ନୂଆଦିଲ୍ଲୀ: ନଭେମ୍ବର… ନଭେମ୍ବର… ନଭେମ୍ବର… ପୁଣି ସେହି ନଭେମ୍ବର । ଦେଶର ପାଇଁ ଅଶୁଭ ନଭେମ୍ବର । ଏହି ମାସରେ ହିଁ ଅଘଟଣ ହେଉଛି ବାରମ୍ବାର । କେବେ ଆତଙ୍କୀ ଆକ୍ରମଣ ତ କେବେ ବିରାଟ ବିସ୍ଫୋରଣ । ପୁଣି ଯଦି ଆପଣ ଅତୀତର ପୃଷ୍ଠା ଓଲଟାଇବେ ତେବେ ଗୁଳିକାଣ୍ଡ ଭଳି ଛାତିଥରା କାହାଣୀ । ଏଇ ନଭେମ୍ବର ମାସ ଆସିଲେ କାହିଁକି ଦେଶରେ ଆତଙ୍କୀ ହମଲା ବଢେ ? କଣ ପାଇଁ ଆତଙ୍କବାଦୀ କାର୍ଯ୍ଯକଳାପର ସନ୍ଦେହ ବଢେ ? ନଭେମ୍ବରକୁ ନେଇ ଆତଙ୍କୀ ଆକ୍ରମଣର ଲିଙ୍କ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ବେଳେ ଗତକାଲି ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲ୍କିଲ୍ଲା ମେଟ୍ରୋ ଷ୍ଟେସନ ଅଞ୍ଚଳରେ ବିସ୍ଫୋରଣ ସାରା ଦେଶକୁ ସ୍ତବ୍ଧ କରି ଦେଇଛି ।
ତେବେ ଖାଲି ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ଅଘଟଣ ନୁହେଁ ଅନେକ ଥର ଭାରତ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି ଏହି ନଭେମ୍ବର । ଏହାପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟାଇ ସାରିଛନ୍ତି ଆତଙ୍କୀମାନେ । ବାରମ୍ବାର ନୀରିହ ଲୋକଙ୍କ ପ୍ରାଣ ଯାଇଛି । ଜାଣନ୍ତୁ ଅଶୁଭ ନଭେମ୍ବରକୁ ନେଇ କେତେକ ଘଟଣାକ୍ରମ…
୮ ନଭେମ୍ବର ୧୯୯୧: ମୁମ୍ବାଇରେ କଲ୍ୟାଣ ଟ୍ରେନ୍ ବିସ୍ଫୋରଣ
୧୯୯୧ ମସିହା ନଭେମ୍ବର ୮ ତାରିଖରେ ମୁମ୍ବାଇର ଏକ ଲୋକାଲ ଟ୍ରେନ୍ରେ ବଡ଼ ଧରଣ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଏହି ଆତଙ୍କୀ ହମ୍ଲାରେ ୧୨ ଜଣ ନୀରିହ ଲୋକଙ୍କ ଜୀବନ ହାନୀ ହୋଇଥିଲା । ଖାଲି ସେତିକି ନୁହେଁ, ଏଥିରେ ୬୫ ଜଣ ଗୁରୁତର ଭାବରେ ଆହତ ବି ହୋଇଥିଲେ । ଏହାପରେ ୧୯୯୨ ମସିହାରେ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ଗିରଫ କରିଥିଲା ପୁଲିସ । ୧୯୯୭ ମସିହାରେ ଏହି ଆତଙ୍କୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ ।
୨୪ ନଭେମ୍ବର ୨୦୦୨: ରଘୁନାଥ ମନ୍ଦିର ଗୁଳିକାଣ୍ଡ
ଦିନ ଥିଲା ୨୦୦୨ ମସିହା, ନଭେମ୍ବର ୨୪ ତାରିଖ, ଜମ୍ମୁ କାଶ୍ମୀରରେ ଥିବା ରଘୁନାଥ ମନ୍ଦିରରେ ପଶିଥିଲେ ଆତଙ୍କବାଦୀମାନେ । ଏଠାରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରୁଥିବା ବେଳେ ମନ୍ଦିର ଭିତରେ ଆତଙ୍କୀମାନେ ଆରମ୍ଭ କରିଦେଇଥିଲେ ଆଖିବୁଜା ଗୁଳିଚାଳନା । ଏହି ଗୁଳିକାଣ୍ଡରେ ୧୪ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା । ୪୫ ଜଣଙ୍କ ଗୁରୁତର ଭାବରେ ଆହତ ହୋଇଥିଲେ । ଲସ୍କର-ଏ-ତୋଏବା ଏହି ଆତଙ୍କୀ ଘଟଣା ଘଟାଇଥିଲା ।
୨୩ ନଭେମ୍ବର ୨୦୦୭: ଲକ୍ଷ୍ନୌ, ବାରାଣସୀ ବିସ୍ଫୋରଣ
୨୦୦୭ ମସିହା ନଭେମ୍ବର ୨୩ ତାରିଖରେ ଉତ୍ତର ପ୍ରଦେଶରେ ସିରିଏଲ ବୋମା ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । କୋର୍ଟକୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀମାନେ । ପ୍ରଥମେ ଲକ୍ଷ୍ନୌ, ପରେ ଫୈଜାବାଦ୍, ବାରଣାସୀକୁ ଟାର୍ଗେଟ୍ କରାଯାଇଥିଲା । ଏହି ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଆହତ ହୋଇଥିଲେ । ସାଇକେଲ୍ରେ ଆର୍ଡିଏକ୍ସ ବାନ୍ଧି ଏହି ବିସ୍ଫୋରଣ କରାଯାଇଥିଲା ।
୨୬ ନଭେମ୍ବର ୨୦୦୮: ମୁମ୍ବାଇ ଆତଙ୍କୀ ଆକ୍ରମଣ
ସମୁଦ୍ରପଥ ଦେଇ ମାୟା ନଗରୀ ମୁମ୍ବାଇରେ ପଶିଥିଲେ ପାକ୍ ଆତଙ୍କବାଦୀମାନେ । ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ନାରକୀୟ କାଣ୍ଡ ଘଟାଇଥିଲେ ଆତଙ୍କୀ । ଗୋଟିଏ କି ଦୁଇଟି ନୁହେଁ ୯ଟି ସ୍ଥାନରେ ଘଟାଇଥିଲେ ବର୍ବର କାଣ୍ଡ । ଏହି ଆତଙ୍କବାଦୀ ଆକ୍ରମଣରେ ୧୭୫ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ହୋଟେଲ୍ ତାଜ୍ରେ ମୃତାହତ ସଂଖ୍ୟା ସର୍ବାଧିକ ଥିଲା ।
୨୯ ନଭେମ୍ବର ୨୦୧୬: ସେନା ଶିବିରରେ ଗ୍ରେନେଡ୍ ଆକ୍ରମଣ
୨୦୧୬ ମସିହା ନଭେମ୍ବର ୨୯ ତାରିଖରେ ଜମ୍ମୁ ଓ କାଶ୍ମୀରରେ ଥିବା ନାଗ୍ରୋଟା ସେନା ଶିବିର ଭିତରକୁ ଯବାନ ପୋଷାକ ପିନ୍ଧି ପଶି ଆସିଥିଲେ ତିନି ଜଣ ଆତଙ୍କୀ । ଏହାପରେ ଘନ ଘନ ଗ୍ରେନେଡ ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଏହି ଆତଙ୍କୀ ହମ୍ଲାରେ ୭ ଯବାନ ସହିଦ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏଥିରେ ଦୁଇଜଣ ଅଧିକାରୀ ବି ସାମିଲ ଅଛନ୍ତି । ଏହାପରେ ତିନି ଜଣ ଆତଙ୍କୀ ମଧ୍ୟ ନିପାତ ହୋଇଥିଲେ ।
ଆହୁରି ପଢନ୍ତୁ- Delhi RedFort Blast and Mumbai Attack: ୨୬/୧୧ ପରେ ୧୦/୧୧: ଭାରତ ପାଇଁ କଳାଦିନ, ଦେଶର ଛାତିରେ ଦରଜର ଦୁଇଟି କ୍ଷତଚିହ୍ନ...
୧୦ ନଭେମ୍ବର ୨୦୨୫: ଦିଲ୍ଲୀରେ ବୋମା ବିସ୍ଫୋରଣ
ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ବର୍ବରକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ୨୫ ଜଣ ଆହତ ହୋଇଛନ୍ତି । ୧୪ ବର୍ଷ ପରେ ଦିଲ୍ଲୀରେ ଏଭଳି ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଯାହା ପରେ ଦେଶରେ ହାଇ ଆଲର୍ଟ ଜାରି ହୋଇଛି ।
ଆହୁରି ପଢନ୍ତୁ- Lady Commander Faridabad Terror: ଦିଲ୍ଲୀ ବିସ୍ଫୋରଣ:ଫରିଦାବାଦରୁ ଗିରଫ ଜୈସ୍ର ମହିଳା କମାଣ୍ଡର ଡାକ୍ତର ଶାହିନ୍ ଶାହିଦଙ୍କ ପ୍ରଥମ ଫଟୋ ଜାରି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/11/attack-in-november-2025-11-11-17-45-20.jpg)