ବିବାହ ବିଚ୍ଛେଦ ଭୋଗୁଥିବା ଦମ୍ପତିଙ୍କ ଶିଶୁମାନଙ୍କର ଭବିଷ୍ୟତରେ ମସ୍ତିଷ୍କଘାତ ଆଶଙ୍କା ଅଧିକ ରହିଥାଏ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। କାନାଡାର ଟରଣ୍ଟୋ ବିଶ୍ବବିଦ୍ୟାଳୟର ଗବେଷକମାନେ ୧୩,୨୦୫ ଜଣ ୬୫ ବର୍ଷରୁ ଅଧିକ ବୟସ୍କ ଆମେରିକୀୟଙ୍କ ସାମାଜିକ ଓ ଶାରୀରିକ ସ୍ଥିତିକୁ ତର୍ଜମା କରି ଏ ସିଦ୍ଧାନ୍ତରେ ପହଞ୍ଚିଛନ୍ତି।
ପିତାମାତାଙ୍କ ବିବାହ-ବିଚ୍ଛେଦ ଦେଖିଥିବା ମହିଳାଙ୍କ ତୁଳନାରେ ପୁରୁଷଙ୍କର ମସ୍ତିଷ୍କଘାତ ଆଶଙ୍କା ୪୭% ଅଧିକ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ପୁରୁଷ-ମହିଳା ନିର୍ବିଶେଷରେ ବୟସ ବଢ଼ିବା ସହିତ ସେମାନଙ୍କର ମସ୍ତିଷ୍କଘାତ ଆଶଙ୍କା ବଢ଼ିଯାଏ
ଶିଶୁମାନେ ବଡ଼ ହେଉଥିବା ସମୟରେ ପିତାମାତାଙ୍କ ବିବାହ-ବିଚ୍ଛେଦ ପରି ଆବେଗାତ୍ମକ ବିଭ୍ରାଟ ସେମାନଙ୍କର ଅବଶିଷ୍ଟ ଜୀବନରେ ଏପରି ସ୍ବାସ୍ଥ୍ୟଗତ ସମସ୍ୟା ଆଣିଥାଏ ବୋଲି ଗବେଷକମାନେ କହିଛନ୍ତି। ସେମାନଙ୍କ ବ୍ୟାଖ୍ୟା ଅନୁଯାୟୀ, ବିବାହ-ବିଚ୍ଛେଦ ହେଉଥିବା ପରିବାରରେ ବଢ଼ିଥିବା ଶିଶୁମାନେ ବୟସ୍କ ଅବସ୍ଥାରେ ମସ୍ତିଷ୍କଘାତ ଭୋଗିବାର ଆଶଙ୍କା ୬୦ ପ୍ରତିଶତ ଅଧିକ ରହିଥାଏ। ସାଧାରଣତଃ ପିଲାବେଳେ ଶାରୀରିକ ତଥା ଯୌନ ନିର୍ଯାତନା ଭୋଗିଥିବା ଶିଶୁଙ୍କର ପରବର୍ତ୍ତୀ ଜୀବନରେ ଏହି ଆଶଙ୍କା ଅଧିକ ରହିଥାଏ ବୋଲି ପୂର୍ବରୁ ଜଣା ଥିଲା। ତେବେ ପିତାମାତାଙ୍କ ବିବାହ-ବିଚ୍ଛେଦ ସହିତ ଉପରୋକ୍ତ ସମ୍ପର୍କ ରହିଛି ବୋଲି ଏହି ନୂଆ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଗବେଷକମାନେ ଅନୁଧ୍ୟାନରେ ସାମିଲ କରିଥିବା ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଶୈଶବାବସ୍ଥାରେ ଯୌନ ନିର୍ଯାତନାର ଶିକାର ହୋଇ ନଥିଲେ। ତେବେ ସେମାନଙ୍କ ଭିତରୁ ୧୪ ପ୍ରତିଶତ ବୟସ୍କ ବ୍ୟକ୍ତି ସେମାନଙ୍କୁ ୧୮ ବର୍ଷ ହେବା ପୂର୍ବରୁ ପିତାମାତାଙ୍କର ବିବାହ-ବିଚ୍ଛେଦର ପରିଣତି ଭୋଗିଥିବା କହିଥିଲେ। ସେହିପରି ପିତାମାତାଙ୍କ ବିବାହ-ବିଚ୍ଛେଦ ଭୋଗିଥିବା ମହିଳାଙ୍କ ତୁଳନାରେ ପୁରୁଷଙ୍କର ମସ୍ତିଷ୍କଘାତ ଆଶଙ୍କା ୪୭ ପ୍ରତିଶତ ଅଧିକ ବୋଲି ଉକ୍ତ ଅଧ୍ୟୟନରୁ ଜଣାଯାଇଛି। ଏଥି ସହିତ ପୁରୁଷ-ମହିଳା ନିର୍ବିଶେଷରେ ବୟସ ବଢ଼ିବା ସହିତ ସେଭଳି ଶିଶୁ (ବୟସ୍କ ହେଲା ପରେ)ଙ୍କର ମସ୍ତିଷ୍କଘାତ ଆଶଙ୍କା ବଢ଼ିଥାଏ।
ସେହିପରି ମଧୁମେହରେ ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଆଶଙ୍କା ୩୭ ପ୍ରତିଶତ ଅଧିକ ଏବଂ ଅବସାଦଗ୍ରସ୍ତଙ୍କ କ୍ଷେତ୍ରରେ ତାହା ୭୬ ପ୍ରତିଶତ ଅଧିକ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି। ତେବେ ଏହାର ସମ୍ଭାବ୍ୟ କାରଣ ଦର୍ଶାଇବାକୁ ଯାଇ ଗବେଷକମାନେ କହିଛନ୍ତି ଯେ, ବିବାହ-ବିଚ୍ଛେଦ ବେଳେ ବେଳେ ପାରିବାରିକ ସଂଘର୍ଷ ଓ ଉତ୍ତେଜନା ସୃଷ୍ଟି କରିଥାଏ। ଫଳରେ ଏହାର ଶିକାର ହୋଇଥିବା ଶିଶୁ ଏକାଧିକ ସ୍ଥାନରେ ପଢ଼ିବାକୁ ବା ରହିବାକୁ ବାଧ୍ୟ ହୋଇଥାଏ। ଏହା ମାନସିକ ସ୍ତରରେ ଅସନ୍ତୁଳନ ସୃଷ୍ଟି କରି ସେମାନଙ୍କ ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରିଥାଏ। ୨୦୨୨ ମସିହାରେ ଅନ୍ୟ ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା କି, ପିତାମାତାଙ୍କ ବିବାହ-ବିଚ୍ଛେଦ ଭୋଗିଥିବା ୧୦ ବର୍ଷରୁ କମ୍ ବୟସର ଶିଶୁଙ୍କର ମଧ୍ୟବୟସ ବେଳେ ଉଚ୍ଚ ରକ୍ତଚାପ ଭୋଗିବାର ଆଶଙ୍କା ଅଧିକ ରହିଥାଏ। ସେହି ଶିଶୁମାନେ ପରବର୍ତ୍ତୀ ସମୟରେ ମସ୍ତିଷ୍କଘାତର ସମ୍ମୁଖୀନ ହେବାରେ ଏହା ମଧ୍ୟ ଏକ କାରଣ ହୋଇପାରେ ବୋଲି ଗବେଷକମାନେ ଅନୁମାନ କରୁଛନ୍ତି।
Follow Us