‘‘ଏକ୍ ବୈରାଗୀ,
ଦୁଜା ସଂସାରୀ...।
ଏକ୍ ଡମ୍ରୁ ସେ ହୋଶ୍ ଉଡ଼ାୱେ,
ଦୁଜା ବଂଶୀକେ ସୁର୍ ସେ ଲୁଭାୱେ...।’’
ମହାଦେବ ଓ ଶ୍ରୀକୃଷ୍ଣଙ୍କୁ ନେଇ କରାଯାଉଥିବା ଏହି ତୁଳନା ଆମ ଧର୍ମ ତଥା ସଂସ୍କୃତିର ବିବିଧତାକୁ ପ୍ରଦର୍ଶିତ କରେ। ଜଣେ ‘ଧ୍ୟାନମଗ୍ନ ତପସ୍ବୀ’ ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ସଂସାରର ତମାମ ଭୋଗବିଳାସରେ ରହି ମଧ୍ୟ ‘କର୍ମଯୋଗୀ ସନ୍ୟାସୀ’। ଅର୍ଥାତ୍ ସଂସାର ଭିତରେ ରହି ବି ଜଣେ ସନ୍ୟାସୀ ହୋଇପାରିବ ବୋଲି ଆମ ସଂସ୍କୃତି ଶିକ୍ଷା ଦେଉଛି। ହେଲେ ବସ୍ତୁସର୍ବସ୍ବ ଏ ସଂସାରରେ କର୍ମଯୋଗ ସହ ଆଧ୍ୟାତ୍ମବାଦର ଏହି ଗୁଢ଼ରହସ୍ୟ ଆମେ ଭୁଲିବାରେ ଲାଗିଛୁ। କୁହାଯାଏ, ଟଙ୍କା ସଂସାରର ସବୁ ସୁଖ କିଣିପାରେ। ଏଭଳି ହୋଇଥିଲେ ସଫଳତାର ଶୀର୍ଷରେ ଥାଇ ଯଶ, କୀର୍ତ୍ତି ଓ ଐଶ୍ବର୍ଯ୍ୟରେ ଭରପୂର ଜୀବନ ଛାଡ଼ି କେହି କାହିଁକି ହୁଅନ୍ତା ସଂସାରତ୍ୟାଗୀ ସନ୍ୟାସୀ! ଏହା ଅତୃପ୍ତି ନା ଛଳନା, ଏହା ବୈରାଗ୍ୟ ନା ବାହାନା! ଗତ କିଛି ବର୍ଷ ହେଲା ବହୁ ପ୍ରତିଷ୍ଠିତ ବ୍ୟକ୍ତି ସନ୍ୟାସ ଗ୍ରହଣ କରୁଥିବାର ଉଦାହରଣ ସାମ୍ନାକୁ ଆସୁଥିବା ବେଳେ ସେମାନଙ୍କୁ ନେଇ ଆମର ଏଥରର ଉପସ୍ଥାପନା।
ସସ୍ମିତା ସାହୁ
୧୪୪ ବର୍ଷ ପରେ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭମେଳା ଏଥର ସାଧୁସନ୍ଥଙ୍କ ଭିଡ଼ ଯୋଗୁଁ ଯେତିକି ଚର୍ଚ୍ଚାରେ ରହିନାହିଁ, ସେତିକି ଚର୍ଚ୍ଚାରେ ରହିଛି ଭାଇରାଲ୍ ଶ୍ୟାମଳୀ ସୁନ୍ଦରୀ ମୋନାଲିସା ଓ ଆଇଆଇଟି ବାବାଙ୍କୁ ନେଇ। କିନ୍ତୁ ବଲିଉଡ୍ର ବିବାଦୀୟ ନାୟିକା ମମତା କୁଲ୍କର୍ଣ୍ଣିଙ୍କ ସାଧ୍ବୀ ଅବତାର ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବା ସହ କୁମ୍ଭମେଳାର ସମସ୍ତ ଆକର୍ଷଣ ତାଙ୍କ ଆଡ଼କୁ ଟାଣି ନେଇଛି। ମମତା ଏବେ ସନ୍ୟାସ ଗ୍ରହଣ କରି ନାମ ବଦଳାଇ ‘ୟମାଇ ମମତାନନ୍ଦ ଗିରି’ ଭାବେ ଉଭା ହୋଇଥିବା ବେେଳ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ବର ପଦରେ ତାଙ୍କୁ ଅଧିଷ୍ଠିତ କରାଯାଇଥିଲା। କିନ୍ତୁ ଲଗାତାର ବିବାଦ ଓ ଆକ୍ଷେପ କାରଣରୁ ସେ ଗତ ସୋମବାର ଏହି ପଦରୁ ଇସ୍ତଫା ଦେଇଥିଲେ। ତେବେ ଏହି ଇସ୍ତଫାକୁ ଗ୍ରହଣ କରାଯାଇନାହିଁ ବୋଲି ଶୁକ୍ରବାର ଜଣାପଡ଼ିଛି। ସଫଳତାର ଶୀର୍ଷରେ ଥିବା ବଲିଉଡ୍ ଯାତ୍ରା, ନଗ୍ନ ଫଟୋସୁଟ୍, ଅଣ୍ଡରୱାର୍ଲଡ୍ ସହ ଘନିଷ୍ଠତା, ଡ୍ରଗ୍ସ ସ୍କାଣ୍ଡାଲ୍, ଆରେଷ୍ଟ୍ ୱାରେଣ୍ଟ୍ ଓ ସମ୍ପତ୍ତି ବ୍ୟାଜ୍ୟାପ୍ତି ଭଳି ଘଟଣାରେ ବାରମ୍ବାର ଖବରକାଗଜର ଶିରୋନାମା ପାଲଟୁଥିବା ମମତା ଆଜି ସନାତନୀ ସନ୍ନ୍ୟାସିନୀ ଭାବେ ଗଣମାଧ୍ୟମରେ ଛାଇଯିବା ଘଟଣା ଭିନ୍ନ ଏକ ବିତର୍କର ସୂତ୍ରପାତ କରୁଛି।
ବୋଲ୍ଡ ଅଭିନେତ୍ରୀରୁ ସଂସାରତ୍ୟାଗୀ ସନ୍ନ୍ୟାସିନୀ
‘‘ନୌ ଶୋ ଚୁହା ଖାକେ ବିଲି ହଜ୍ କୋ ଚଲି’’ ଅର୍ଥାତ ଶହେ ଅପରାଧ କରି ତୀର୍ଥଭ୍ରମଣରେ ଯିବା। ଇଣ୍ଡିଆ ଟିଭିର ସମ୍ପାଦକ ରଜତ ଶର୍ମାଙ୍କ ଏହି ଆରୋପରେ ମମତା ଉତ୍ତର ରଖିଥିଲେ, ‘‘ମୁଁ ଯାହା ବି କରିଥାଏ, କମ୍ ସେ କମ୍ ତୀର୍ଥ କରିବାର ପୁଣ୍ୟ ତ କଲି।’’ ମମତା କୁଲ୍କର୍ଣ୍ଣି ନବେ ଦଶକର ଜଣେ ଏଭଳି ଅଭିନେତ୍ରୀ ଥିଲେ ଯାହାଙ୍କର ସିନେମା ଦେଖିବାକୁ ଲମ୍ବା ଧାଡ଼ି ଲାଗୁଥିଲା। ୧୯୭୨ରେ ମମତା କୁଲକର୍ଣ୍ଣି ମହାରାଷ୍ଟ୍ରରେ ଏକ ମରାଠୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୯ ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର ‘ନବରଗଲ୍’ରୁ ସିନେଦୁନିଆରେ ପାଦ ଥାପିଥିଲେ। ଏହି ସିନେମା ସୁପର୍ହିଟ୍ ହେବା ସହ ମମତା ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ। ସେହିବର୍ଷ ହିଁ ସେ ହିନ୍ଦୀ ଚଳଚ୍ଚିତ୍ର ‘ମେରା ଦିଲ୍ ତେରେ ଲିୟେ’ରୁ ବଲିଉଡ୍ ଡେବ୍ୟୁ କରିଥିଲେ। ଏହାପରେ ‘ତ୍ରିରଙ୍ଗା’, ‘ଆଶିକ୍ ଆୱାରା’, ‘ୱକ୍ତ ହମାରା ହୈ’, ‘କରନ୍ ଅର୍ଜୁନ’, ‘ବାଜି’, ‘କ୍ରାନ୍ତିବୀର୍’, ‘ଆନ୍ଦୋଳନ’, ‘ବେକାବୁ’, ‘ଘାତକ’, ‘ସବ୍ସେ ବଡ଼ା ଖିଲାଡି’, ‘ନସିବ୍’, ‘ଚାଇନା ଗେଟ୍’, ‘ଛୁପା ରୁସ୍ତମ୍’ ଭଳି ସିନେମାରେ ଅଭିନୟ କରି ସଫଳତାର ଶୀର୍ଷରେ ପହଞ୍ଚିଯାଇଥିଲେ।
/sambad/media/media_files/2025/02/16/avTrjoGvN61DgI4NMIxy.jpg)
କୁହାଯାଏ, ୧୯୯୨ ମସିହାର ମମତାଙ୍କ ତେଲୁଗୁ ସିନେମା ‘ପ୍ରେମ୍ ଶିଖରମ୍’ର ସଫଳତା ପରେ ମମତାଙ୍କ ପ୍ରଶଂସକମାନେ ହାଇଦ୍ରାବାଦରେ ତାଙ୍କର ଏକ ମନ୍ଦିର ତିଆରି କରିଦେଇଥିଲେ। ୧୯୯୩ ମସିହାରେ ମମତା, ଷ୍ଟାରଡଷ୍ଟ୍ ମାଗାଜିନ୍ ପାଇଁ ଏକ ଆପତ୍ତିଜନକ ଅର୍ଦ୍ଧନଗ୍ନ ଫଟୋସୁଟ୍ କରିଥିଲେ। ଏହା ତାଙ୍କୁ ପ୍ରଥମ ଥର ପାଇଁ ବିବାଦକୁ ଟାଣିଥିଲା। ସେତେବେଳେ ଲୋକମାନେ ତାଙ୍କୁ ସମାଜ, ସଂସ୍କୃତି ଓ ଆଗାମୀ ପିଢ଼ି ପାଇଁ ବିପଦ ଭାବେ ଅଭିହିତ କରିବା ସହ ତାଙ୍କ ବିରୋଧରେ ଅାପରାଧିକ ମାମଲା ରୁଜୁ ହୋଇଥିଲା। ଏଥିପାଇଁ ମମତାଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ୍ ଜାରି କରାଯିବା ସହ ୧୫ ହଜାର ଟଙ୍କାର ଜରିମାନା କରାଯାଇଥିଲା।
୧୯୯୮ ମସିହା ଆଡ଼କୁ ପୁଣି ମମତା ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ତାଙ୍କର ଅଣ୍ଡର୍ୱାର୍ଲଡ୍ ସଂପୃକ୍ତି ସାମ୍ନାକୁ ଆସିଥିଲା। ସେହି ବର୍ଷ ଚଳଚ୍ଚିତ୍ର ‘ଚାଇନା ଗେଟ୍’ ସୁଟିଂ ସମୟରେ ମମତାଙ୍କୁ ବଲିଉଡ୍ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀ ଯୌନସମ୍ପର୍କ ପାଇଁ ହଇରାଣ କରୁଥିବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ପରେ ରାଜକୁମାର ସନ୍ତୋଷୀଙ୍କୁ ଅଣ୍ଡର୍ୱାର୍ଲଡ ଡନ୍ ଛୋଟା ରାଜନ ଫୋନ୍ କରି ଧମକ ଦେଇଥିଲା। ଏହି ସିନେମା ମମତାଙ୍କ ଅଣ୍ଡର୍ୱାର୍ଲଡ୍ ସଂପୃକ୍ତି କଥା ସାମ୍ନାକୁ ଆଣିବା ସହ ତାଙ୍କ ଚଳଚ୍ଚିତ୍ର ଯାତ୍ରାରେ ଯବନିକା ପଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଏହି ଚଳଚ୍ଚିତ୍ରର ଆକ୍ସନ୍ ଡାଇରେକ୍ଟର ଟିନୁ ବର୍ମାଙ୍କ ସହ ପ୍ରେମସମ୍ପର୍କ ଓ ଲୁଚିଛପି ବିବାହକୁ ନେଇ ବି ମମତା ବିବାଦକୁ ଆସି ଯାଇଥିଲେ। ୧୯୯୭-୯୮ ପାଖାପାଖି ବିହାରର ରାଞ୍ଚିର ଏକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ ପାଇଁ ମମତା ୧ କୋଟି ୨୫ ଲକ୍ଷ ଟଙ୍କା ନେଇଥିଲେ। ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଚାରା ଘୋଟାଲା ସାମ୍ନାକୁ ଆସିବା ସହ ଜଣାପଡ଼ିଥିଲା ଯେ ଏହି ଘୋଟାଲାେର କିଛି ପରିମାଣର ଟଙ୍କା ମମତାଙ୍କ ବ୍ୟାଙ୍କ୍ ଖାତାକୁ ଯାଇଛି।
୧୯୯୭ ମସିହାରେ ଦୁବାଇର ଏକ କାର୍ଯ୍ୟକ୍ରମରେ ମମତାଙ୍କ ସାକ୍ଷାତ୍କାର ଅଣ୍ଡର୍ୱାର୍ଲଡ ଡନ୍ ବିକି ଗୋସ୍ବାମୀଙ୍କ ସହ ହୋଇଥିଲା। ସେବେଠାରୁ ସେ ବିକିର ପ୍ରେମରେ ପଡ଼ିଯାଇଥିବା ବେଳେ ବିକିକୁ ୨୫ ବର୍ଷ ଜେଲ୍ ହୋଇଯାଇଥିଲା। ୨୦୦୩ରେ ମମତା ଚଳଚ୍ଚିତ୍ର ଜଗତକୁ ଅଲ୍ବିଦା କରି ଦୁବାଇରେ ଯାଇ ରହିଯାଇଥିଲେ। ଏଥିସହ ବିକି ଗୋସ୍ବାମୀର ବେଆଇନ୍ କାମକୁ ଆଗକୁ ନେଇଥିଲେ। ୨୦୦୩-୧୩ ମସିହା ଯାଏ ମମତା କୁଆଡ଼େ ଗଲେ ଓ କ’ଣ କଲେ, ତାହା ଏବେ ବି ରହସ୍ୟମୟ। ଏହାପରେ ୨୦୧୩ ମସିହାରେ ମମତା ଓ ବିକି ଦୁବାଇର ଜେଲ୍ରେ ବିବାହ କରିଥିବା ଏବଂ ମମତା ନିଜ ଧର୍ମ ପରିବର୍ତ୍ତନ କରି ଇସ୍ଲାମ୍ ଧର୍ମରେ ଦୀକ୍ଷିତ ହୋଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଏବେ ତାଙ୍କର ନାମ ଥିଲା ଆୟଶା ବେଗମ୍। ବିକି ଜେଲ୍ରୁ ମୁକ୍ତ ହେବାପରେ ଓ ଉଭୟ ପତିପତ୍ନୀ ଦୁବାଇ ଛାଡ଼ି କେନିଆ ସ୍ଥାନାନ୍ତର ହୋଇଯାଇଥିଲେ। ହେଲେ ୨୦୧୪ ମସିହା ଆଡ଼କୁ ମମତାଙ୍କ କିଛି ଫଟୋ ପୁଣି ଭାଇରାଲ୍ ହେଲା ଓ ଏଥିରେ ସେ ଜଣେ ସନ୍ୟାସିନୀ ରୂପରେ ନଜରକୁ ଆସିଥିଲେ।
୨୦୧୬ ମସିହାରେ ମୁମ୍ବାଇ ପୁଲିସ ୨୦୦୦ କୋଟି ଟଙ୍କା ମାଦକ ଦ୍ରବ୍ୟର ରାକେଟ୍ ଧରିଥିଲା। ଏଥିରେ ମମତା ଓ ବିକି ଗୋସ୍ବାମୀଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା। ବହୁ ଖୋଜାଖୋଜି ପରେ ବି ଦୁଇଜଣ ମିଳି ନଥିଲେ ଏବଂ ମୁମ୍ବାଇ-ଥାନେର ସ୍ବତନ୍ତ୍ର ଅଦାଲତ ମମତା କୁଲକର୍ଣ୍ଣିଙ୍କୁ ପଳାତକ ଘୋଷଣା କରିଦେଇଥିଲେ। ଏଥିସହ ୨୦୧୭ ମସିହାରେ ମମତାଙ୍କ ମୁମ୍ବାଇସ୍ଥିତ ସମ୍ପତ୍ତିକୁ ବି ବ୍ୟାଜ୍ୟାପ୍ତ କରିଦିଆଯାଇଥିଲା। ଏହାପରେ ମମତା ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଥିଲେ। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ୨୦୨୪ ମସିହାରେ ବମ୍ବେ ହାଇକୋର୍ଟ ମମତାଙ୍କ ଉପରେ ଚାଲିଥିବା ଡ୍ରଗ୍ସ୍ ମାମଲାକୁ ଖାରଜ କରିଦେଇଥିଲେ। ଏହାପରେ ମମତା ଭାରତ ଫେରିବା ସହ ନିଜକୁ ପ୍ରଭୁଭକ୍ତିରେ ଲୀନ କରି ସଂସାର ତ୍ୟାଗୀ ସନ୍ନ୍ୟାସିନୀ ୟମାଇ ମମତାନନ୍ଦ ଗିରି ଭାବେ ଉଭା ହୋଇଛନ୍ତି। ଏବେ ମହାକୁମ୍ଭ ମେଳାରେ ଶାହୀସ୍ନାନ କରି ପିତୃ ପିଣ୍ଡଦାନ ପରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ବର ହୋଇଛନ୍ତି। ଗତ ୨୫ ବର୍ଷ ହେଲା ଜପ, ତପ ଓ ଧ୍ୟାନରେ ତାଙ୍କ ଦିନ କଟୁଥିବା ସେ ଦାବି କରିଛନ୍ତି।
/sambad/media/media_files/2025/02/16/XXtq27cjk9SFAuv67Thy.jpg)
ସଂସାର ମୋହ ଛାଡ଼ି ପାରିଲେନି ବିନୋଦ ଖାନ୍ନା
୭୦ ଦଶକର ମଧ୍ୟଭାଗ ବେଳକୁ ସେ ଷ୍ଟାର୍ଡମ୍ର ଶିଖରରେ ପହଞ୍ଚି ସାରିଥିଲେ। ସେ ସମୟର ସୁନ୍ଦର ଓ ଆକର୍ଷଣୀୟ ନାୟକ ଭାବେ ତାଙ୍କର ଲୋକପ୍ରିୟତା ରହିଥିଲା। ୧୯୬୮ ମସିହାରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିବା ଏହି ନାୟକ ‘ମେରେ ଅପ୍ନେ’, ‘ମେରା ଗାଓଁ ମେରା ଦେଶ’, ‘ଅଚାନକ୍’, ‘ହାଥ୍ କି ସଫାଇ’, ‘ଅମର ଅକ୍ବର୍ ଅାନ୍ଥୋନୀ’, ‘ମୁକଦର କା ସିକନ୍ଦର’, ‘କୁର୍ବାନୀ’ ଭଳି ଚଳଚ୍ଚିତ୍ର କରି ସିନେଜଗତରେ ଛାଇଯାଇଥିଲେ। ଏସବୁ କିନ୍ତୁ ବିନୋଦ ଖାନ୍ନାଙ୍କୁ ଆତ୍ମତୃପ୍ତି ଦେଇ ପାରୁନଥିଲା। ସେ ୧୯୭୫ ମସିହା ବେଳକୁ ଭଗବାନ୍ ରଜନୀଶ୍ଙ୍କ ଅନୁଗାମୀ ପାଲଟି ଯାଇଥିଲେ। ୮୦ ଦଶକର ପ୍ରାରମ୍ଭରେ, ଯୁକ୍ତରାଷ୍ଟ୍ର ଆମେରିକାର ଓରେଗନରେ ଥିବା ଓଶୋ ଧାର୍ମିକସ୍ଥଳୀ ରଜନୀଶପୁରମ୍ ଚାଲି ଆସିଥିଲେ। ଖାନ୍ନା ଅଧିକାଂଶ ସମୟ ଧ୍ୟାନମଗ୍ନ ରହୁଥିଲେ ଏବଂ ସେଠାର ବଗିଚାରେ ମାଳି ଭାବେ କାମ କରୁଥିଲେ। ସେତେବେଳକୁ େସ ‘ସ୍ୱାମୀ ବିନୋଦ ଭାରତୀ’ ନାମରେ ପରିଚିତ ହେଉଥିଲେ। ପ୍ରାୟ ପାଞ୍ଚବର୍ଷ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଜୀବନ ବିତାଇବା ପରେ ଆଧ୍ୟାତ୍ମିକତା ଉପରୁ ତାଙ୍କର ମୋହ ତୁଟିଯାଇଥିଲା ଏବଂ ଜୀବନର ବାସ୍ତବତା କିଛି ଭିନ୍ନ ବୋଲି ସେ ଅନୁଭବ କରିଥିଲେ। ସେଠାରୁ ଫେରି ସେ ଲେଖିଥିଲେ, ‘ମୁଁ ଅନୁଭବ କଲି ଯେ ଆଧ୍ୟାତ୍ମିକତା ଧନାଢ଼୍ୟ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ସମ୍ପୂର୍ଣ୍ଣ ନିରର୍ଥକ ଜିନିଷରେ ଲିପ୍ତ ରହିବାକୁ ଭଲପାଆନ୍ତି।’ ଏହାପରେ ସେ ସନ୍ୟାସ ଛାଡ଼ି ୧୯୮୭ ମସିହାରେ ରୁପେଲି ପରଦାକୁ ଫେରିଥିଲେ ଏବଂ ପରେ ସକ୍ରିୟ ରାଜନୀତିରେ ବି ଅଂଶଗ୍ରହଣ କରିଥିଲେ।
ଚାକଚକ୍ୟ ଛାଡ଼ି ଶ୍ବେତା ହେଲେ ‘ମାତା’, ବିଶ୍ବମ୍ବର ହେଲେ ବାବା
୨୦୧୯ ମସିହା ଜାନୁଆରି ମାସରେ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ସଉରାଗୁଡ଼ା ଗ୍ରାମର ଶିରିଡ଼ି ସାଇ ମନ୍ଦିରରେ ‘ବିଶ୍ବଶାନ୍ତି ମହାଯଜ୍ଞ’ ଆୟୋଜନ କରିଥିଲେ ମାତା ମାହେଶ୍ବରୀ ଓ ଅନନ୍ତ କେଶରୀ ସମ୍ରାଟ ବିଶ୍ବମ୍ବର ମହାରାଜ। ଏହି ଦୁଇ ମୁହଁ ସେଠାକାର ଲୋକଙ୍କୁ ଚିହ୍ନା ଚିହ୍ନା ଲାଗିଥିଲା ଏବଂ ଉଭୟ କିଏ ଚିହ୍ନିବାକୁ ବେଶୀ ସମୟ ଲାଗିନଥିଲା। ମାତା ମାହେଶ୍ବରୀ ଥିଲେ ବିଗତ ଦିନର ଗ୍ଲାମରସ୍ ଓଡ଼ିଆ ଅଭିନେତ୍ରୀ ଶ୍ବେତା ମଲ୍ଲିକ। ବାବା ଥିଲେ ସମ୍ରାଟ୍ କ୍ୟାସେଟ୍ର ମାଲିକ ବିଶ୍ବମ୍ବର ସାବତ। ସେମାନେ ଗ୍ଲାମର୍ ଦୁନିଆରୁ ନିଖୋଜ ହେବାର ପାଖାପାଖି ୧୮ ବର୍ଷ ପରେ ସେଠାରେ ପ୍ରଥମଥର ପାଇଁ ଦେଖାଯାଇଥିଲେ। ଜଣାପଡ଼ିଥିଲା ଯେ, ଉଭୟ ସଂସାର ଛାଡ଼ି ବାବା ଓ ମାତା ହୋଇଯାଇଥିବା ବେଳେ ଚାରିଆଡ଼େ ବୁଲି ବୁଲି ବିଶ୍ବଶାନ୍ତି ମହାଯଜ୍ଞ କରୁଛନ୍ତି। ୨୦୧୯ ସୁଦ୍ଧା ସେ ୨୬ଟି ଯଜ୍ଞ ଶେଷ କରିଥିବା ବେଳେ ଜୟପୁରର ଯଜ୍ଞ ଥିଲା ୨୭ ନମ୍ବର।
୧୯୯୫ ମସିହାେର ‘ସୁନା ପଞ୍ଜୁରୀ’, ୧୯୯୬ରେ ‘ସୁହାଗ ସିନ୍ଦୂର’ ଓ ୧୯୯୯ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଧର୍ମ ନିକିତି’ ସହ ୭ଟି ଓଡ଼ିଆ, ୨ଟି ତେଲୁଗୁ ଓ କିଛି ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଶ୍ବେତା। ଅନେକ ଆଲ୍ବମ୍ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି। ଜୟପୁର ଯଜ୍ଞ ସମୟରେ ଶ୍ବେତା ଏକ ସାକ୍ଷାତ୍କାରରେ କହିଥିଲେ, ‘‘ଗ୍ଲାମର୍ ଦୁନିଆର ଚାକଚକ୍ୟ ଭିତରେ ମୁଁ ବୁଡ଼ି ରହିଥିଲି। ହେଲେ ୨୦୦୦ ମସିହା ବେଳକୁ ମୋ ଭିତରେ ଏକ ଚେତନା ଜାଗ୍ରତ ହେଲା। ମୋତେ ଗ୍ଲାମର୍ ଦୁନିଆରେ କାମ କରିବା ଅଶ୍ବସ୍ତିକର ମନେ ହୋଇଥିଲା। ଏସବୁ ଛାଡ଼ି ସଂସାର କଲ୍ୟାଣରେ ଲାଗିବାକୁ ମୁଁ ଚାହିଲି। ଭଗବାନ ମୋତେ ବିଶ୍ବଶାନ୍ତି ପାଇଁ ଯଜ୍ଞ କରିବାକୁ ପରାମର୍ଶ ଦେଇଥିବାରୁ ମୁଁ ସେଇ ମାର୍ଗରେ ଆଗକୁ ବଢ଼ିଥିଲି। ସେତେବେଳକୁ ମୁଁ ବିଶ୍ବମ୍ବର ସାବତଙ୍କୁ ବିଲ୍କୁଲ୍ ଚିହ୍ନିନଥିଲି। ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ ଅନ୍ବେଷଣ କରିବା ସମୟରେ ମୁଁ ବାବାଙ୍କୁ ଭେଟିଥିଲି।’’
/sambad/media/media_files/2025/02/16/JLPHdXiakN7oObWoXd5I.jpg)
ଆଇଏଏସ୍ ସୁନୀଲ ପଟ୍ଟନାୟକରୁ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ
‘ମୁଁ ବି ଦିନେ କଲେକ୍ଟର ହେବି’ ଏଇ ସ୍ବପ୍ନ ଅନେକଙ୍କ ଭିତରେ ଥାଏ। ହେଲେ ଏହି ସ୍ବପ୍ନ ହାତ ପାହାନ୍ତାରେ ପହଞ୍ଚୁ ପହଞ୍ଚୁ କେହି କ’ଣ ତାକୁ ହାତଛଡ଼ା କରନ୍ତି! ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଆଇଏଏସ୍ ସୁନୀଲ ପଟ୍ଟନାୟକରୁ ସାଧୁ ପାଲଟିଥିବା ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ। ସୁନୀଲ ପଟ୍ଟନାୟକ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବାସିନ୍ଦା। ପିଲାଟିଦିନୁ ସେ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହୋଇଥିଲେ। ସୁନୀଲ ଯେତେବେଳେ ମସୁରୀର ନ୍ୟାସ୍ନାଲ୍ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନ୍ରେ ପ୍ରଶିକ୍ଷଣ ନେଉଥିଲେ, ସ୍ବାମୀ ଶିବାନନ୍ଦଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଥିଲେ। ଶାସନ ଓ ଆଇନର ପାଠ୍ୟକ୍ରମ ମଧ୍ୟରେ ତାଙ୍କ ମନ ଜୀବନର ଉଦ୍ଦେଶ୍ୟକୁ ନେଇ ଅସ୍ତିତ୍ବଗତ ପ୍ରଶ୍ନରେ ଛଟପଟ ହୋଇ ଉଠିଥିଲା। ଦିନେ ସୁନୀଲ ନିଜର ଦୁଇ ସାଙ୍ଗଙ୍କ ସହ ସପ୍ତାହାନ୍ତ ଭ୍ରମଣ ସମୟରେ ଋଷିକେଶସ୍ଥିତ ଶିବାନନ୍ଦ ଆଶ୍ରମକୁ ଯାଇଥିଲେ। ଏହି ଗସ୍ତ ତାଙ୍କ ପାଇଁ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଥିଲା। ସୁନୀଲଙ୍କ ଚିନ୍ତାଧାରା ଓ ଚେତନାରେ ଭିନ୍ନତା ଆସିଥିଲା। ସେବେଠାରୁ ସେ ଆଧ୍ୟାତ୍ମବାଦୀ ହୋଇଥିବା ବେଳେ ଏହାର ୨୨ ବର୍ଷ ପରେ ୧୯୯୦ ମସିହାରେ ସନ୍ୟାସ ନେଇ ଶିବାନନ୍ଦ ଆଶ୍ରମ ଚାଲିଯାଇଥିଲେ। ଏବେ ସେ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ଭାବେ ଋଷିକେଶସ୍ଥିତ ଶିବାନନ୍ଦ ଆଶ୍ରମରେ ଥିବା ଡିଭାଇନ୍ ଲାଇଫ୍ ସୋସାଇଟିର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।
ରୁପେଲି ପରଦାରୁ ସ୍ବାମୀ ନିତ୍ୟ ଚୈତନ୍ୟ
ସେ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ରାଜେଶ ଖାନ୍ନା। ତାଙ୍କ ରୂପ ଓ ଅଭିନୟରେ ପାଗଳ ଥିଲେ ଲକ୍ଷ ଲକ୍ଷ ଯୁବତୀ। ତାଙ୍କ ସହ କାମ କରିବାକୁ ଲାଗୁଥିଲା ଚଳଚ୍ଚିତ୍ର ନିର୍ମାତାଙ୍କ ଲମ୍ବାଧାଡ଼ି। ୧୯୭୨ ମସିହାରେ ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଧରିତ୍ରୀ’ରେ ଅଭିନୟ କରି ତତ୍କାଳ ସଫଳତା ପାଇଥିଲେ ସେ ସମୟର ଚକ୍ଲେଟ୍ ହିରୋ ଶ୍ରୀରାମ ପଣ୍ଡା। ଏହାପରେ ‘ଯାଯାବର’, ‘ରକ୍ତ ଗୋଲାପ’, ‘ନାଗଫାଶ’, ‘ସମୟ’, ‘ସିନ୍ଦୂର ବିନ୍ଦୁ’, ‘ହିସାବ ନିକାସ’, ‘ସ୍ବପ୍ନସାଗର’ ଭଳି ବହୁ ଚଳଚ୍ଚିତ୍ର ଉପହାର ଦେଇଥିଲେ। ୨୦ ବର୍ଷର ଚଳଚ୍ଚିତ୍ର ଜୀବନରେ ସେ ୩୦ଟି ଓଡ଼ିଆ ଚଳଚ୍ଚିତ୍ର ସହ ୨୦ରୁ ଊର୍ଦ୍ଧ୍ବ ବଙ୍ଗଳା ଚଳଚ୍ଚିତ୍ର କରି ସଫଳତାର ଶୀର୍ଷରେ ପହଞ୍ଚିଥିଲେ। ‘କ୍ୟାଭେଣ୍ଡର୍ ସିଗାରେଟ୍’ର ବ୍ରାଣ୍ଡ ଆମ୍ବାସଡର୍ ହୋଇଥିଲେ। ସାରା ଦେଶରେ ତାଙ୍କ ପୋଷ୍ଟର୍ ଲାଗିଥିଲା। ଏଭଳି ଈର୍ଷଣୀୟ ସଫଳତା ପାଇଥିବା ଏକମାତ୍ର ଓଡ଼ିଆ ଅଭିନେତା ହେଉଛନ୍ତି ଶ୍ରୀରାମ ପଣ୍ଡା। ପୋଷ୍ଟର୍ରେ ଶ୍ରୀରାମଙ୍କ ସିଗାରେଟ୍ ଟାଣିବା ଶୈଳୀ ପ୍ରଶଂସକଙ୍କୁ ପସନ୍ଦ ଆସିଥିଲା।
/sambad/media/media_files/2025/02/16/8v5OxdKMGCjsgrPnfafN.jpg)
୧୯୯୨ ମସିହାରେ ନିଜ କ୍ୟାରିୟର୍ର ଶୀର୍ଷରେ ଥିବା ବେଳେ ଶ୍ରୀ ପଣ୍ଡା ଚଳଚ୍ଚିତ୍ର ଜଗତ ସହ ପତ୍ନୀ ଓ ଦୁଇ ସନ୍ତାନଙ୍କୁ ଛାଡ଼ି ଚାଲିଯାଇଥିଲେ। ସେ କୁଆଡ଼େ ଚାଲିଗଲେ, କେଉଁଠି ଅଛନ୍ତି; ତା’କୁ ନେଇ କଳ୍ପନାଜଳ୍ପନା ଜୋର୍ ଧରିଥିଲା ବେଳେ ସେ ସ୍ବାମୀ ସତ୍ୟାନନ୍ଦଙ୍କର ବିହାରର ମୁଙ୍ଗେର ଆଶ୍ରମକୁ ଚାଲିଯାଇ ସନ୍ୟାସୀ ପାଲଟିଯାଇଥିଲେ। ଏହାର ୧୬ ବର୍ଷ ପରେ ତାଙ୍କୁ ଦେଖିବାକୁ ମିଳିଥିଲା ଭିନ୍ନ ରୂପରେ। ମସ୍ତକ ମୁଣ୍ଡନ କରି ଗେରୁଆ ପରିଧାନ କରି ଏହି ଅଭିନେତା ପାଲଟି ଯାଇଥିଲେ ମୁଙ୍ଗେର ସ୍କୁଲରେ ଯୋଗ ଶିଖାଉଥିବା ସ୍ୱାମୀ ନିତ୍ୟ ଚୈତନ୍ୟ। ଏକ ସାକ୍ଷାତ୍କାରରେ ସେ କହିଛନ୍ତି, “ସେତେବେଳେ ମୁଁ କ୍ୟାଭେଣ୍ଡର୍ ବ୍ରାଣ୍ଡ୍ ସିଗାରେଟ୍ର ପ୍ରଚାରପ୍ରସାର କରିଥିଲି। ଏହାଫଳରେ ଅନେକ ଧୂମପାନ ଭଳି କୁଅଭ୍ୟାସକୁ ଆପଣାଇନେଇଛନ୍ତି। ଏଥିପାଇଁ ମୁଁ ନିଜକୁ ଦୋଷୀ ଅନୁଭବ କରୁଥିଲି। ଏହା ମୋ ଭିତରେ ବିରାଟ ପରିବର୍ତ୍ତନ ଆଣିଥିଲା। ଆଧ୍ୟାତ୍ମିକ ଉପାୟରେ ନିଜକୁ ଓ ଅନ୍ୟମାନଙ୍କୁ ପରିବର୍ତ୍ତନ କରିବାକୁ ମୁଁ ସ୍ଥିର କରିନେଇଥିଲି।’’ ସେ ଆହୁରି କହିଥିଲେ, “ଯଦି ଆପଣ ଭାବୁଛନ୍ତି ଯେ ଜୀବନର ସୁଖ ମାନବ ସମ୍ପର୍କରୁ ଆସିଥାଏ, ତେବେ ଆପଣ ଭୁଲ୍ ଅଟନ୍ତି। କାରଣ ଭଗବାନ ଚାରିପାଖରେ ଅଛନ୍ତି। ସେ ସର୍ବବିଦ୍ୟମାନ ଓ ପ୍ରତିଟି ଅନୁଭୂତିରେ ସେ ଉପସ୍ଥିତ। ନୂତନ ଅନୁଭୂତି ସାଉଁଟିବା ହିଁ ଆତ୍ମାର ମୂଳ ଉଦ୍ଦେଶ୍ୟ।’’
Follow Us