପ୍ରାୟ ସମସ୍ତ ବିଭାଗରେ ସେ ଲେଖନୀ ଚାଳନା କରିଥିଲେ। ବିଭିନ୍ନ ଖବରକାଗଜରେ ତାଙ୍କ ନିୟମିତ ସ୍ତମ୍ଭ ପ୍ରକାଶ ପାଉଥିଲା। ସେ ଏମିତି ଜଣେ ଲେଖକ ଯାହାଙ୍କ ଲେଖା କିଶୋରଙ୍କ ଠାରୁ ଆରମ୍ଭ କରି ପରିଣତ ବୟସର ବିମୁଗ୍ଧ ପାଠକଙ୍କୁ ବାନ୍ଧି ରଖିବାରେ ସମର୍ଥ। ମନନଶୀଳ ଆବେଗ, ଚମତ୍କାର ବର୍ଣ୍ଣନା, ହୃଦୟସ୍ପର୍ଶୀ କଥାବସ୍ତୁ, ଗଭୀର ଆଶାବାଦ ଆଦି ତାଙ୍କ ସାରସ୍ବତ ସୃଷ୍ଟିର ବିଶେଷତ୍ବ। ନିଆରା ଶୈଳୀ ପାଇଁ ତାଙ୍କୁ ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା ବୋଲି କୁହାଯାଏ।
ଜଣେ ସନ୍ନ୍ୟାସୀ ଭଳି ସେ ତାଙ୍କ ଜୀବନରେ ସବୁକିଛି ସମାଜକୁ ଉତ୍ସର୍ଗ କରିଦେଇଥିଲେ। ‘ଅରଣ୍ୟକ’, ‘ଶେଷ ବସନ୍ତର ଚିଠି’, ‘ମନୋଜ ଦାସଙ୍କ କଥା ଓ କାହାଣୀ’ ଗଳ୍ପ ସଂକଳନ; ‘ପ୍ରଭଞ୍ଜନ’, ‘ଗୋଧୂଳିର ବାଘ’, ‘ତନ୍ଦ୍ରାଲୋକର ପ୍ରହରୀ’, ‘ଅମୃତ ଫଳ’ ଉପନ୍ୟାସ; ‘ତୁମ ଗାଁ ଓ ଅନ୍ୟାନ୍ୟ କବିତା’, ‘ବିପ୍ଳବୀ ଫକୀରମୋହନ’, ‘କବିତା ଉତ୍କାଳ’ କବିତା ସଂକଳନ ତାଙ୍କର କେତେକ ଲୋକପ୍ରିୟ କୃତି। ତାଙ୍କ ସ୍ମୃତିକଥାର ନାମ ‘ସମୁଦ୍ର କୂଳର ଏକ ଗ୍ରାମ’। ସାରସ୍ବତ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ସମେତ ସରସ୍ବତୀ ସମ୍ମାନ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ପଦ୍ମଶ୍ରୀ, ପଦ୍ମଭୂଷଣ ପ୍ରମୁଖ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୨୦୨୧ ଏପ୍ରିଲ୍ ଆଜି ଦିନରେ ପଣ୍ଡିଚେରୀରେ ମନୋଜ ଦାସ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
Follow Us