Advertisment

ପରିବେଶ ଯୋଦ୍ଧା: ପକ୍ଷୀପ୍ରେମୀ ଶ୍ବେତାଶ୍ରୀ

Advertisment
ପରିବେଶ ଯୋଦ୍ଧା: ପକ୍ଷୀପ୍ରେମୀ ଶ୍ବେତାଶ୍ରୀ

ଓଡ଼ିଶା ଉପରେ ପ୍ରକୃତି କୃପାଦୃଷ୍ଟି ଢାଳି ଦେଇଛି। ବିସ୍ତୀର୍ଣ୍ଣ ଜଙ୍ଗଲ, ପାହାଡ଼, ନଦୀ ଓ ପ୍ରଶସ୍ତ ବେଳାଭୂମିରେ ଆମ ରାଜ୍ୟ ପରିପୂର୍ଣ୍ଣ। ଆଉ ଏହିସବୁ ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛନ୍ତି ଭଳିକିଭଳି ରଙ୍ଗବେରଙ୍ଗ ପକ୍ଷୀ। ବର୍ତ୍ତମାନ ଅତ୍ୟାଧୁନିକତାର ପ୍ରଭାବ, କଳକାରଖାନାର ଅଭିବୃଦ୍ଧି ଯୋଗୁଁ ଆମ ପାରମ୍ପରିକ ପକ୍ଷୀମାନେ ବାସସ୍ଥାନ ହରାଇ ବିଲୁପ୍ତ ହେବାକୁ ବସିଲେଣି। ଏଣୁ ଓଡ଼ିଶାର ବିଭିନ୍ନ ପକ୍ଷୀଙ୍କ ଉପରେ ଗବେଷଣା କରି ପରିବେଶ ପାଇଁ ପକ୍ଷୀ କେତେ ଜରୁରି ସେ ସମ୍ପର୍କରେ ସଚେତନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଡକ୍ଟର ଶ୍ବେତାଶ୍ରୀ ପୁରୋହିତ। ଏଥିସହ କୋରାପୁଟରେ ବ୍ଲାକ୍‌ ବାଜା ପକ୍ଷୀ ଠାବ କରି ଗୁପ୍ତେଶ୍ବରକୁ ଓଡ଼ିଶାର ଚତୁର୍ଥ ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଦେବାରେ ବି ତାଙ୍କର ଅବଦାନକୁ ଅସ୍ବୀକାର କରାଯାଇନପାରେ।

ଶ୍ବେତାଶ୍ରୀ କହନ୍ତି, “ମୋ ବାବା ଜଣେ ବନ ଅଧିକାରୀ ଥିଲେ। ବାବାଙ୍କ ସହ ପିଲାଦିନେ ମୁଁ ବିଭିନ୍ନ ସ୍ଥାନ ବୁଲିବା ସହ ଜଙ୍ଗଲ ସହ ଏକ ଅନ୍ତରଙ୍ଗ ସମ୍ପର୍କ ଯୋଡ଼ି ହୋଇଯାଇଥିଲା। ଜଙ୍ଗଲ ଜନ୍ତୁଙ୍କ ପ୍ରତି ବି ମୋର ଦୁର୍ବଳତା ବଢ଼ିଥିଲା। ସେବେଠାରୁ ବନ୍ୟପ୍ରାଣୀଙ୍କ ସମ୍ପର୍କରେ ଅଧିକ ଜାଣିବା ଓ ସେମାନଙ୍କ ପାଇଁ କିଛି କରିବା ନିମନ୍ତେ ମନସ୍ଥ କରିଥିଲି। ଏଣୁ ପ୍ରାଣୀ ବିଜ୍ଞାନରେ ପାଠପଢ଼ା ଆରମ୍ଭ କରିବା ସହ ବନ୍ୟପ୍ରାଣୀଙ୍କ ଉପରେ ଗଭୀର ଅଧ୍ୟୟନ ଆରମ୍ଭ କରିଦେଇଥିଲି।’’
ସ୍ନାତକ ପଢ଼ିବା ସମୟରେ ଇଣ୍ଡିଆନ୍‌ ଏକାଡେମି ଅଫ୍‌ ସାଇନ୍‌ସର ଫେଲୋସିପ୍‌ ପାଇ କର୍ଣ୍ଣାଟକ ଜଙ୍ଗଲର କିଛି ବନ୍ୟପ୍ରାଣୀଙ୍କ ଉପରେ ସେ ଅଧ୍ୟୟନ କରିଥିଲେ। ଏହାପରେ ପିଏଚ୍‌ଡି ସମୟରେ ସେ ପକ୍ଷୀମାନଙ୍କ ଉପରେ କାମ କରିବାକୁ ମନସ୍ଥ କଲେ। ଏହି ସମୟରେ ‌ ସେ ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାର ପକ୍ଷୀମାନଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ। ସେବେ କୋରାପୁଟର ପକ୍ଷୀମାନଙ୍କ ଉପରେ ସେମିତି କିଛି ଗବେଷଣା ହେଉନଥିଲା ଓ ପକ୍ଷୀମାନଙ୍କ ପାଇଁ ସଂରକ୍ଷିତ ସ୍ଥାନ ବି ନଥିଲା। ସେଠାରେ ତାଙ୍କ ଦଳ ବ୍ଲାକ୍‌ ବାଜା ଓ ସବୁଜ ବାରମାସୀ ଚଢ଼େଇକୁ ଠାବ କରିଥିଲେ।

‘ଭୁବନେଶ୍ବର ବାର୍ଡ ୱାକ୍‌ସ’ ମାଧ୍ୟମରେ ଶ୍ବେତାଶ୍ରୀ ପକ୍ଷୀମାନଙ୍କୁ ଚିହ୍ନିବା, ଜାଣିବା, ସେମାନଙ୍କୁ ସୁରକ୍ଷା ଦେବା ଆଦି କ୍ଷେତ୍ରରେ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ସେ ‘ଇ-ବାର୍ଡ’ର ଆଞ୍ଚଳିକ ସ୍ବେଚ୍ଛାସେବୀ ତଥା ‘ବାର୍ଡ କାଉଣ୍ଟ୍‌ ଇଣ୍ଡିଆ’ର ଆଞ୍ଚଳିକ ସଂଯୋଜିକା ଅଛନ୍ତି। ଶ୍ବେତାଶ୍ରୀ କହନ୍ତି, ‘‘ଓଡ଼ିଶାକୁ ପ୍ରତି ବର୍ଷ ଲକ୍ଷଲକ୍ଷ ପକ୍ଷୀ ଉଡ଼ିଆସନ୍ତି। ଚିଲିକା, ମଙ୍ଗଳାଯୋଡ଼ି, ଭିତରକନିକା, ଶିମିଳିପାଳ, ହୀରାକୁଦ, ସାତକୋଶିଆ ଓ ଚନ୍ଦକା ଆଦି ୭ଟି ଅଞ୍ଚଳ ପକ୍ଷୀଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ। ସବୁଜ ବାରମାସୀ ଚଢ଼େଇ ଭଳି ଇଣ୍ଡିଆନ୍‌ ସ୍କିମର୍‌, ସୋନପୁରରେ ଦେଖାଯାଉଥିବା କମନ୍‌ ମାଗ୍‌ନସର୍‌, ପେଲ୍‌ କ୍ୟାପ୍‌ଡ୍‌ ପିଜନ୍‌ ଓ ମ୍ୟାନ୍‌ଗ୍ରୋଭ୍‌ ପିଟ୍ଟା ଆଦି ବହୁ ବିରଳ ପକ୍ଷୀ ଓଡ଼ିଶାରେ ଦେଖାଯାଆନ୍ତି। ଏଣୁ ପକ୍ଷୀ କୁଳର ସୁରକ୍ଷା ଓ ସେମାନଙ୍କ ଉପରେ ଉପଯୁକ୍ତ ଜ୍ଞାନ ଆହରଣ ଖୁବ୍ ଜରୁରି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe