hindi.thebetterindia.com
ଚେନ୍ନାଇ: ପନିପରିବା ଉତ୍ପାଦନରେ ଭାରତ ବିଶ୍ବରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ସତ୍ତ୍ବେ ଉତ୍ପାଦନର ମାତ୍ର ୩୦ରୁ ୪୦ ପ୍ରତିଶତ ଗ୍ରାହକଙ୍କ ନିକଟରେ ପହଞ୍ଚେ। ଏହାର ମୁଖ୍ୟ କାରଣ ହେଉଛି ଫଳ ଏବଂ ପନିପରିବା ନଷ୍ଟ ହୋଇଯିବା। ଭଲ ଷ୍ଟୋରେଜ୍ ଏବଂ ସୁବିଧା ଅଭାବରୁ ଚାଷୀଙ୍କୁ ଏହାକୁ ଫୋପାଡିବାକୁ ପଡ଼ିଥାଏ। ବେଳେ ବେଳେ ଉତ୍ପାଦନ ପରେ ନିର୍ଦ୍ଦିଷ୍ଟ କିଛି ସମୟ ଭିତରେ ବିକ୍ରି ନହେଲେ ତାହାକୁ କମ୍ ଦର କରି ବିକ୍ରୟ କରିଥାନ୍ତି ଚାଷୀ। ଏହା ଉଭୟ ଗ୍ରାହକ ଏବଂ କୃଷକଙ୍କ ପାଇଁ ଏକ କ୍ଷତି।
ଦେଶର ଏହି ଗମ୍ଭୀର ସମସ୍ୟାର ସମାଧାନ ହେଉଛି ଶୀତଳ ଭଣ୍ଡାର। ହେଲେ ଏହା ପାଇଁ ସମସ୍ତଙ୍କ ପାଖରେ ଟଙ୍କା ନଥାଏ। ଚେନ୍ନାଇର ଦୀପକ ରାଜମୋହନ କୃଷକ, କ୍ଷୁଦ୍ର ଫଳ ଏବଂ ପନିପରିବା ବିକ୍ରେତାଙ୍କ ଏହି ସମସ୍ୟାର ଏକ ସହଜ ସମାଧାନ ପାଇଛନ୍ତି। କୃଷି ଏବଂ ଖାଦ୍ୟ ବିଜ୍ଞାନ ଇଞ୍ଜିନିୟର ଦୀପକ ଅତୀତରେ ଆମେରିକାରେ କାର୍ଯ୍ୟ କରୁଥିବା ବେଳେ ୨୦୧୯ ମସିହାରେ ସେ ଭାରତ ଆସି ଏହି ସମସ୍ୟା ଉପରେ କାମ କରିବା ଆରମ୍ଭ କଲେ।
ସେ ଚେନ୍ନାଇରେ ଥିବା ତାଙ୍କ ଲ୍ୟାବରେ ଉଦ୍ଭିଦ ଭିତ୍ତିକ ପ୍ରଯୁକ୍ତିବିଦ୍ୟାରୁ ଏକ ପ୍ରାକୃତିକ ପାଉଡର ପ୍ରସ୍ତୁତ କରିଛନ୍ତି। ଏହି ପ୍ରାକୃତିକ ପାଉଡରର ପ୍ୟାକେଟଗୁଡ଼ିକୁ ରଖିବା ଦ୍ୱାରା ବିନା ଫ୍ରଜ୍ରେ ବି ସତେଜ ରହିବ ଫଳ ଓ ପନିପରିବା।
ଦୀପକ ଏହାକୁ ଅନେକ କୃଷକ ଏବଂ ସେମାନଙ୍କ ପନିପରିବା ଉପରେ ବ୍ୟବହାର କରି ଜାଣିବାକୁ ପାଇଛନ୍ତି ଯେ ଏହା ପନିପରିବାକୁ ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ସତେଜ ରଖିପାରେ। ଦୀପକ ତାଙ୍କର ଉଦ୍ଭାବନକୁ ଏକ ଉତ୍ପାଦରେ ପରିଣତ କରି ତାଙ୍କ ପିଲାଦିନର ବନ୍ଧୁ ବିଜୟ ଆନନ୍ଦଙ୍କ ସହିତ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି। ସେ ତାଙ୍କ ଷ୍ଟାର୍ଟଅପ୍ ଗ୍ରୀନପୋଡ୍ ଲ୍ୟାବରେ ପ୍ରାୟ ୧୫ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ଏହି ଉତ୍ପାଦକୁ ନିଜ ୱେବସାଇଟ୍ ମାଧ୍ୟମରେ ବିକ୍ରି କରୁଛନ୍ତି।
Follow Us