ଆମ ଜୀବନଧାରାରେ ଗାଧୁଆ ବା ସ୍ନାନ ଅପରିହାର୍ଯ୍ୟ। ଯଦି କିଏ ଦୈନିକ ସ୍ନାନ କରେନାହିଁ ଆମେ ତାକୁ ଅପରିଚ୍ଛନ୍ନ ଆଖ୍ୟା ଦେଉ। ନଗାଧୋଇବାକୁ ଅସ୍ବାସ୍ଥ୍ୟକର ଅଭ୍ୟାସ ବୋଲି କେହି କେହି ବିଚାର କରନ୍ତି। କିନ୍ତୁ ଏହି ସାଧାରଣ ଧାରଣାକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ‘ଦି ନିୟୁ ସାଇନ୍ସ୍ ଅଫ୍ ସ୍କିନ୍ ଆଣ୍ଡ୍ ବିୟୁଟି ଅଫ୍ ଡୁଇଙ୍ଗ୍ ଲେସ୍’ର ଲେଖକ ଡକ୍ଟର୍ ଜେମ୍ସ୍ ହାମ୍ବ୍ଲିନ୍ ପରୀକ୍ଷାମୂଳକ ଭାବେ ୫ ବର୍ଷ ନ ଗାଧୋଇ ରହିଥିଲେ। ସେ ଜାଣିବାକୁ ଚାହୁଥିଲେ ଦୈନିକ ଗାଧୋଇବା କ’ଣ ସତରେ ଅପରିହାର୍ଯ୍ୟ? ଅନେକେ ଭାବିଲେ ତାଙ୍କ ଦେହରୁ ଦୁର୍ଗନ୍ଧ ବାହାରୁଥିବ। କିନ୍ତୁ, ସେପରି ହୋଇନଥିଲା। ହାମ୍ବ୍ଲିନ୍ ପରିଚ୍ଛନ୍ନତା ପାଇଁ ସାବୁନ୍ରେ ହାତ ଧୋଇବା ସହ କଦବା କେମିତି କେଶ ପଖାଳୁଥିଲେ, ଅତି ଅପରିଷ୍କାର ଲାଗିଲେ ପୋଛିପାଛି ହେଉଥିଲେ।
ଏହି ପରୀକ୍ଷାରୁ ହାମ୍ବ୍ଲିନ୍ ଜାଣିପାରିଲେ ଯେ, ଅଧିକାଂଶ ତ୍ବଚା ଓ ସ୍ବାସ୍ଥ୍ୟ ଯତ୍ନକାରୀ ଉତ୍ପାଦ କେବଳ ପରିଚ୍ଛନ୍ନତା ପାଇଁ ନୁହେଁ ବରଂ ରୂପଚର୍ଚ୍ଚା, ସୁଗନ୍ଧ ଓ ଆରାମ ଲାଗି ପ୍ରସ୍ତୁତ କରାଯାଇଛି। ସାବୁନ୍ ଚର୍ମ ଉପରୁ ଦୂଷିତ ପଦାର୍ଥ ଓ ତୈଳାଂଶ ହଟାଏ ସତ, କିନ୍ତୁ ଖାଲି ପାଣିରେ ଦୁଇହାତକୁ ଘଷାଘଷି କଲେ ବି ଅଧିକାଂଶ ଜୀବାଣୁ ଧୋଇ ହୋଇଯାଆନ୍ତି। ‘ୟେଲ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥ୍’ରେ ଅଧ୍ୟାପନା କରୁଥିବା ଡକ୍ଟର୍ ହାମ୍ବ୍ଲିନ୍ କହନ୍ତି, ସାବୁନ ଓ ସାମ୍ପୁ ଭଳି ଟଏଲେଟ୍ ସାମଗ୍ରୀ ବିଷୟରେ ସାଧାରଣ ଲୋକଙ୍କର ଯାହା ଧାରଣା ରହିଛି ତାହା ଭ୍ରମାତ୍ମକ। ରାସାୟନିକ ଉପାଦାନ ସମ୍ମିଶ୍ରିତ ଏହି ପଦାର୍ଥଗୁଡ଼ିକ କେବଳ ଧନହାନି ନୁହେଁ, ସ୍ବାସ୍ଥ୍ୟହାନି ବି କରୁଛନ୍ତି। ଏସବୁର ପ୍ରଚାର ସ୍ବାସ୍ଥ୍ୟ ରକ୍ଷାକାରୀ ସାମଗ୍ରୀ ଭଳି ଶୁଭୁଥିବାରୁ ଜନସାଧାରଣଙ୍କର ଧାରଣା ହେଉଛି ଯେ ତାହା ଶରୀରର ପରିଚ୍ଛନ୍ନତା ରକ୍ଷା ନିମନ୍ତେ ଲାଭଦାୟକ। କିନ୍ତୁ, ବାସ୍ତବରେ ସେ ସବୁ ବିଜ୍ଞାପନ ବିକ୍ରୟ-ଚାତୁରୀ ମାତ୍ର।
୨୦୨୦ରେ ପ୍ରକାଶିତ ପୁସ୍ତକ ‘କ୍ଲିନ୍: ଦି ନିୟୁ ସାଇନ୍ସ୍ ଅଫ୍ ସ୍କିନ୍ ଆଣ୍ଡ୍ ବିୟୁଟି ଅଫ୍ ଡୁଇଙ୍ଗ୍ ଲେସ୍’ରେ ହାମ୍ବ୍ଲିନ୍ ତାଙ୍କର ପରୀକ୍ଷାନିରୀକ୍ଷା କଥା ଉଲ୍ଲେଖ କରିବା ସହିତ ‘ପରିଚ୍ଛନ୍ନତା ଓ ପରିମଳ’ ବୋଲି ଆମେ କହୁଥିବା ପ୍ରସଙ୍ଗର ଇତିହାସ ଓ ତାତ୍ପର୍ଯ୍ୟ ବିଶ୍ଳେଷଣ କରିଛନ୍ତି। ସାମଗ୍ରୀକଭାବେ ‘ମାଇକ୍ରୋବ୍’ କୁହାଯାଉଥିବା ବ୍ୟାକ୍ଟେରିଆ, ପଙ୍ଗି, ଭାଇରସ୍ ଓ ସେମାନଙ୍କର ଗୁଣସୂତ୍ର ବା ଜିନ୍ ସ୍ବାଭାବିକ ଭାବେ ଆମ ଶରୀର ଭିତରେ ଓ ବାହାରେ ବାସକରନ୍ତି। ତାଙ୍କର ଯୁକ୍ତି ହେଲା- ଚର୍ମରେ ଥିବା ‘ମାଇକ୍ରୋବ୍’ମାନଙ୍କୁ ଆମେ ବିକ୍ଷିପ୍ତ ନ କରିବା ଉଚିତ। ଖାଲି ସାବୁନ୍ରେ ହାତ ଧୋଇଦେଲେ ଯଥେଷ୍ଟ। ଚର୍ମ ଉପରୁ ସମସ୍ତ ତୈଳାକ୍ତ ପଦାର୍ଥ ଧୋଇ ସଫା କରିବା ଅନାବଶ୍ୟକ।
ଉକ୍ତ ତୈଳାକ୍ତ ପଦାର୍ଥ ଓ ଚର୍ମରୁ ସ୍ବାଭାବିକ ଭାବେ କ୍ଷରିତ ହେଉଥିବା ରାସାୟନିକ ପଦାର୍ଥ ମଧ୍ୟରେ ସମନ୍ବୟ ରହିଛି। ସେଥିରେ ଚର୍ମ ଅଣୁଜୀବମାନେ ବାସକରନ୍ତି। ଗରମ ପାଣି ଓ ସାବୁନ ଚର୍ମରେ ଥିବା ପ୍ରାକୃତିକ ତୈଳ ଓ ଅଣୁଜୀବ ନଷ୍ଟ କରିଦିଏ। ସେମାନେ ଶରୀରର ପ୍ରାକୃତିକ ପ୍ରତିରକ୍ଷା କାର୍ଯ୍ୟ ତୁଲାଇଥାଆନ୍ତି। କିନ୍ତୁ, ଏହାର ସତ୍ୟାସତ୍ୟ ଉପରେ ଏବେ ବି ଗବେଷଣା ଚାଲିଛି। ମାତ୍ର ଗୋଟିଏ କଥା ଜଣାପଡ଼ିଛି ଯେ, ଶରୀର ସୁରକ୍ଷା ଲାଗି ଚର୍ମରେ ସେମାନଙ୍କ ଉପସ୍ଥିତି ବେଶ୍ ଗୁରୁତ୍ବପୂର୍ଣ୍ଣ। ଥରକୁ ଥର ସାବୁନ୍ ଲଗାଇ ଗାଧୋଇବାକୁ ହାମ୍ବ୍ଲିନ୍ ଜଙ୍ଗଲରୁ ଗଛ କାଟି ପଦା କରିବା ଘଟଣା ସହିତ ତୁଳନା କରିଛନ୍ତି। ସେ କହନ୍ତି, ସବୁବେଳେ ଗାଧୋଇବା ଅତ୍ୟାବଶ୍ୟକ ବା ଉପକାରୀ ନୁହେଁ।
ତାଙ୍କ ମତରେ, ପରିଚ୍ଛନ୍ନତା ଲାଗି ସ୍ନାନ ଯେ ଏକାନ୍ତ ଜରୁରି, ଏପରି ଭାବିବା ଯୁକ୍ତିଯୁକ୍ତ ନୁହେଁ। ହାତଧୋଇବା ଓ ଛିଙ୍କିବା ବେଳେ ମୁହଁରେ ହାତ ଦେବା ଇତ୍ୟାଦି କାର୍ଯ୍ୟ ପରିଚ୍ଛନ୍ନତା ବଜାୟ ରଖେ। କିନ୍ତୁ, ସ୍ନାନ ଉଶ୍ବାସ ଅନୁଭବ କରିବା ଓ କମନୀୟ ଦିଶିବା ଲାଗି ପ୍ରଯୁଜ୍ୟ। ତେଣୁ, ସ୍ନାନ ସ୍ବାସ୍ଥ୍ୟରକ୍ଷା ନିମିତ୍ତ ନୁହେଁ। କିଛି ଲୋକ ଅଳ୍ପ ସମୟ ଗାଧୋଇବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ଦୀର୍ଘସମୟ ଧରି ବିଳାସମୟ ସ୍ନାନ କରନ୍ତି। ଏହା ନିତାନ୍ତ ସ୍ବାସ୍ଥ୍ୟଗତ ନୁହେଁ, ବ୍ୟକ୍ତିଗତ ରୁଚି।
ସେ ପୁଣି କହିଛନ୍ତି, ନ ଗାଧୋଇବା ଦ୍ବାରା ଆଉ ଗୋଟାଏ ଜିନିଷ ବି ସଞ୍ଚୟ କରିହୁଏ, ତାହା ହେଉଛି ସମୟ। ଜୀବନକାଳ ଭିତରେ ଗାଧୋଇବା ପାଇଁ ମଣିଷ ୧୨,୧୬୭ ଘଣ୍ଟା ବ୍ୟୟ କରିଥାଏ। ଦିନକୁ ୨୦ ମିନିଟ୍ ଗାଧୋଇବା ଅର୍ଥ ଜୀବନର ୨ ବର୍ଷ ଗାଧୁଆରେ ନଷ୍ଟ କରିବା ସହ ସମାନ। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ, ସେ ଆଦୌ ସାବୁନ ନ ଲଗାଇବା କି, ନ ଗାଧୋଇବାକୁ ପରାମର୍ଶ ଦେଉଛନ୍ତି।
Follow Us