ପରିବେଶ ଯୋଦ୍ଧା: ଚଢ଼େଇ ପାଇଁ ଚଳଚଞ୍ଚଳ

Advertisment
ପରିବେଶ ଯୋଦ୍ଧା: ଚଢ଼େଇ ପାଇଁ ଚଳଚଞ୍ଚଳ

ଚଢ଼େଇର କିଚିରିମିଚିରି ତାଙ୍କର ଭାରି ପ୍ରିୟ। ଘରଚଟିଆର ‘ଚିଁ ଚିଁ’ ଶବ୍ଦ ହେଉ କି ପାରାର ‘ଘୁଁ ଘୁଁ ଘୁମୁରେ’ ସ୍ବର, ଏହା ତାଙ୍କ ପାଇଁ କେଉଁ ସଙ୍ଗୀତର ଶ୍ରେଷ୍ଠ ରାଗିଣୀଠାରୁ କମ୍‌ ନୁହେଁ। ଏଣୁ ୩୬ ବର୍ଷ ହେଲା ଚଢ଼େଇଙ୍କ ପ୍ରେମରେ ପାଗଳ ଗହର ଆବେଦିନ। ଅର୍ଥନୀତିରେ ସ୍ନାତକୋତ୍ତର ଓ ପିଏଚ୍‌ଡି କରିଥିଲେ ବି ସେ ଜୀବମଣ୍ଡଳର ଟିକି ଚଢ଼େଇଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି।

ଗହର ଆବେଦିନ କହନ୍ତି, ‘ପିଲାଟି ଦିନୁ ଚଢ଼େଇ ଦେଖିଲେ ମୋତେ ଭାରି ଶାନ୍ତି ଲାଗେ। ସେମାନଙ୍କ ପାଇଁ ଘର ବାହାରେ ପାଣି ଥୋଇବା, ଖାଦ୍ୟ ରଖିବା ଆଦି ମୋ ପାଇଁ ନିତିଦିନିଆ କାମ। ଯେତେବେଳେ ମୁଁ ମୋ ସ୍ନାତକ ପଢ଼ାସାରି ଅର୍ଥନୀତିରେ ସ୍ନାତକୋତ୍ତର କରିବାକୁ ଭୁବନେଶ୍ବର ଆସିଥିଲି, ସେବେଠାରୁ ଅର୍ଥାତ୍‌ ୧୯୮୭ ମସିହା‌ରୁ ମୁଁ ଡକ୍ଟର ଉଦୟନାରାୟଣ ଦେବଙ୍କ ସହ ମିଶି ଚଢ଼େଇଙ୍କ ଉପରେ କାମ କରିବା ଆରମ୍ଭ କରିଥିଲି। ସେବେଠାରୁ ଚିଲିକା, ଭିତରକନିକା ଆଦି ସ୍ଥାନରେ କାମ କରୁଛି।’ ସେ ପୁରୀ ଜିଲ୍ଲା ବନମାଳିପୁରରେ ଦୁଇଟି ଜଙ୍ଗଲ ସୃଷ୍ଟି କରି ଚଢ଼େଇମାନଙ୍କ ପାଇଁ ବାସସ୍ଥାନ ସୃଷ୍ଟି କରିଛନ୍ତି। ୨୦ ବର୍ଷ ତଳେ ପାଖାପାଖି ଏକ ଏକର ଜମିରେ ବରକୋଳି, ନରକୋଳି, କ୍ଷୀରକୋଳି, ବଉଳକୋଳି, ବେତ‌କୋଳି, ଡିମିରି ଆଦି କୋଳି ଗଛ ଲଗାଇ ପକ୍ଷୀମାନଙ୍କ ପାଇଁ ସେ ଜଙ୍ଗଲଟିଏ ସୃଷ୍ଟି କରିଥିଲେ। ପରେ ୨୦୧୦ ମସିହା ଆଡ଼କୁ ସେ ଅଢ଼େଇ ଏକର ଜମିରେ ଆଉ ଗୋଟିଏ ଜଙ୍ଗଲ ସୃଷ୍ଟି କରି ପକ୍ଷୀମାନଙ୍କ ରହିବା ବ୍ୟବସ୍ଥା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୋଳି ଗଛ ବଢ଼ି ଫଳ ଦେବାକୁ ମାତ୍ର ୨ରୁ ୩ ବର୍ଷ ଲାଗେ ଏବଂ ପକ୍ଷୀମା‌ନଙ୍କୁ ଖାଦ୍ୟ ଓ ବାସସ୍ଥାନ ଯୋଗାଇଦିଏ। ୩୮ ପ୍ରଜାତିର ପକ୍ଷୀ ଏଠାକୁ ଆସି ବସା ତିଆରି କରି ଛୁଆ ଦେଇସାରିଲେଣି। ବୁଲ୍‌ବୁଲ୍‌, ବଣିଚଢ଼େଇ, ରବିନ୍‌, ବାବ୍‌ଲର୍‌, ଇଗ୍ରେଟ୍‌, ଟେଲର୍‌ ବର୍ଡ ଓ ହେରନ୍‌ ଭଳି ବହୁ ପ୍ରଜାତିର ପକ୍ଷୀ ଏଠାରେ ଆଶ୍ରୟ ନେଇଥା’ନ୍ତି। ଗହର ଆବେଦିନ ଭୁବନେଶ୍ବରରେ ରହୁଥିବା ବେଳେ ପ୍ରତିଦିନ ବନମାଳିପୁର ଯାଇ ନିଜ ଜଙ୍ଗଲ ଦେଖିଆସନ୍ତି ଓ ଚଢ଼େଇମାନଙ୍କ ପାଇଁ ଆବଶ୍ୟକ ସୁବିଧା କରନ୍ତି।

ଗହରଙ୍କ କହିବା କଥା, ପଶୁପକ୍ଷୀ ଓ ଚଢ଼େଇମାନେ ଭୋଟ୍‌ ଦେଉନଥିବାରୁ ସେମାନଙ୍କ ପ୍ରତି ଧ୍ୟାନ ଦେବାକୁ କେହି ଉଚିତ ମଣନ୍ତିନାହିଁ। ଆମେ ନିଜ ବିଷୟରେ ସବୁବେଳେ ଭାବୁଛେ। ଯଦି ଆମେ ୧ ପ୍ରତିଶତ ସମୟ ଓ ସମ୍ବଳ ଚଢ଼େଇମାନଙ୍କ ପାଇଁ ଦେବା ତେବେ ସେମାନଙ୍କ ସଂରକ୍ଷଣରେ ଏହା ବହୁତ ସହାୟକ ହେବ। ଯେମିତିକି ଆମେ ଘର ବାହାରେ ଗୋଟିଏ ସ୍ଥାନରେ ସଫା ପାଣି, ଗୋଟିଏ ସ୍ଥାନରେ ବାଲି ଓ ଅନ୍ୟ ସ୍ଥାନରେ ନିଜ ଘରର ବଳିଯାଇଥିବା ଖାଦ୍ୟ ରଖିଦେଲେ ପକ୍ଷୀମାନଙ୍କୁ ଖାଦ୍ୟ, ପାନୀୟ ଓ ବାସସ୍ଥାନ ମିଳିପାରିବ। ଏଥିପାଇଁ ବିଶେଷ ପରିଶ୍ରମ ବା ସମୟ ଦରକାର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe