ପରିବେଶ ଯୋଦ୍ଧା: ଗଛ ଖୋଜାରେ ୪୦ ହଜାର କିଲୋମିଟର

Advertisment
ପରିବେଶ ଯୋଦ୍ଧା: ଗଛ ଖୋଜାରେ  ୪୦ ହଜାର କିଲୋମିଟର

ଆମ ଦେଶର ସବୁଠୁ ପୁରାତନ ତଥା ବୃହତ୍ତମ ବୃକ୍ଷ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ହାଇଦ୍ରାବାଦର ୫୫ ବର୍ଷୀୟ ଉଦୟ କୃଷ୍ଣଙ୍କ ଦୀର୍ଘ ୪୦ ହଜାର କିଲୋମିଟର ଅଭିଯାନ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ, ହରିୟାଣାରେ ଥିବା ମହାଭାରତ କାଳର ଏକ ଅଶ୍ବତ୍‌ଥ ବୃକ୍ଷ ୫,୦୦୦ ବର୍ଷ ତଳର ବୋଲି କୁହାଯାଉଛି। ସେହିପରି ଉତ୍ତରପ୍ରଦେଶର କାନପୁରସ୍ଥିତ ଏକ ବଟବୃକ୍ଷ ୧୪୪ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦେବାର ମୂକସାକ୍ଷୀ ପାଲଟିଛି। ଏପରିକି ଆମ ଦେଶର କୌଣସି ଏକ ବୃକ୍ଷର ଡାଳ ଆଢୁଆଳରେ ଦିନବେଳେ ମଧ୍ୟ ୪୦ ଜଣ ଡାକୁ ଆତ୍ମଗୋପନ କରିଥିବାର କାହାଣୀ ଶୁଣିବାକୁ ମିଳେ। ଏପରି ଅନେକ ବୃକ୍ଷ ରହିଛି, ଯାହା ସ୍ବତନ୍ତ୍ର ଇତିହାସ ଓ ପରିଚିତି ବହନ କରେ।

ତେବେ ସେଭଳି ବୃକ୍ଷଗୁଡ଼ିକ ବାବଦରେ ଏକ ଲିଖିତ ବିବରଣୀ ପ୍ରସ୍ତୁତ କରିବା ପାଇଁ ଉଦୟଙ୍କ ଉଦ୍ୟମ ପ୍ରଶଂସନୀୟ ନିଶ୍ଚୟ। ‘ଭାଟା ଫାଉଣ୍ଡେସନ୍‌’ର ସହପ୍ରତିଷ୍ଠାତା ଥିବା ଉଦୟ ୨୦୧୫ ମସିହାରୁ ହାଇଦ୍ରାବାଦରେ ସବୁଜ ବଳୟ ସୃଷ୍ଟି ପାଇଁ ବୃକ୍ଷରୋପଣ ଜାରି ରଖିଛନ୍ତି। ଟିପେଶ୍ବର ଜଙ୍ଗଲରେ ନିଜର ଥିବା ଏକ ପରିବେଶ ଅନୁକୂଳ ବିଶ୍ରାମ ଗୃହ ବିକ୍ରି କରିବା ପରେ ସେ ବିଶ୍ବର ୧୦ଟି ସର୍ବପୁରାତନ ବୃକ୍ଷ ଦର୍ଶନ କରିବା ପାଇଁ ମନ ବଳାଇଥିଲେ। ଏହି ଅବସରରେ ସେ ଏପରି ଅନେକ ବିଚିତ୍ର ଗଛ ସଂସ୍ପର୍ଶରେ ଆସିଥିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ଏକ ଭିନ୍ନ ଦୃଷ୍ଟିକୋଣ ଦେଇଥିଲା। ତେଣୁ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏପରି ବହୁସଂଖ୍ୟକ ବୃକ୍ଷ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ସେ ବଦ୍ଧପରିକର ହୋଇଥିଲେ।

ଭାରତର ‘ଟ୍ରି ମ୍ୟାନ୍‌’ ଭାବେ ଜଣାଶୁଣା ଉଦୟ କୃଷ୍ଣ ଏହି ଅଭିନବ ପ୍ରୟାସରେ ଅଦ୍ୟାବଧି ତେଲେଙ୍ଗାନା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଗୋଆ, କର୍ଣ୍ଣାଟକ, ଓଡ଼ିଶା ଓ ମଧ୍ୟପ୍ରଦେଶ ଆଦି ରାଜ୍ୟ ବୁଲି ସାରିଲେଣି

ଗତ ଜାନୁଆରି ମାସରେ ଆରମ୍ଭ କରିଥିବା ତାଙ୍କର ଏହି ଅଭିନବ ପ୍ରୟାସରେ ଅଦ୍ୟାବଧି ସେ ତେଲେଙ୍ଗାନା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଗୋଆ, କର୍ଣ୍ଣାଟକ, ଓଡ଼ିଶା ଓ ମଧ୍ୟପ୍ରଦେଶ ଆଦି ରାଜ୍ୟ ବୁଲି ସାରିଲେଣି। ତାଙ୍କର ଏହି ଉଦ୍ଦେଶ୍ୟ ସାଧନ ପାଇଁ ସେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଫିଜି ଓ ଶ୍ରୀଲଙ୍କା ଯାତ୍ରା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟହ ପ୍ରତି ରାଜ୍ୟରେ ଅତି କମ୍‌ରେ ଗୋଟିଏ ପ୍ରାଚୀନ କିମ୍ବା ବୃହତ୍ତମ ବୃକ୍ଷ ଦର୍ଶନ କରିବା ପାଇଁ ସେ ଯୋଜନା କରିଛନ୍ତି। ଏହି ଅବସରରେ ସେ ତେଲେଙ୍ଗାନାର ମେହବୁବନଗରଠାରେ ଏକଦା ୪ ଏକର ଅଞ୍ଚଳ ପରିବ୍ୟାପ୍ତ ଥିବା ଏକ ୮୦୦ ବର୍ଷୀୟ ପ୍ରାଚୀନ ବୃକ୍ଷ ସମେତ ବନ୍ୟାବେଳେ ୧୫୦ ଲୋକଙ୍କ ଜୀବନ ବଞ୍ଚାଇଥିବା ଓସମାନିଆ ଡାକ୍ତରଖାନାସ୍ଥିତ ଏକ ବୃକ୍ଷ ଦେଖିସାରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe