ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ କିସମର ପୋଷାକପତ୍ର ପ୍ରସ୍ତୁତ ହେଉଛି। ତେବେ ଏଥିରେ ବ୍ୟବହୃତ କପଡ଼ା ଓ ରଙ୍ଗର ଉତ୍ପାଦନଜନିତ ପରିବେଶ ପ୍ରଦୂଷଣ ଚିନ୍ତାର କାରଣ ସାଜିଛି। ଅପରପକ୍ଷେ, ଏ ଦିଗରେ ବିଶେଷଜ୍ଞମାନଙ୍କ ଅନୁସନ୍ଧିତ୍ସାରୁ ବିକଳ୍ପ ବସ୍ତ୍ର ଉତ୍ପାଦନର ବାଟ ଫିଟିପାରିଛି। ବିଶେଷ କରି ଆମର ନଷ୍ଟ ହୋଇଯାଉଥିବା ଖାଦ୍ୟପଦାର୍ଥର ତନ୍ତୁରୁ ହିଁ ଅଭିନବ ବସ୍ତ୍ର ପ୍ରସ୍ତୁତିର ପରିକଳ୍ପନା କରାଯାଇଛି। ଏ ପରିପ୍ରେକ୍ଷୀରେ ଛିଣ୍ଡିଯାଇଥିବା କ୍ଷୀର, ବାସି ହୋଇଯାଇଥିବା ଛତୁ ଓ ପଚିଶଢ଼ିଯାଇଥିବା ଫଳମୂଳ ପରି ବର୍ଜ୍ୟ ଖାଦ୍ୟପଦାର୍ଥରୁ ମଜଭୁତ ତନ୍ତୁ ବିକଶିତ କରି ଭବିଷ୍ୟତର ପୋଷାକ ନିର୍ମାଣ କରାଯିବାର ଆଶା ରଖାଯାଇଛି। ସମ୍ପ୍ରତି ସ୍ପେନୀୟ କମ୍ପାନି ‘ପାଇରାଟେକ୍ସ’ ଦ୍ବାରା କଦଳୀ ପଟୁଆରୁ ଅଭିନବ ଉପାୟରେ ପ୍ରସ୍ତୁତ ତନ୍ତୁ ଭବିଷ୍ୟତର ବସ୍ତ୍ର ଚାହିଦା ମେଣ୍ଟାଇପାରିବ ବୋଲି ଜଣାଯାଇଛି।
କୌଣସି ରାସାୟନିକ ସାର ବିନା କେବଳ ଜୈବିକ ପଦ୍ଧତିରେ କଦଳୀଚାଷ ହୋଇପାରିବ ଯାହା ପରିବେଶ ପ୍ରଦୂଷଣରୁ ମୁକ୍ତ ରହିବ। ସମ୍ପ୍ରତି ଫିଲିପାଇନ୍ସରେ ପ୍ରାକୃତିକ ଭାବେ ବଢୁଥିବା ‘ଆବାକା’ ନାମକ କଦଳୀ ଗଛର ପଟୁଆରୁ ଏକ ମଜଭୁତ ଶ୍ରେଣୀର ତନ୍ତୁ ପ୍ରସ୍ତୁତ କରାଯାଇ ପରୀକ୍ଷାମୂଳକ ଭାବେ କିଛି ନାମୀଦାମୀ ପୋଷାକରେ ବିନିଯୋଗ କରାଯାଇଛି ଏବଂ ତାହା ସଫଳତାର ସହ ଗ୍ରହଣୀୟ ହୋଇପାରିଛି। ସେହିପରି ଛିଣ୍ଡା କ୍ଷୀରକୁ ମଧ୍ୟ ଅନୁରୂପ ଭାବେ ବ୍ୟବହାର କରାଯାଉଛି। କ୍ଷୀରରେ ରହିଥିବା କ୍ୟାସିନ୍ ନାମକ ପୁଷ୍ଟିସାରରୁ ନିର୍ଗତ ତନ୍ତୁର ପ୍ରକ୍ରିୟାକରଣ କରି ତାହାକୁ ବସ୍ତ୍ର ଉତ୍ପାଦନରେ ଲଗାଯାଇପାରୁଛି। ଜର୍ମାନୀ ଉଦ୍ୟୋଗୀ ଆଙ୍କେ ଡୋସ୍କେଙ୍କ ଦ୍ବାରା ବିକଶିତ ଏଭଳି ତନ୍ତୁରେ ମୁଖ୍ୟତଃ ଅନ୍ତର୍ବସ୍ତ୍ର ଓ ଢିଲା ଶୟନ ପୋଷାକ ନିର୍ମାଣ କରାଯାଉଛି। ଏହାର ବିଶେଷତ୍ବ ହେଲା, ଏହି ବସ୍ତ୍ର ଶତ ପ୍ରତିଶତ ଜୈବ ବିଘଟନଯୋଗ୍ୟ ଓ ବୀଜାଣୁପ୍ରତିରୋଧୀ।
  
 Follow Us