ଆଜିର ଜର୍ମାନୀ ଏକ ପରିଚ୍ଛନ୍ନ କାରାଗାର : ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ

Advertisment
ଆଜିର ଜର୍ମାନୀ ଏକ ପରିଚ୍ଛନ୍ନ କାରାଗାର : ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ

ସମଗ୍ର ବିଶ୍ବ ଅଜି ଗୃହବନ୍ଦୀ, କରୋନା ମହାମାରୀକୁ ନେଇ ସମସ୍ତେ ଆଜି ଭୟଭୀତ। ଆଜିର ଜର୍ମାନୀ ଏକ 'ପରିଚ୍ଛନ୍ନ କାରାଗାର'। ଏଇ କାରାଗାରରେ ସମସ୍ତେ କେବଳ କାରାରୁଦ୍ଧ ନୁହନ୍ତି, ପ୍ରତ୍ୟେକ ମଣିଷ ମଧ୍ୟ ସମ୍ପୂର୍ଣ୍ଣ ସଙ୍ଗରୋଧ। ବିଶ୍ବାସ ଓ ଅବିଶ୍ବାସ ଭିତରେ ଆଜି ଏ ଦେଶରେ ପାର୍ଥକ୍ୟ ଅର୍ଥହୀନ ହୋଇପଡ଼ିଛି। ମା'ର ମାତୃତ୍ବ, ପିତାର ପିତୃତ୍ବ ଓ ବନ୍ଧୁର ବନ୍ଧୁତ୍ବ ଇତ୍ୟାଦି ଆଜି ମୃତ୍ୟୁର କାଳଫାଶକୁ ରୂପାନ୍ତରିତ ହୋଇଯାଇଛି। ଜାତି-ଧର୍ମ-ବର୍ଣ୍ଣ-ସମ୍ପ୍ରଦାୟ-ସମ୍ପର୍କ ନିର୍ବିଶେଷରେ ପ୍ରତ୍ୟେକ ମଣିଷ ଆଜି ଜର୍ମାନୀରେ ଅନ୍ୟ ସମସ୍ତଙ୍କ ପାଇଁ 'ଅସ୍ପୃଶ୍ୟ' ହୋଇଯାଇଛି। ଆଜି ଶାରୀରିକ ଦୂରତ୍ବ ବଜାୟ ରଖିବା ହେଉଛି ନିଜେ ତିଷ୍ଠି ରହିବାର ଏକ ନୂତନ ସାମାଜିକ ନୀତି।

ସମଗ୍ର ବିଶ୍ବ ଆଜି ସଙ୍ଗରୋଧର ଶିକାର। ପ୍ରତି ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ସଙ୍ଗରୋଧ ସହିତ ସନ୍ଧି କରିଦେଇଛନ୍ତି। ସେମାନେ ବି ଜଣେ ଜଣେ ମଣିଷ। ତାଙ୍କୁ ବି ବଞ୍ଚିବାକୁ ହେବ। ଧ୍ବଂସ ପରବର୍ତ୍ତୀ ରଚନାର ନାୟକ ସାଜିବାର ଲାଳସା ମଧ୍ୟ ସେମାନଙ୍କର ରହିଛି। ଆଶାର ଅନ୍ୟ ନାମ ତ ଜୀବନ, ସେମାନେ ବାଦ୍‌ ଯାଆନ୍ତେ କିପରି? ଏପରି ଦୁଃସ୍ଥିତିରେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ପରି ଜର୍ମାନୀର ଚାନ୍ସଲର୍‌ ଆ‌ଞ୍ଜେଲା ମେର୍‌କେଲ୍‌ ରାଷ୍ଟ୍ରର ସମସ୍ତ ଦାୟିତ୍ବ ଜନସାଧାରଣଙ୍କ ଉପରେ ଲଦି ଦେଇଛନ୍ତି। 'ଦୂରତା ହିଁ ଏକତା' ତାଙ୍କର ‌ସ୍ଳୋଗାନ୍‌ ହୋଇଛି, ଓ ଜର୍ମାନୀର ଶୃଙ୍ଖଳିତ ଜନସାଧାରଣ ତ‌ାଙ୍କ କଥାକୁ ମାନିନେଇଛନ୍ତି। ପୋଲିସ ପକ୍ଷରୁ କୌଣସି ପ୍ରକାର ଲାଠିଚାଳନା ଓ ଅମାନୁଷିକ କାର୍ଯ୍ୟର ଉଦାହରଣ ଗୋଟିଏ ହେଲେ ଦେଖିବାକୁ ମିଳିନାହିଁ। ସାଧାରଣ ଜନତାଙ୍କଠାରୁ ବିରୋଧୀ ଦଳ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ମେର୍‌କେଲଙ୍କ ଏହି ପଦକ୍ଷେପକୁ ବହୁମାତ୍ରାରେ ବାହାବା' କରିଛନ୍ତି।

କରୋନା ଭୟ ଯୋଗୁ ଜର୍ମାନୀର ସବୁ ଅନୁଷ୍ଠାନ କର୍ମକ୍ଷେତ୍ର ହେଉ ଅବା ଧର୍ମର ହେଉ, ଶିକ୍ଷା ବା ମଉଜମଜଲିସ୍‌ର ହେଉ ସବୁକିଛି ବନ୍ଦ ହୋଇଯାଇଛି। କେବଳ ଡାକ୍ତରଖାନା ଖୋଲା ଅଛି। ଜର୍ମାନୀର ଅର୍ଥନୀତି ଭୁଶୁଡ଼ିବା ଅବସ୍ଥାରେ। ଏଇ ଦେଶ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛି। ବିଭିନ୍ନ ଦେଶର ସୀମା ବନ୍ଦ କରାଯାଇଥିବାବେଳେ ଅନ୍ୟ ଦେଶର ଲୋକଙ୍କ ଆଗମନ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି। ଜର୍ମାନୀର ପ୍ରତ୍ୟେକ ସହର ଆଜି ଏକପ୍ରକାର 'ଶୂନ୍‌ଶାନ୍‌ ସହର‌'ରେ ପରିଣତ ହୋଇଯାଇଛି। ଜର୍ମାନୀରେ ଆଜିର ଖବର (୨୩.୪.୨୦୨୦) ଅନୁସାରେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୪୫୩ ଓ ମୃତ୍ୟୁ ୫୧୩୩ରେ ପହଞ୍ଚିଲାଣି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଜଣାପଡ଼ୁଛି, ଆଗକୁ ଆହୁରି ବହୁତ ବଢ଼ିପାରେ।

(ଜର୍ମାନୀରେ କରୋନାଜନିତ ପରିସ୍ଥିତି ସମ୍ପର୍କରେ 'ସମ୍ବାଦ'କୁ କହିଛନ୍ତି ସ୍ତମ୍ଭକାର ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe