ପରିବେଶ ଯୋଦ୍ଧା: ଗଛଲତାଙ୍କ ଦରଦୀ ବନ୍ଧୁ

Advertisment
ପରିବେଶ ଯୋଦ୍ଧା: ଗଛଲତାଙ୍କ ଦରଦୀ ବନ୍ଧୁ

ଚାକିରି କରିନାହାନ୍ତି କି ପାଖରେ ସେଭଳି ରୋଜଗାରର ମାଧ୍ୟମ ନାହିଁ। କିନ୍ତୁ କେବେ ଅଭାବୀ ମଣିଷ ଭଳି ହାବଭାବ ଦେଖାନ୍ତିନାହିଁ। ସର୍ବଦା ହସହସ ମୁହଁ ଓ ପାଟିରେ ମିଠା କଥା। ଅର୍ଥର ଅଭାବ ପଡ଼ିଲେ, ଶ୍ରମଦାନ କରି ରୋଜଗାର କରନ୍ତି। ସେଥିରୁ ଯାହା ମିଳେ, ଅଧା ପରିବାର ପାଇଁ ଆଉ ଅଧା ଗଛ ଲଗାଇବା ଓ ପାଣି ଦେବା ବାବଦରେ ଖର୍ଚ୍ଚ କରନ୍ତି। ଗଛ ଲଗାଇବା ସହ ଯତ୍ନ ନେଇ ତାକୁ ବଡ଼ କରନ୍ତି ଓ ନିୟମିତ ଜଳଦାନ କରନ୍ତି। ଗଛର ମୃତ୍ୟୁରେ ଶୋକ ବି ପାଳନ୍ତି। ଏମିତି ଜଣେ ଦରଦୀ ମଣିଷ ହେଉଛନ୍ତି ପୁରୀର ସମାଜସେବୀ ବଦ୍ରି ମିଶ୍ର। ଜୀବନକାଳରେ ଓଡ଼ିଶା ସାରା ବୁଲିବୁଲି ୧ ଲକ୍ଷ ୨୦ ହଜାର ୪୦୩ ଗଛ ଲଗାଇ ସାରିଥିବା ଦାବି କରିଛନ୍ତି ଶ୍ରୀ ମିଶ୍ର। ଏହି ଉତ୍ସର୍ଗୀକୃତ ପରିବେଶସେବା ପାଇଁ ସେ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଦ୍ବାରା ସମ୍ମାନିତ ହୋଇ ସାରିଛନ୍ତି। ୬୬ ବର୍ଷରେ ପଦାର୍ପଣ କରି ସାରିଥିବା ଶ୍ରୀ ମିଶ୍ର ଏବେ ବି ବୃକ୍ଷରୋପଣ ଓ ଏହାର ସେବାରେ ସମର୍ପିତ।

ଶ୍ରୀ ମିଶ୍ର କହିଛନ୍ତି, ଡକ୍ଟର ଭଗବାନ ପ୍ରକାଶ, ପଦ୍ମଶ୍ରୀ ରାଧାମୋହନ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ତାଙ୍କୁ ବୃକ୍ଷରୋପଣ ଲାଗି ଅନୁପ୍ରାଣିତ କରିଛି। ବିନା ସରକାରୀ ଓ ବେସରକାରୀ ସଂସ୍ଥାର ଆର୍ଥିକ ସହାୟତାରେ ପାଞ୍ଚ ଦଶନ୍ଧି ଧରି ସେ ପୁରୀ ସମେତ ରାୟଗଡ଼ା, କୁଚିଣ୍ଡା, ବାମଣ୍ଡା, କାଲିମେଳା, କୋରାପୁଟ ଭଳି ଅନେକ ସ୍ଥାନରେ ଗଛ ଲଗାଇଛନ୍ତି। କେନ୍ଦୁଝରର ଦିବ୍ୟାଙ୍ଗ ବିଦ୍ୟାଳୟ ‘ପ୍ରୟାସ’ ପରିସରରେ କଦମ୍ବ ବୃକ୍ଷରୋପଣ ତାଙ୍କ ବୃକ୍ଷରୋପଣ ସଂଖ୍ୟାକୁ ୧ ଲକ୍ଷରେ ପହଞ୍ଚାଇଥିଲା ବୋଲି ସେ କହନ୍ତି। ସେ ସର୍ବଦା ବୃକ୍ଷକୁ ମଣିଷ ସମାଜର ରକ୍ଷା କବଚ ବୋଲି ବିବେଚନା କରି ଆସିଛନ୍ତି। ତାଙ୍କ ଭାଷାରେ, ‘‘ମୋର ସମ୍ମାନ ଓ ପୁରସ୍କାର ସବୁ ସେଇ ମାଟିର, ଯେଉଁ ମାଟି ମୋ ଗଛମାନଙ୍କୁ ଜାବୁଡ଼ି ଧରିଛି। ସେ ସମ୍ମାନ ସେହି ଆଲୋକ, ଜଳ ଓ ବାୟୁର, ଯାହା ମୋ ଗଛମାନଙ୍କୁ ବଞ୍ଚାଇ ରଖିଛି।’’

ପୁରୀର ଆଇଟିଆଇ, ଆୟୁର୍ବେଦ ମହାବିଦ୍ୟାଳୟ, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମମାଟି କପିଳେଶ୍ବରପୁର ସମେତ ଜାତୀୟ ରାଜପଥ ପାର୍ଶ୍ୱରେ ଲାଗିଥିବା ଗଛ ଏହି ପରିବେଶପ୍ରିୟ ମଣିଷଙ୍କ ଅବଦାନକୁ ପ୍ରକାଶିତ କରେ। ସେ ୧୯୯୯ ମହାବାତ୍ୟା ହେଉ କି ୨୦୧୯ର ପ୍ରଳୟଙ୍କରୀ ଫନି ବାତ୍ୟା, କ୍ଷତିଗ୍ରସ୍ତ ବୃକ୍ଷମାନଙ୍କୁ ବଞ୍ଚାଇବାକୁ ଧାଇଁ ଯାଆନ୍ତି ଶ୍ରୀ ମିଶ୍ର। ଏହି ଉତ୍ସର୍ଗୀକୃତ କାମ ପାଇଁ ୨୦୧୭ ମସିହାରେ ସେ ପାଇଥିଲେ ‘ନାଲ୍‌କୋ ସମ୍ମାନ’। ପରେ ୨୦୧୮ ମସିହାରେ ‘ରାଜ୍ୟ ସମାଜସେବା ପୁରସ୍କାର’, ୨୦୨୨ ମସିହାରେ ‘ଗଛ ମଣିଷ ସମ୍ମାନ’, ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ‘ପ୍ରକୃତିବନ୍ଧୁ ସମ୍ମାନ’ ଭଳି ଅନେକ ସମ୍ମାନରେ ସେ ସ୍ବୀକୃତ ହୋଇଛନ୍ତି।
-ସୁମନ୍ତ ପରିଡ଼ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe