‘ଏଭଳି କଟକଣା, ଅନୁଶାସନ ଦେଖିନଥିଲି’

Advertisment
‘ଏଭଳି କଟକଣା, ଅନୁଶାସନ ଦେଖିନଥିଲି’

ଭଦ୍ରକ: ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସାହିତ୍ୟିକ ଡ.ଶଶଧର ଦାସ ପ୍ରବାସୀ ଓଡ଼ିଆ ନୁହନ୍ତି। ହେଲେ, ଲକ୍‌ଡାଉନ୍‌ ଯୋଗୁ ଘରକୁ ଫେରିପାରି ନାହାନ୍ତି। ବେଙ୍ଗାଲୁରୁଠାରେ ଅଟକିବା ସହିତ ୨୦ ଦିନ ଧରି ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ଏଥିସହିତ, ପ୍ରତିମୁହୂର୍ତ୍ତରେ ସେ ଓଡ଼ିଶା କଥା ମନେ ପକାଉଛନ୍ତି ବୋଲି 'ସମ୍ବାଦ' ସହିତ କଥା ହେଲାବେଳେ କହିଛନ୍ତି ଡ. ଦାସ।

ଡ.ଦାସଙ୍କ ଘର ବି ଭଦ୍ରକରେ। ପୁଅବୋହୂ, ଝିଅଜ୍ବାଇଁ ସମସ୍ତେ ବେଙ୍ଗାଲୁରୁରେ ସଫ୍ଟୱେୟାର୍‌ ଇଞ୍ଜିନିୟର। ଅଧ୍ୟାପନା ଜୀବନରୁ ଅବସର ପରେ ପ୍ରଫେସର ଡ. ଦାସ ଭଦ୍ରକସ୍ଥିତ ନିଜ ଘରେ ରହୁଥିବାବେଳେ ସମୟାନ୍ତରରେ ବେଙ୍ଗାଲୁରୁ ଯାଇ ପୁଅବୋହୂ, ଝିଅଜ୍ବାଇଁଙ୍କ ପାଖରେ ରହିଥାନ୍ତି। ଗତ ଫେବ୍ରୁଆରିରେ ପତ୍ନୀଙ୍କ ସହ ବେଙ୍ଗାଲୁରୁ ଯାଇଥିଲେ ଡକ୍ଟର ଦାସ। ମାତ୍ର, ମାର୍ଚ୍ଚ ୧୪ ତାରିଖରୁ ଲକ୍‌ଡାଉନ୍‌ ଯୋଗୁ ଆଉ ଫେରିପାରିନାହାନ୍ତି। ଏଭଳି ସ୍ଥିତିରେ ନିରବି ଯାଇଛି ସଦାସର୍ବଦା ଚଳଚଞ୍ଚଳ ରହୁଥିବା ମେଟ୍ରୋ ସିଟି ବେଙ୍ଗାଲୁରୁ। ଡ. ଦାସ କହିଛନ୍ତି ଯେ, 'ସେପଟେ ପ୍ରତି କ୍ଷଣରେ ପୁଅଝିଅଙ୍କ ତାଗିଦ୍‌, ବାପା ତମେ ଫ୍ଲାଟ ଭିତରୁ ତଳକୁ ବି ଯିବନାହିଁ। ଏମିତି କଟକଣା ଓ ଅନୁଶାସନ ମୁଁ ମୋ ଜୀବଦଶାରେ କେବେ ଦେଖିନଥି‌ଲି।'

ଡ. ସାସ ଆହୁରି କହିଛନ୍ତି ଯେ, 'ଓଡ଼ିଶାରେ କରୋନା କଟକଣାକୁ ଲୋକେ ମାନୁନଥିବାବେଳେ ବେଙ୍ଗାଲୁରୁ ସହରରେ କିନ୍ତୁ ଲୋକମାନେ ବେଶ୍ ଶୃଙ୍ଖଳାର ସହ ଏହାକୁ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ପୁଲିସ ଲଗାଇ ଭିଡ଼ ଫାଙ୍କା କରିବାକୁ ପଡୁଥିବା ବେଳେ ସାମାଜିକ ମିଳାମିଶା ବାରଣ ପାଇଁ ବି ଅନେକ କସରତ କରିବାକୁ ପଡୁଛି। ମାତ୍ର ଏଠାରେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ କାହାକୁ ବାଧ୍ୟ କରାଯାଉନି।’

(ଡକ୍ଟର ଶଶଧର ଦାସଙ୍କ ସହ କଥା ହୋଇଥିଲେ ଭଦ୍ରକ ସମ୍ବାଦ ପ୍ରତିନିଧି ଡକ୍ଟର ହରିହର ନାୟକ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe