ଡିଭୋର୍ସିରୁ ଛାଡ଼ପତ୍ର ମାମଲାରେ ଦେଶର ଶ୍ରେଷ୍ଠ ଆଇନଜୀବୀ: ବନ୍ଦନାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଥିଲା ଏମିତି

Advertisment
ଡିଭୋର୍ସିରୁ ଛାଡ଼ପତ୍ର ମାମଲାରେ ଦେଶର ଶ୍ରେଷ୍ଠ ଆଇନଜୀବୀ: ବନ୍ଦନାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଥିଲା ଏମିତି

vandanashah.com

ଆଜି ଦିନରେ ମଧ୍ୟ ଅସଂଖ୍ୟ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି ଏବଂ ନିରବରେ ତାହା ସହିଯାଉଛନ୍ତି; ଲୋକଲଜ୍ଜା, ଅର୍ଥାଭାବ, ମାନସିକ ଦୁର୍ବଳତା ଆଦି ବିଭିନ୍ନ କାରଣରୁ। ସ୍ବାମୀଙ୍କଠାରୁ ନାନା ପ୍ରକାର ନିର୍ଯାତନା ଭୋଗୁଥିଲେ ସୁଦ୍ଧା ଛାଡ଼ପତ୍ର ନେବାକୁ ସେମାନେ ସାହସ କରି ନ ଥାନ୍ତି। ଆଉ କେତେକ କ୍ଷେତ୍ରରେ ବିବାହିତ ମହିଳାଙ୍କୁ ବାଧ୍ୟକରି ଶାଶୂଘରୁ ତଡ଼ି ଦିଆଯାଉଥିବାର ଅଭିଯୋଗ ଆସିଥାଏ। ମୁମ୍ବାଇର ବନ୍ଦନା ଶାହଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଘଟିଥିଲା, ଯିଏକି ଆଜି ଛାଡ଼ପତ୍ର ମାମଲାରେ ଜଣେ ଚର୍ଚ୍ଚିତ ଓକିଲ ଏବଂ ମହିଳାମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଉଥିବା ସାମାଜିକ କର୍ମୀ।

ବନ୍ଦନା ଏକ ପ୍ରତିଷ୍ଠିତ ପରିବାର‌େର ଜନ୍ମ ହୋଇଥିଲେ। ଏକ ବିତ୍ତଶାଳୀ ବ୍ୟବସାୟୀ ପରିବାରର ‌େବାହୂ ମଧ୍ୟ ହୋଇଥିଲେ। କିନ୍ତୁ ବିବାହର କିଛି ବର୍ଷ ପରେ ୨୦୦୦ ମସିହାରେ ତାଙ୍କ ସ୍ବାମୀ ଛ‌ାଡ଼ପତ୍ର ପାଇଁ ଆବେଦନ କରିଥିଲେ ଏବଂ ଘରୁ ବାହାର କରିଦେଇଥିଲେ। ସେତେବେଳେ ବନ୍ଦନାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ମାତ୍ର ୭୫୦ ଟଙ୍କା ଥିଲା। ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ବନ୍ଦନା। ସେ ମନସ୍ତତ୍ତ୍ବ ବିଜ୍ଞାନରେ ସ୍ନାତକ ତଥା ଆଡ୍‌ଭର୍ଟାଇଜିଂରେ ଡିପ୍ଲୋମା ପାଠ ପଢ଼ିଥିଲେ। ଛାଡ଼ପତ୍ର ପରେ ସେ ଶିକ୍ଷକତା କରିବାକୁ ଚାହିଥିଲେ, କାହିଁକିନା ବିଜ୍ଞାପନ ଶିଳ୍ପରେ ମହିଳାମାନଙ୍କୁ ଗୁରୁତ୍ବ ଦିଆଯାଉ ନ ଥିବାର ସେ ଉପଲବ୍‌ଧି କରିଥିଲେ। ଅପରପକ୍ଷରେ ଅଦାଲତରେ କେସ୍ ଲଢ଼ିବାକୁ ତାଙ୍କ ପାଖରେ ଟଙ୍କା ନ ଥିଲା। ମାମଲା ଶେଷ ହେଲାବେଳକୁ ଦଶ ବର୍ଷ ଲାଗିଯାଇଥିଲା।

publive-image YourStory

ସେତେବେଳେ ବନ୍ଦନା ମନସ୍ଥ କରିଥିଲେ, ‘ମୁଁ ଆଇନ ବିଷୟରେ କିଛି ଜାଣିନାହିଁ। କିନ୍ତୁ ମୋତେ ଏ କେସ୍ ନିଜେ ଲଢ଼ିବାର ଅଛି।’ କୋର୍ଟ ଗଲାବେଳେ ସେ ଦେଖୁଥିଲେ ଯେ ତାଙ୍କ ଭଳି ଅନେକ ମହିଳା ସମଦଶା ଭୋଗୁଛନ୍ତି। ଏହା ତାଙ୍କ ଜୀବନର ଧାରା ପରିବର୍ତ୍ତନ କରିଦେଇଥିଲା। ନିଜ ମାମଲା ଲଢ଼ିବାର ଦୁଇ ବର୍ଷ ମଧ୍ୟରେ ସେ ଏକ ଗ୍ରୁପ୍ ଗଢ଼ିଥିଲେ ଯାହାର ନାଁ ଦେଇଥିଲେ ‘୩୬୦ ଡିଗ୍ରୀ ବ୍ୟାକ୍ ଟୁ ଲାଇଫ୍’। ତାହା ଥିଲା ଦେଶର ପ୍ରଥମ ସଂସ୍ଥା ଯିଏ ଛାଡ଼ପତ୍ର ମାମଲା ଲଢୁଥିବା ଲୋକଙ୍କୁ ଆଇନଗତ ସହାୟତା ଏବଂ କାଉନ୍‌ସେଲିଂ ପ୍ରଦାନ କରିବା ଆରମ୍ଭ କରିଥିଲା। ଗ୍ରୁପ୍ ଗଢ଼ିବା ସହ ସେ ଏକ ବେସରକାରୀ ସଂସ୍ଥାରେ କାମ କଲେ ଏବଂ ଆଇନ ପାଠ ପଢ଼ିଲେ। ମୁକ୍ତବୃତ୍ତ ଲେଖିକା ଭାବେ ମଧ୍ୟ କିଛି ଆୟ କଲେ। ୨୦୦୮ରେ ପ୍ରକାଶ ପାଇଲା ତାଙ୍କର ପ୍ରଥମ ବହି ‘୩୬୦ ଡିଗ୍ରୀ ବ୍ୟାକ୍ ଟୁ ଲାଇଫ୍: ଏ ଲିଟିଗାଣ୍ଟ୍‌ସ ହ୍ୟୁମରସ୍ ପର୍ସପେକ୍‌ଟିଭ୍ ଅନ୍ ଡାଇଭୋର୍ସ।’

publive-image vagabomb.com

ସେ କହନ୍ତି, ‘ମୁଁ ଛାଡ଼ପତ୍ର ମାମଲା ଲଢୁଥିବା ବେଳେ ମୋ ପାଖରେ ଦୁଇଟି ବିକଳ୍ପ ଥିଲା। ମୋ ଜୀବନ ଶେଷ ହୋଇଗଲା ବୋଲି କାନ୍ଦିବି, ନା ଏହାକୁ ହାଲୁକା ଭାବେ ନେଇ ନୂଆ କିଛି ସକାରାତ୍ମକ କାମ କରିବି। ମୁଁ ଏହି ଲମ୍ବା ସମୟର କେସ୍‌କୁ ଏକ ମଜାଦାର ଘଟଣା ଭାବେ ଗ୍ରହଣ କଲି। ବହି ପ୍ରକାଶ ପାଇଲା ପରେ ସମସ୍ତେ କହିଲେ, ମୋର ବିବାହ ବିଫଳ ହୋଇଛି, କିନ୍ତୁ ମୁଁ ସଫଳ। ଏହି ବହିର ରୟାଲଟି ପଇସାରେ ମୁଁ ଲ କଲେଜର ଫି ଦେଇଛି।’

ଆଇନ ଶିକ୍ଷା ସମାପ୍ତ ପରେ ବନ୍ଦନା ଆଇନଜୀବୀ ଭା‌େବ ପଞ୍ଜୀକରଣ କଲେ। ମହିଳାମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ୨୦୧୪ରେ ତାଙ୍କର ଦ୍ବିତୀୟ ପୁସ୍ତକ ‘ଦି ଏକ୍ସ ଷ୍ଟୋରୀ: ଦି ଷ୍ଟୋରି ଅଫ୍ ମାଇଁ ଡିଭୋର୍ସ’ ପେଙ୍ଗୁଇନ ବୁକ୍ସ ଦ୍ବାରା ପ୍ରକାଶିତ ହେଲା। ବନ୍ଦନା କହନ୍ତି, ଅପମାନ ମିଳୁଥିବା ମୂଲ୍ୟହୀନ ସମ୍ପର୍କରୁ ଜଣେ ବାହାରି ଆସିବା ଉଚିତ। ବନ୍ଦନା ଏବେ ଏକ ମୋବାଇଲ୍‌ ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଛାଡ଼ପତ୍ର ସମ୍ପର୍କିତ ସହାୟତା ମିଳିପାରୁଛି। ଛାଡ଼ପତ୍ର ମାମଲାରେ ତାଙ୍କୁ ଦେଶର ଶ୍ରେଷ୍ଠ ଆଇନଜୀବୀ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe