ଆବର୍ଜନାର କବର ତଳେ ଜୀବନର ଆଶା: ନା ଫେରୁଛି ଜୀବନ, ନା ମିଳୁଛି ମୃତଦେହ… ଆପଣାର ଲୋକଙ୍କ ଅପେକ୍ଷାରେ ଅନେକ ପରିବାର

ଜୀବନ୍ତ ନହେଲେ ନାହିଁ ଶବ ହେଲେ ବି ମିଳନ୍ତା… ଅନନ୍ତ ଅନ୍ତିମ ସଂସ୍କାର କରି ତା ପାଇଁ ଦିଟୋପା ଲୁହ ନିଗାଡ଼ନ୍ତେ ପରିବାର ଲୋକେ.. ହେଲେ ନା ଜୀବନ ମିଳୁଛି ନା ମୃତ୍ୟୁର ସନ୍ଧାନ ମିଳୁଛି… ଜୀଅନ୍ତା ମଶାଣି ପାଲଟିଥିବା ଧରାଲିରେ ଖାଲି କାନ୍ଦ ବୋବାଳି ଶୁଭୁଛି ...

dharali image

ଡେରାଡୁନ: ଧରାଲିରେ ମହାପ୍ରଳୟ ପରେ ସାମ୍ନାକୁ ଆସୁଛି ଛାତିଥରା ଛବି । କିଏ ପ୍ରଳୟର ପଦଚିହ୍ନ ତଳେ ପ୍ରିୟଜନଙ୍କୁ ଖୋଜୁଛି… ପୁଣି କିଏ ମାଟିରେ ମିଶିଯାଇଥିବା ତା ତମାମ ଜୀବନର ସ୍ବପ୍ନର ଘରକୁ ଦେଖୁଛି । ଆଉ ପୁଣି କିଏ ପର୍ସରେ ରହିଯାଇଥିବା ଆପଣାର ଲୋକର ପାସପୋର୍ଟ ସାଇଜ ଫଟୋ ଧରି ଆବର୍ଜନା ତଳୁ ମୃତଦେହ ଖୋଜୁଛି । ଜୀବନ୍ତ ନହେଲେ ନାହିଁ ଶବ ହେଲେ ବି ମିଳନ୍ତା… ଅନନ୍ତ ଅନ୍ତିମ ସଂସ୍କାର କରି ତା ପାଇଁ ଦିଟୋପା ଲୁହ ନିଗାଡ଼ନ୍ତେ ପରିବାର ଲୋକେ.. ହେଲେ ନା ଜୀବନ ମିଳୁଛି ନା ମୃତ୍ୟୁର ସନ୍ଧାନ ମିଳୁଛି… ଜୀଅନ୍ତା ମଶାଣି ପାଲଟିଥିବା ଧରାଲିରେ ଖାଲି କାନ୍ଦ ବୋବାଳି ଏବଂ ସ୍ଥାନୀୟ ଲୋକଙ୍କ ବାହୁନାର ଶବ୍ଦ ଶୁଭୁଛି । 

ଦିନେ ଜୀବନକୁ ଜାବୁଡି ଧରି ଧରାଲି ସାଜିଥିଲା ସବୁଠୁ ସୁନ୍ଦର ଏବଂ ସୁରକ୍ଷିତ ସ୍ଥାନ । ହେଲେ ଆଜି ସେହି ଜୀବନକୁ ଚାପି ଦେଇ ଧରାଲି ମୁଣ୍ଡାଇଛି ଅପବାଦ, ପାଲଟିଯାଇଛି ଜୀବନ୍ତ ଶ୍ମଶାନ । ଯେଉଁଠି ଶତାଧିକ ହୋଇପାରନ୍ତି ଅବା ହଜାର ହଜାର ଲୋକ ବି ଜୀଅନ୍ତା ପୋତିଯାଇ ଥାଇ ପାରନ୍ତି । କାରଣ ଏବେବି କେତେ ଲୋକ ସେ ଆବର୍ଜନା ତଳେ ଚାପି ହୋଇ ରହିଛନ୍ତି ଠିକରେ କହି ହେଉନି କି ଆକଳନ ବି ଲଗାଇ ହେଉନି । 

ନିଜର ଲୋକଙ୍କୁ ହରାଇଥିବା ସ୍ଥାନୀୟ ଲୋକେ ଏବେବି ଧରାଲିର ଛାତି ଚିରି ତା ଭିତରୁ ଜୀବନ ଖୋଜୁଛନ୍ତି । କିଏ ମାଟି ହଟେଇ, ପଥର ହଟେଇ ଆପଣାର ଲୋକକୁ ଖୋଜିବାରେ ତମାମ ବଳ ଲଗାଇ ଦେଇଛି ତ ପୁଣି ଧ୍ବଂସସ୍ଥଳୀରେ ନିଜ ସମ୍ପର୍କୀୟଙ୍କ ସନ୍ଧାନରେ ଲୁହ ଗଡାଇ ଆବର୍ଜନାର ସେ କବର ତଳୁ ଜୀବନର ଆଶା ରଖି ଜଗି ବସିଛି । ନା ଜୀବନର ସନ୍ଧାନ ମିଳୁଛି ନା ଆବର୍ଜନା ତଳୁ କାହାରି ଶବ୍ଦ, ସ୍ବର, ଚିତ୍କାର ଶୁଭୁଛି… ପୂରା ଧରାଲି ପାଲଟି ଯାଇଛି ଏବ ଭୂତ ନଗରୀ…

ଯବାନ ମାନେ ଜୀବନ ଖୋଜିବାରେ ବ୍ୟସ୍ତ । ମାତ୍ର ଜୀବନ ମିଳୁନି । କାରଣ ୮୦ ଏକର ପରିମିତ ଜାଗାରେ ଯେଉଁ ପାହାଡି ପ୍ରଳୟ ଆବର୍ଜନା ହୋଇ ମାଡି ଯାଇଛି ତାକୁ ସଫା କରି, ତାକୁ ଖୋଳି ଜୀବନ ଖୋଜିବା ଅବା ମୃତଦେହ ବାହାର କରିବା ଦିନକର କାମ ନୁହେଁ । ଏହା ମାସ ମାସର କାମ । ଯଦିଓ ଇତି ମଧ୍ୟରେ ଘଟଣାକୁ ୭ ଦିନ ବିତିଛି । ଇତିମଧ୍ଯରେ କେବଳ ଧ୍ବଂସସ୍ଥଳୀରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ୪୩ ଜଣ ନିଖୋଜ ଥିବା ଦଜଣାପଡ଼ିଛି । ନିଖୋଜଙ୍କ ମଧ୍ୟରେ ୯ ଜଣ ଯବାନ, ୮ ଜଣ ଧରାଲି ବାସିନ୍ଦା, ୫ ଜଣ ପାଖ ଗାଁ ଲୋକ ଏବଂ ଅନ୍ୟମାନେ ବିହାର, ୟୁପି, ନେପାଳର ବୋଲି ଜଣାପଡ଼ିଛି । ୨୯ ଜଣ ନେପାଳି ଶ୍ରମିକ ନିଖୋଜ ଅଛନ୍ତି । ପ୍ରଳୟରେ ୩୦୦ରୁ ଅଧିକ ଘର ଭାଙ୍ଗିଛି । ୧୨୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । 

ସେପଟେ ସୋମବାର ଠାରୁ ପାଗ ଭଲନଥିବାରୁ ଉଦ୍ଧାରକାମରେ ବାଧା ସୃଷ୍ଟି ହୋଇଛି । ଆଜି ବି ଖରାପ ପାଗ ପାଇଁ ଆକାଶ ଦେଖାଯାଉ ନଥିବାରୁ ହେଲିକପ୍ଟରରେ ଉଦ୍ଧାର କାମ ବନ୍ଦ କରାଯାଇଛି । ଆଗାମୀ ୧୫ ତାରିଖ ଯାଏଁ ଉତ୍ତରକାଶୀକୁ ବର୍ଷା ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଉତ୍ତରକାଶୀର ଆଖପାଖ ଅଞ୍ଚଳକୁ ମଧ୍ୟ ସତର୍କ ସୂଚନା ଜାରି ହୋଇଛି । ତେବେ ବର୍ଷା ସହ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କ କରାଯାଉଥିବା ବେଳେ ଭୁସ୍ଖଳନର ମଧ୍ଯ ଆଶଙ୍କା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe