ମୁମ୍ବାଇ: ମଣିଷ ଜୀବନରେ ବିବାହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ। ବିବାହକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ଉତ୍ସାହ ରହିଥାଏ। ବିବାହକୁ ସ୍ମରଣୀୟ ବନାଇବାକୁ କେହି ହେଲିକପ୍ଟରରେ ଆସିଥାନ୍ତି ତ ପୁଣି କେହି ଘୋଡ଼ି ଚଢ଼ି ଆସନ୍ତି। ମାତ୍ର ଆମେ ଆଜି ଏପରି ଏକ ବିବାହ ବିଷୟରେ କହିବୁ ଯାହାକି ଲୋକଙ୍କ ପାଇଁ ଏକ ପ୍ରେରଣା।
ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ନିଜ ବିଧବା ଭାଉଜଙ୍କ ମଥାରେ ସିନ୍ଦୂର ଦେଇ ଚର୍ଚ୍ଚା ପାଲଟିଛନ୍ତି ଜଣେ ଦିଅର। ଭାଇଙ୍କ ମୃତ୍ୟୁ ପରେ ପୁତୁରା ଝିଅାରିଙ୍କୁ ବାପା ସ୍ନେହରୁ ବଞ୍ଚିତ ନକରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ଦିଅର ଜଣକ। ଏହି ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲ୍ଲାର ବାନଖେଡ୍ ଗ୍ରାମର ଜଣେ ବାସିନ୍ଦାଙ୍କ ଅଚାନକ ମୃତ୍ୟୁ ହୋଇଯିବା ପରେ ତାଙ୍କ ପତ୍ନୀ ଓ ପିଲାମାନଙ୍କ ମୁଣ୍ଡରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଲା। ଏହାପରେ ମୃତକଙ୍କ ପରିବାର ଲୋକ ତାଙ୍କ ବିଧବା ପତ୍ନୀଙ୍କ ବିବାହ ତାଙ୍କ ସାନ ଭାଇଙ୍କ ସହ କରିବାର ନିଷ୍ପତ୍ତି ନେଲେ। ମୃତକଙ୍କ ସାନ ଭାଇ ମଧ୍ୟ ଲୋକଲଜ୍ଜାକୁ ପଛ କରି ନିଜ ବିଧବା ଭାଉଜଙ୍କ ମଥାରେ ସିନ୍ଦୂର ଦେଇ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିବାକୁ ରାଜି ହୋଇଗଲେ।
ଗ୍ରାମବାସୀ ସମସ୍ତେ ମିଶି ଏହି ବିବାହକୁ ସମର୍ଥନ କରିବାରୁ ଶେଷରେ ୨ ଜଣ ପିତୃହରା ସନ୍ତାନଙ୍କୁ ଏବେ ବାପାର ହାତ ମିଳିପାରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିଧବା ମହିଳା ଜଣକ ନିଜ ସ୍ବାମୀଙ୍କ ମୃତ୍ୟୁର ପ୍ରାୟ ଦେଢ଼ ବର୍ଷ ପରେ ଦିଅରକୁ ବିବାହ କରିଛନ୍ତି।
Follow Us