ଅନେକ ଝିଅ ଛୋଟ ବେଳେ ଡିଜ୍ନି ରାଜକୁମାରୀ ହେବାର ସ୍ବପ୍ନ ଦେଖିଥାନ୍ତି। ଅବଶ୍ୟ ଏ ସ୍ବପ୍ନ ସତ ହେବାର ସମ୍ଭାବନା ନାହିଁ ବୋଲି ବଡ଼ ହେବା ପରେ ସମସ୍ତେ ଅନୁଭବ କରନ୍ତି। କିନ୍ତୁ ୟୁନାଇଟେଡ୍ କିଙ୍ଗଡମ୍ର ଜଣେ ୨୭ ବର୍ଷୀୟ ମହିଳା ଡିଜ୍ନି ରାଜକୁମାରୀ ହେବା ପାଇଁ ଶିକ୍ଷକତା ଚାକିରି ଛାଡ଼ିଦେଇଛନ୍ତି। ପିଟରବରୋ ସହରରେ ରହୁଥିବା ଉକ୍ତ ମହିଳାଙ୍କ ନାମ ଅଲିଭିଆ କଟ୍ଫର୍ଥ।
ସେ ପୂର୍ବରୁ କଳା ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ୨୦୨୧ରେ ଲକ୍ଡାଉନ୍ ସମୟରେ ସେ ‘ବିୟୋଣ୍ଡ୍ ଏ ପ୍ରିନ୍ସେସ୍’ ନାମକ ମନୋରଂଜନ କମ୍ପାନି ଆରମ୍ଭ କରିଥିଲେ। ଏହି କମ୍ପାନିରେ ଅଲିଭିଆଙ୍କ କାମ ହେଲା ଡିଜ୍ନିର ବିଭିନ୍ନ ରାଜକୁମାରୀ ବେଶରେ ସଜେଇ ହୋଇ ପିଲାଙ୍କ ପାର୍ଟି, କର୍ପୋରେଟ୍ ଉତ୍ସବ ଆଦିରେ ଯୋଗ ଦେବା। ତାଙ୍କର ଏହି ଉଦ୍ୟୋଗ ଏତେ ସଫଳ ହୋଇଛି ଯେ ମାତ୍ର ଛଅ ମାସ କାମ କରି ସେ ଅଢ଼େଇ କୋଟି ଟଙ୍କାର ଘରଟିଏ କିଣିପାରିଛନ୍ତି। ଏବେ ସେ ନିଜ କମ୍ପାନିରେ ଅନ୍ୟ ମହିଳାଙ୍କୁ ନିଯୁକ୍ତି ଦେବା ସହିତ ବାସ୍ତବ ଜୀବନରେ ଡିଜ୍ନି ରାଜକୁମାରୀ ହେବାର ସୁଯୋଗ ପ୍ରଦାନ କରୁଛନ୍ତି।
Follow Us