ସମ୍ବିଧାନରେ ମହିଳା ଓ ପୁରୁଷଙ୍କ ପାଇଁ ସମାନ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲେ ମଧ୍ୟ ଆଜିବି ମହିଳାମାନେ ତାଙ୍କ ସମାନତା ପାଇଁ ଲଢୁଛନ୍ତି। ମହିଳାମାନେ ପୁରୁଷପ୍ରଧାନ ସମାଜରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଛନ୍ତି; ଏବେ ମଧ୍ୟ ସ୍ବାଧୀନ ଭାବେ ନିଷ୍ପତ୍ତି ନେବା ପାଇଁ ଅନେକ ନାରୀ ଅସମର୍ଥ। ସାରା ବିଶ୍ବେର ଅନେକ ମହିଳାଙ୍କ ସ୍ଥିତି ଏହିପରି। ତେବେ ବିଶ୍ୱରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ କେବଳ ମହିଳାମାନେ ଶାସନ କରନ୍ତି। ଆଫ୍ରିକୀୟ ଦେଶ କେନିଆରେ ମଧ୍ୟ ସେମିତି ଏକ ଗାଁ ଅଛି।
ଗାଁଟି କେବଳ ମହିଳାଙ୍କର; ଏହାର ଚାରିପଟେ ଜଣେ ବି ପୁରୁଷଙ୍କୁ କିଏ କେବେ ଦେଖି ନାହାନ୍ତି। ଉତ୍ତର କେନିଆର ନିର୍ଯାତିତା ଆଦିବାସୀ ମହିଳାସମୂହଙ୍କ ଏହି ନିଆରା ଗାଁଟିର ନାଁ ହେଉଛି ଉମୋଜା। ବିଗତ ୩୦ ବର୍ଷ ଧରି ଏହି ଗାଁରେ ପୁରୁଷମାନେ ପଶିପାରିନାହାନ୍ତି। ଉମୋଜା ଗାଁର ପ୍ରତିଷ୍ଠାତା ରେବେକା ଲୋଲୋସୋଲିଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପରିଣାମସ୍ବରୂପ ଏହି ଗାଁଟିର ସୃଷ୍ଟି ହୋଇଥିଲା। ବଳପୂର୍ବକ ହୋଇଥିଲା ତାଙ୍କର ବାହାଘର। ତାଙ୍କର ସ୍ବାମୀ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ। ଏହା ଅସହ୍ୟ ହେବାରୁ ଦିନେ ସେ ଲୁଚି ଘର ଛାଡ଼ି ପଳାଇଗଲେ। ଘରୋଇ ହିଂସାର ଶିକାର କ୍ଷେତ୍ରରେ ଏକା ନଥିଲେ ରେବେକା; ତାଙ୍କ ଭଳି ଆହୁରି ୧୪ ଜଣ ମହିଳା ଥିଲେ। ଏହାପରେ ୧୯୯୦ ମସିହାରେ ଏହି ୧୫ ଜଣ ମହିଳା ମିଶି ଏକାଠି ରହିଥିଲେ ଓ ସୃଷ୍ଟି ହୋଇଥିଲା ‘ଉମୋଜା’ ଗ୍ରାମ।
ଏହି ଗାଁରେ ସାମ୍ବୁରୁ ସଂସ୍କୃତିର ପ୍ରାୟ ୫୦ ପରିବାର ବାସ କରନ୍ତି। ଯୌନହିଂସା, ନିର୍ଯାତନାର ଶିକାର, ପରିବାର ଦ୍ୱାରା ବାସନ୍ଦ, ବାଲ୍ୟବିବାହ କିମ୍ବା ମହିଳାଙ୍କ ଯୌନାଙ୍ଗ କାଟିବା ଘଟଣାରୁ ପଳାଇ ଆସିଥିବା ମହିଳାମାନେ ଏହି ଗଁାରେ ରହୁଛନ୍ତି। ଉମୋଜା ଗାଁର ମହିଳାମାନେ କାଠ ଉପରେ ମାଟିର ଲେପ ଦେଇ ନିଜ ପାଇଁ ତିଆରି କରନ୍ତି ସୁନ୍ଦର ସୁନ୍ଦର ଘର। ଏକାକୀ ଅଭିଭାବକ ଭାବେ ନିଜର ସନ୍ତାନକୁ ଲାଳନପାଳନ କରନ୍ତି। ଗର୍ଭାବସ୍ଥାରେ ପଳାଇଆସି ଗାଁରେ ଆଶ୍ରୟ ନେଉଥିବା ମହିଳାଙ୍କର ଯଦି ପୁତ୍ର ସନ୍ତାନ ହୁଏ, ତେବେ ସେହି ସନ୍ତାନକୁ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଗାଁରେ ରହିବାକୁ ଅନୁମତି ଦିଆଯାଏ। ଏହାପରେ ତାଙ୍କୁ ଅନ୍ୟତ୍ର ଯିବାକୁ ପଡ଼ିଥାଏ। ନାରୀକୈନ୍ଦ୍ରିକ ଏହି ଗାଁ ଦେଖିବାକୁ ବିଦେଶରୁ ଆସିଥାନ୍ତି ଅନେକ ପର୍ଯ୍ୟଟକ। ପର୍ଯ୍ୟଟକଙ୍କୁ ନିଜର ହସ୍ତକଳା ସାମଗ୍ରୀ ବିକି ଉମୋଜାର ଅନ୍ତେବାସୀ ସ୍ବାବଲମ୍ବୀ ହୁଅନ୍ତି।
Follow Us