ପରିବେଶ ଯୋଦ୍ଧା: ଗଛ ପାଇଁ ଉତ୍ସର୍ଗୀକୃତ ଶିବରାମ

Advertisment
ପରିବେଶ ଯୋଦ୍ଧା: ଗଛ ପାଇଁ ଉତ୍ସର୍ଗୀକୃତ ଶିବରାମ

ଦିନକୁ ଦିନ ବଢ଼ିଚାଲିଛି ଖରାର ପ୍ରକୋପ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଫ୍ୟାନ୍‌ କି କୁଲର୍‌ ଆଉ କାମ ଦେଉନି, ଏୟାର କଣ୍ଡିସନର୍‌ ବିନା ନିସ୍ତାର ନାହିଁ। ପାଣିପାଗର ଏଭଳି ଚରମ ସ୍ଥିତି ସମସ୍ତଙ୍କୁ ଚିନ୍ତିତ କରୁଥିବା ବେଳେ କଥାରେ ନୁହେଁ, କାମରେ ପ୍ରକୃତିର ପ୍ରକୋପକୁ କମାଇବାକୁ ଅଣ୍ଟା ଭିଡ଼ିଛନ୍ତି ବ୍ରହ୍ମପୁରର ଶିବରାମ ପାଣିଗ୍ରାହୀ। ୨୦୧୪ ମସିହାରେ ଆଖପାଖର ଯୁବକମାନଙ୍କୁ ସଂଗଠିତ କରି ସେ ଗଢ଼ିଥିଲେ ‘ସବୁଜବାହିନୀ’। ବୃକ୍ଷରୋପଣଠାରୁ ଆରମ୍ଭ କରି ବଡ଼ବଡ଼ ବୃକ୍ଷର ସୁରକ୍ଷା ଓ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ଅଭିଯାନ କରିବା ସହ ବର, ଓସ୍ତ ଓ ନିମ ଭଳି ପାରମ୍ପରିକ ଗଛ ଲଗାଉଛନ୍ତି ଏହି ବାହିନୀ। ଏହାର ଉପକାରିତା ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ବୁଝାଉଛନ୍ତି। ବାଣିଜ୍ୟରେ ସ୍ନାତକ ପାଠପଢ଼ା ସାରି ଶିବରାମ ଏବେ ଏକ କମ୍ପାନିର ମାର୍କେଟିଂ ବିଭାଗରେ ଚାକିରି କରୁଛନ୍ତି। ସେ କହନ୍ତି, ‘‘ଚାକିରି କଲି ସିନା, କିନ୍ତୁ କାମକୁ ନେଇ ଯେଉଁ ଆତ୍ମତୃପ୍ତି ମିଳେ, ତାହା ପାଇବାରୁ ମୁଁ ବଞ୍ଚିତ ଥିଲି। ପିଲାଟିଦିନୁ ବୃକ୍ଷଲତା ଓ ପ୍ରକୃତିକୁ ନେଇ ମୁଁ ବେଶ୍‌ ଭାବପ୍ରବଣ। ଏଣୁ ପ୍ରକୃତି ପାଇଁ କାମ କରି ଆତ୍ମତୃପ୍ତି ଖୋଜିବାକୁ ପ୍ରୟାସ କରିଥିଲି।’’ ପ୍ରକୃତିକୁ ବଞ୍ଚାଇଲେ ସେ ଆମକୁ ଘଣ୍ଟ ଘୋଡ଼ାଇ ରଖିବ। ଏଣୁ ପରିବେଶକୁ ସୁରକ୍ଷିତ କରିବା ପାଇଁ ଯାହା ବି ସମ୍ଭବ ସେସବୁ କରାଯିବା ଜରୁରି। ଏ ଦିଗରେ ଆମେ ଚେଷ୍ଟା କରୁଛୁ ବୋଲି କହନ୍ତି ଶିବରାମ। ‘‘ଗଛରେ କଣ୍ଟା ପିଟି ହୋର୍ଡିଂ ଟାଙ୍ଗି ଦେଇ ଅନେକ ଲୋକ ପଳାନ୍ତି। ଏହାଦ୍ବାରା ଗଛକୁ ଯେ କଷ୍ଟ ହୁଏ, ତାହା ସେମାନେ ହୃଦୟଙ୍ଗମ କରନ୍ତି ନାହିଁ। ଏନେଇ ଲୋକଙ୍କୁ ସଚେତନ କରିବାକୁ ‘‌ମୁଁ ବି ବଞ୍ଚିବାକୁ ଚାହେଁ’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲୁ। ୧୦୦ ଦିନର ଏହି ଅଭିଯାନରେ ପୂରା ବ୍ରହ୍ମପୁର ସହରର ଗଛରେ ଲାଗିଥିବା ହୋର୍ଡିଂ, ବିଜ୍ଞାପନ ପତ୍ରକୁ କାଢ଼ିଥିଲୁ। ଏହି ଅଭିଯାନର ଫଳସ୍ବରୂପ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କଡ଼ା ଅଭିମୁଖ୍ୟ ଗ୍ରହଣ କରାଗଲା ଓ ଗଛରେ ହୋର୍ଡିଂ ଟାଙ୍ଗିଲେ ଜରିମାନା ହେବ ବୋଲି ନିୟମ ହୋଇଥିଲା।’’

ଏଥିସହ ଶିବରାମ ଓ ତାଙ୍କ ସବୁଜ ବାହିନୀ ଉପକାରୀ ଗଛ ଲଗାଇବା ଆରମ୍ଭ କରିଛନ୍ତି । ଯେହେତୁ ଏବେ ରାସ୍ତା ସଂପ୍ରସାରଣ ପାଇଁ ଗଛ କଟାଯାଉଛି ତେଣୁ ସେମାନେ ଏଭଳି ସ୍ଥାନ ଚୟନ କରୁଛନ୍ତି, ଯେଉଁଠାରେ ଗଛ ଲାଗିଲେ ଅତିକମ୍‌ରେ ୩୦ରୁ ୪୦ ବର୍ଷ ବଢ଼ିବାର ସୁଯୋଗ ମିଳିପାରିବ। ଏଥିସହ ଲୋକଙ୍କୁ ସେମାନଙ୍କ ଜନ୍ମଦିନ, ବିବାହବାର୍ଷିକୀ ବା ବିଶେଷ ଦିନରେ ଗଛଟିଏ ଲଗାଇବାକୁ ପ୍ରୋତ୍ସାହିତ କରୁଛନ୍ତି ଶିବରାମ। ସେ କହନ୍ତି, ‘‘ଘର ଘର ବୁଲି ଗଛଲଗା ଅଭିଯାନ ମଧ୍ୟ ଆମେ ଆରମ୍ଭ କରିଛୁ। ଯାହାଙ୍କ ଘର ଆଗପ‌ଟେ ବା ପଛପାଖେ ଖାଲି ସ୍ଥାନ ଅଛି, ସେମାନଙ୍କୁ ଗଛ ଲଗାଇବା ପାଇଁ ଉତ୍ସାହିତ କରିବା ସହ କାଜୁ ବାଦାମ, ଅଶୋକ ଓ ଅର୍ଜୁନ ଆଦି ଗଛର ଚାରା ପ୍ରଦାନ କରୁଛୁ। ଏବେ ପରିବେଶକୁ ପ୍ଲାଷ୍ଟିକ ଓ ପଲିଥିନ୍‌ ମୁକ୍ତ ରଖିବାକୁ ମଧ୍ୟ ଆମେ ଚେଷ୍ଟା କରୁଛୁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe