ଆମେ ଫୋନ୍ରେ ଯେତେ ଥର ଗୁଗଲ୍ ମ୍ୟାପ୍ ଖୋଲୁଛେ, ସେତେ ଥର କେବଳ ଦିଗନିର୍ଦ୍ଦେଶ ଯାଞ୍ଚ କରୁନାହାନ୍ତି, ବରଂ ଜଣେ ମହାନ୍ ବୈଜ୍ଞାନିକଙ୍କ ବିରଳ ଅବଦାନକୁ ଅଙ୍ଗେ ନିଭାଉଛନ୍ତି। ଭୂପୃଷ୍ଠରୁ ୨୦ ହଜାର କି.ମି. ଉପରେ ୪ଟି ଉପଗ୍ରହ ଆମ ଫୋନ୍କୁ ସଂକେତ ପଠାନ୍ତି, ଯେଉଁଥିରୁ ଆମେ କେଉଁଠି ଅଛେ ଏବଂ କେତେବେଳେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା, ସବୁ କିଛି ନିର୍ଭୁଲ୍ ଭାବରେ ଜାଣି ପାରିଥାଉ। ଏହି ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ଉପଗ୍ରହଗୁଡ଼ିକ ନିରନ୍ତର ତଥା ନିଖୁଣ ଭାବରେ ପଠାଉଥିବା ସମୟର ଛାପ ସମ୍ବଳିତ ସଂକେତଗୁଡ଼ିକରୁ ଆମର ଅବସ୍ଥିତି ନିରୂପିତ ହୋଇଥାଏ। ଆମ ନିତିଦିନିଆ ଅନୁଭୂତିର ଏହି ଚମତ୍କାରିତା ମହାନ୍ ପତାର୍ଥବିଜ୍ଞାନୀ ଆଲବର୍ଟ ଆଇନ୍ଷ୍ଟାଇନ୍ଙ୍କ ଶତାବ୍ଦୀ ପୁରୁଣା ଆପେକ୍ଷିକ ତତ୍ତ୍ବ ଉପରେ ପର୍ଯ୍ୟବସିତ। ଆଇନ୍ଷ୍ଟାଇନ୍ଙ୍କର ଆପେକ୍ଷିକ ତତ୍ତ୍ୱ ଅନୁସାରେ ସମୟର ଗତି ସବୁଠି ସମାନ ନୁହେଁ। ସ୍ଥାନ, ସମୟ ଓ ମାଧ୍ୟାକର୍ଷଣ କିପରି ପରସ୍ପର ସହିତ ଜଡ଼ିତ, ତାହାକୁ ଏହି ତତ୍ତ୍ବ ବ୍ୟାଖ୍ୟା କରେ। ବିଶେଷ ଆପେକ୍ଷିକ ତତ୍ତ୍ବ ଅନୁଯାୟୀ, ଦ୍ରୁତ ବେଗରେ ଗତି କରୁଥିବା ବସ୍ତୁ ପାଇଁ ସମୟ ଧୀର ହୁଏ ଏବଂ ସେହି ବସ୍ତୁର ଦୈର୍ଘ୍ୟ ସଙ୍କୁଚିତ ହୁଏ।
ପୃଥିବୀରେ ନିଜର ଅବସ୍ଥିତି ନିରୂପଣ ପାଇଁ ଆେମ ଜିପିଏସ୍ ବ୍ୟବହାର କରୁ। ଆଇନଷ୍ଟାଇନ୍ଙ୍କ ତତ୍ତ୍ବ ବିନା ଏହି ଆଧୁନିକ ନାଭିଗେସନ୍ ପ୍ରଣାଳୀ ଭୁଶୁଡ଼ି ପଡ଼ିବ
ସାଧାରଣ ଆପେକ୍ଷିକ ତତ୍ତ୍ବ ମାଧ୍ୟାକର୍ଷଣକୁ ବକ୍ର ସ୍ଥାନକାଳ ଭାବରେ ବର୍ଣ୍ଣନା କରେ, ଫଳରେ ବିଶାଳ ବସ୍ତୁ ନିକଟରେ ସମୟର ଗତି ମନ୍ଥର ହୋଇଯାଏ। ଏହା ଜିପିଏସ୍, କୃଷ୍ଣଗର୍ତ୍ତ ଓ ବ୍ରହ୍ମାଣ୍ଡକୁ ବୁଝିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିପିଏସ୍ ଉପଗ୍ରହଗୁଡ଼ିକ ଘଣ୍ଟାପ୍ରତି ପ୍ରାୟ ୧୪,୦୦୦ କି.ମି. ବେଗରେ ମହାକାଶ ଦେଇ ଗତି କରୁଥିବାରୁ ସେଥିରେ ଖଚିତ ଘଣ୍ଟାଗୁଡ଼ିକ ପୃଥିବୀର ଘଣ୍ଟାଗୁଡ଼ିକ ତୁଳନାରେ ଟିକେ ମନ୍ଥର। କିନ୍ତୁ ଆଉ ଏକ ପ୍ରଭାବ ସମୟକୁ ଆଇନଷ୍ଟାଇନ୍ଙ୍କ ସାଧାରଣ ଆପେକ୍ଷିକ ତତ୍ତ୍ବ ଠାରୁ ବିପରୀତ ଦିଗରେ ଟାଣିଥାଏ। ଉପଗ୍ରହଗୁଡ଼ିକ ପୃଥିବୀଠାରୁ ଯଥେଷ୍ଟ ଉଚ୍ଚ(ଦୂର)ରେ ଥିବାରୁ ସେମାନେ ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଅନୁଭବ କରନ୍ତି ଏବଂ ଦୁର୍ବଳ ମାଧ୍ୟାକର୍ଷଣ କ୍ଷେତ୍ରରେ ସମୟ ପ୍ରକୃତରେ ଦ୍ରୁତ ଗତିରେ ଚାଲେ। ଉଭୟ ପ୍ରଭାବକୁ ମିଶାଇଲେ ଫଳାଫଳ ହେଉଛି- ଉପଗ୍ରହ ଘଣ୍ଟାଗୁଡ଼ିକ ପୃଥିବୀର ଘଣ୍ଟା ଅପେକ୍ଷା ପ୍ରତ୍ୟହ ପ୍ରାୟ ୩୮ ମାଇକ୍ରୋସେକେଣ୍ଡ ଦ୍ରୁତ ଗତିରେ ଚାଲନ୍ତି।
ସେହି ପାର୍ଥକ୍ୟ ଛୋଟ ମନେ ହୋଇପାରେ, ମାତ୍ର ଜିପିଏସ୍ ସଠିକତା ଦୃଷ୍ଟିରୁ ଏହା ବହୁତ ବଡ଼। ଯଦି ବିଶେଷଜ୍ଞ ଇଞ୍ଜିନିୟରମାନେ ଏହାକୁ ସଂଶୋଧନ କରି ନଥା’ନ୍ତେ, ତେବେ ଗୁଗଲ୍ ମ୍ୟାପ୍ସରେ ଆମ ଅବସ୍ଥିତି ପ୍ରତିଦିନ ପ୍ରାୟ ୧୦ କିଲୋମିଟର ଘୁଞ୍ଚିଯାଇଥା’ନ୍ତା। ଏଥିପାଇଁ ଜିପିଏସ୍ ପ୍ରଣାଳୀଗୁଡ଼ିକୁ ଆଇନଷ୍ଟାଇନଙ୍କ ସମୀକରଣ ସହିତ ସତର୍କତାର ସହ କାର୍ଯ୍ୟକାରୀ କରାଯାଇଛି, ଯାହା ସମୟ ସଂକେତଗୁଡ଼ିକୁ ସଜାଡ଼ିସାରି ପୃଥିବୀକୁ ପଠାଇଥାଏ। ଏହି ଆପେକ୍ଷିକ ସଂଶୋଧନ ହୋଇ ନଥିଲେ ଉବେର ଠାରୁ ବିମାନ ଯାତ୍ରା ପର୍ଯ୍ୟନ୍ତ ଆଧୁନିକ ନାଭିଗେସନ୍ ପ୍ରଣାଳୀ ଭୁଶୁଡ଼ି ପଡ଼ିଥା’ନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/27/gps-2025-11-27-01-04-59.jpg)