ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ଚା ବିକ୍ରେତାଙ୍କ ଝିଅ ଅମିତା ପ୍ରଜାପତି ସିଏ ପରୀକ୍ଷାରେ ସଫଳତାର ହାସଲ କରିଛନ୍ତି। ଝିଅ ବାପାଙ୍କୁ ଏହି ଖୁସି ଖବର ଜଣାଇବା ସମୟରେ ଭାବବିହ୍ବୋଳ ହୋଇପଡ଼ିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ବି ହୋଇଛି। ଯେଉଁଥିରେ ବାପା ହେଲମେଟ ପିନ୍ଧି ଗାଡ଼ି ଉପରେ ବସିଥିବା ବେଳେ ଝିଅ ନିଜର ସଫଳତାର ଖବର ବାପାଙ୍କୁ ଦେଇ ଆଲିଙ୍ଗନ କରି କାନ୍ଦି ପକାଉଥିବା ଦେଖିବାକୁ ମିଳୁଛି।
ନିକଟରେ ଅମିତା ପ୍ରଜାପତି 'ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ'ର ପ୍ରକାଶ ପାଇଥିବା ଫଳାଫଳରେ ସଫଳତା ହାସଲ କରିଛନ୍ତି। ଆର୍ଥିକ ଅବସ୍ଥା ଭଲ ନଥିବା ସତ୍ତ୍ବେ ଅମିତା ପ୍ରଜାପତିଙ୍କ ବାପା ଝିଅର ପାଠପଢ଼ାରେ କେବେ ହେଲେ ହେଳା କରି ନାହାନ୍ତି। ନିଜେ କଷ୍ଟରେ ରହି ଝିଅର ପାଠପଢ଼ା ପାଇଁ ଯାହାଯାହା ଆବଶ୍ୟକ ସବୁକିଛି ଆଣି ଯୋଗାଇ ଦେଇଥାଆନ୍ତି।
ବାପା ଝିଅ ଅମିତା ପ୍ରଜାପତିଙ୍କ ଏହି ସଫଳତାକୁ ନେଇ କହିଛନ୍ତି, ‘ଝିଅକୁ ପାଠପଢ଼ାଉଥିବା ବେଳେ ମୋତେ ଅନେକ ଲୋକ ପରିହାସ କରି କହିଛନ୍ତି ଅଯଥାରେ ଝିଅ ପଛରେ କାହିଁକି ଟଙ୍କା ଖର୍ଚ୍ଚ କରୁଛ। ସେ କାଲି ସକାଳେ ବାହା ହୋଇ ପରଘରକୁ ଚାଲିଯିବ। ଟଙ୍କା ରଖି ଘର କର। କେତେଦିନ ଏହି ଫୁଟପାଥରେ ପଡ଼ି ରହିଥିବ। ମୁଁ ସବୁବେଳେ ସେମାନଙ୍କ କଥାକୁ ଛାତିତଳେ ଚାପି ଧରି ମୋର କର୍ମ କରିଚାଲେ। ମୋର ଝିଅର ପାଠପଢ଼ା ଉପରେ ପୂରା ବିଶ୍ବାସ ଥିଲା କି ସେ ଦିନେ ନା ଦିନେ ତାର ଲକ୍ଷ୍ୟପଥରେ ସଫଳ ହୋଇ ଦେଖାଇବ। ଆଉ ଦେଖାଇଛି ମଧ୍ୟ। ଝିଅର ଏହି ସଫଳତା ପରେ ମୋତେ ପରିହାସ କରୁଥିବା ଲୋକଙ୍କ ମୁହଁ ଚୁପ ହୋଇ ଯାଇଛି। ’
Follow Us