ସ୍ବପ୍ନ ରହସ୍ୟ: ସ୍ବପ୍ନ ସୂଚାଏ ରୋଗ

ଆମେ ଜାଣୁ ଡାକ୍ତରଖାନାରେ ଗୋଟିଏ ନିଦାନ ବିଭାଗ ଥାଏ। ସେମାନେ ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା କରି ସେଥିରୁ ରୋଗ ନିରୂପଣ କରନ୍ତି। ଆୟୁର୍ବେଦୀୟ ଡାକ୍ତରମାନେ ନାଡ଼ି ଦେଖି ଓ ରୋଗୀକୁ ବିଭିନ୍ନ ପ୍ରଶ୍ନ ପଚାରି ବି ରୋଗ ନିରୂପଣ କରନ୍ତି।

gdgdgccv

ଆମେ ଜାଣୁ ଡାକ୍ତରଖାନାରେ ଗୋଟିଏ ନିଦାନ ବିଭାଗ ଥାଏ। ସେମାନେ ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା କରି ସେଥିରୁ ରୋଗ ନିରୂପଣ କରନ୍ତି। ଆୟୁର୍ବେଦୀୟ ଡାକ୍ତରମାନେ ନାଡ଼ି ଦେଖି ଓ ରୋଗୀକୁ ବିଭିନ୍ନ ପ୍ରଶ୍ନ ପଚାରି ବି ରୋଗ ନିରୂପଣ କରନ୍ତି। ରୋଗୀ ଦେଖିଥିବା ସ୍ବପ୍ନର ବିଶ୍ଳେଷଣ କରି ବି ଅଭିଜ୍ଞ ଚିକିତ୍ସକ ରୋଗ ନିରୂପଣ କରିପାରନ୍ତି। ଆୟୁର୍ବେଦ ଶାସ୍ତ୍ରର ଜନକ ଚରକ ମହର୍ଷି ତାଙ୍କ ଚରକ ସଂହିତାରେ ସ୍ବପ୍ନରୁ କିପରି ରୋଗ ନିରୂପଣ କରାଯିବ ଓ ତା’ର କିପରି ଚିକତ୍ସା କରାଯିବ ତାହା ବର୍ଣ୍ଣନା କରିଛନ୍ତି। କେତେକ ସ୍ବପ୍ନ ଦୁରାରୋଗ୍ୟ ରୋଗକୁ ଇଙ୍ଗିତ କରେ, ଯାହାର ଆରୋଗ୍ୟ ସମ୍ଭବ ନୁହେଁ ଓ ମୃତ୍ୟୁ ସୁନିଶ୍ଚିତ।

ଚରକ ସଂହିତା ସୂତ୍ରସ୍ଥାନ, ନିଦାନ ସ୍ଥାନ, ଶରୀର ସ୍ଥାନ, ଇନ୍ଦ୍ରିୟ ସ୍ଥାନ, ଚିକିତ୍ସା ସ୍ଥାନ ଆଦି ବିଭିନ୍ନ ଭାଗରେ ବିଭକ୍ତ। ସେଥିମଧ୍ୟରୁ ଇନ୍ଦ୍ରିୟ ସ୍ଥାନ ଅନ୍ତର୍ଗତ ‘ପୂର୍ବରୂପୀୟମ୍ ଇନ୍ଦ୍ରିୟମ୍’ ଅଧ୍ୟାୟ ରୋଗର ପୂର୍ବାନୁମାନ କରିବା ପାଇଁ ସମର୍ପିତ। ଏହି ଅଧ୍ୟାୟରୁ ଜଣାପଡ଼ିଛି ଯେ ପ୍ରାଚୀନ କାଳରେ ଲକ୍ଷଣଗୁଡ଼ିକର ଜ୍ଞାନ ଓ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିଲା। କବିରାଜ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗକୁ ସତର୍କତାର ସହ ଚିହ୍ନିବା ଓ ରୋଗର ଗତିପଥର ପୂର୍ବାନୁମାନ କରିବା ପାଇଁ ସ୍ବପ୍ନଫଳ ଉପରେ ବି ଗୁରୁତ୍ୱ ଦେଉଥିଲେ। ନିଦାନ ବିଭାଗର ଆଠଟି ଅଧ୍ୟାୟରେ ରୋଗ ନିର୍ଣ୍ଣୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରାଯାଇଛି ଯାହା ଅନ୍ୟ ସମସ୍ତ ରୋଗ ପାଇଁ ମଧ୍ୟ ପ୍ରଯୁଜ୍ୟ ଏବଂ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବୈଧ। ସ୍ୱପ୍ନର ବିଭିନ୍ନ ଦିଗ ଯଥା ଶରୀର ବିଜ୍ଞାନ, ପ୍ରକାର, ବ୍ୟାଖ୍ୟା ଓ ପୂର୍ବାନୁମାନର ଗୁରୁତ୍ୱ ମଧ୍ୟ ବର୍ଣ୍ଣନା କରାଯାଇଛି। ବିଭିନ୍ନ ସ୍ୱପ୍ନ ସହିତ ଶାରୀରିକ ଓ ମାନସିକ ବୈଶିଷ୍ଟ୍ୟକୁ ପ୍ରାରମ୍ଭିକ ଲକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ସୂଚିତ କରେ ଯେ କୌଣସି ରୋଗର ପୂର୍ବାନୁମାନ କରିବା ପୂର୍ବରୁ ସ୍ୱପ୍ନର ବିଶ୍ଳେଷଣ ଓ ସଠିକ୍ ଅନୁସନ୍ଧାନ କରାଯିବା ଉଚିତ। ସୀମିତ ବୈଷୟିକ ଉପକରଣ ସତ୍ତ୍ୱେ ଅରିଷ୍ଟ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣିତ ଉତ୍କୃଷ୍ଟ ପର୍ଯ୍ୟବେକ୍ଷଣ ଓ ନୀତି ଏପର୍ଯ୍ୟନ୍ତ ବୈଧ।

ଏହି ଅଧ୍ୟାୟରେ ରୋଗ-ମୃତ୍ୟୁର ଖରାପ ପୂର୍ବାନୁମାନ ସମ୍ବନ୍ଧୀୟ ଲକ୍ଷଣ ଓ ସ୍ୱପ୍ନ ବର୍ଣ୍ଣନା କରାଯାଇଛି। ଯଦି ସମସ୍ତ ପ୍ରାଥମିକ ଲକ୍ଷଣ ପ୍ରକାଶ ପାଉଛି ଏବଂ ପ୍ରକୃତିରେ ଗମ୍ଭୀର ତେବେ ଏଭଳି ଅବସ୍ଥା ମାରାତ୍ମକ ହେବ। କୁଷ୍ଠ ଓ ପ୍ରମେହର ପ୍ରାଥମିକ ଲକ୍ଷଣରୁ ଜଣାଯାଏ ଯେ ରୋଗର ମୁଖ୍ୟ ଲକ୍ଷଣ ଦେଖାଯିବା ପୂର୍ବରୁ ଜଟିଳତା ପ୍ରକାଶ ପାଇଥାଏ। ଏହି ଅଧ୍ୟାୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସ୍ୱପ୍ନର ଧାରଣା। ସ୍ୱପ୍ନ ସମ୍ବନ୍ଧୀୟ ବର୍ଣ୍ଣନା ପ୍ରାଚୀନ ଶାସ୍ତ୍ର, ବିଶେଷକରି ଅଥର୍ବବେଦ, ଉପନିଷଦ, ପୁରାଣ, ଦର୍ଶନ ଓ ଆୟୁର୍ବେଦରେ ପ୍ରଚୁର ମାତ୍ରାରେ ମିଳେ।

ଚରକ ଲେଖିଛନ୍ତି, ଭୀଷଣ ଜ୍ବରରେ ପୀଡ଼ିତ ବ୍ୟକ୍ତି କ୍ରମଶଃ ଦୁର୍ବଳ ହୋଇପଡ଼ନ୍ତି। ଏପରି ଅବସ୍ଥାରେ ସେ ଯଦି ଯୌନସମ୍ଭୋଗ ଜାରି ରଖନ୍ତି, ତେବେ ମୃତ୍ୟୁ ଆଡ଼କୁ କ୍ରମଶଃ ଟାଣି ହୋଇଯାନ୍ତି। ଏପରି ବ୍ୟକ୍ତି ଯଦି ସ୍ବପ୍ନରେ ଦେଖନ୍ତି, କୁକୁର, ଗଧ କିମ୍ବା ଓଟ ଦ୍ବାରା ଟଣାଯାଉଥିବା ଗାଡ଼ି ବା ରଥରେ ତାଙ୍କୁ ଦକ୍ଷିଣ ଦିଗକୁ ନିଆଯାଉଛି, ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ। ଯେଉଁ ବ୍ୟକ୍ତି ସ୍ବପ୍ନରେ ପ୍ରେତମାନଙ୍କ ସହ ମଦ ପିଇଥାଏ, ଯାହାକୁ ସ୍ବପ୍ନରେ କୁକୁର-ଟଣା ଗାଡ଼ିରେ ଟାଣିଟାଣି ନିଆଯାଏ, ସେ ବ୍ୟକ୍ତି ପ୍ରବଳ ଜ୍ବରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରେ-
ପ୍ରେତୈଃ ସହ ପିବେନ୍ମଦ୍ୟଂ ସ୍ବପ୍ନେ ଯଃ କୃଷ୍ୟତେ ଶୁନା।

ସୁଘୋରଂ ଜ୍ବରମାସାଦ୍ୟ ଜୀବିତଂ ସ ବିମୁଞ୍ଚିତି।। (ଚରକ)
ସେହିପରି ଦୁରାରୋଗ୍ୟ ରକ୍ତପିତ୍ତରେ ପୀଡ଼ିତ ବ୍ୟକ୍ତି ଯଦି ସ୍ବପ୍ନରେ ଦେଖେ, ତାକୁ ଲାଲ୍‌ ପୋଷାକରେ ସଜାଯାଇଛି, ତା’ ବେକରେ ଲାଲ୍‌ ଫୁଲର ମାଳ ପିନ୍ଧାଇ ଦିଆଯାଇଛି, ତାକୁ ରକ୍ତରେ ବା ଲାଲ୍‌ ଜଳରେ ସ୍ନାନ କରାଯାଉଛି ଏବଂ ଲାଲ୍‌ ବସ୍ତ୍ରପରିହିତା ତଥା ନିରନ୍ତର ହସୁଥିବା ମହିଳା ତାକୁ ଟାଣିଟାଣି ଦକ୍ଷିଣ ଦିଗକୁ ନେଇଯାଉଛନ୍ତି, ତେବେ ସେହି ରକ୍ତପିତ୍ତ ରୋଗରେ ହିଁ ତା’ର ମୃତ୍ୟୁ ନିଶ୍ଚିତ। ପରବର୍ତ୍ତୀ ଆଲେଖ୍ୟରେ ଏ ସମ୍ବନ୍ଧିତ ଅଧିକ ତଥ୍ୟ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe