ପରିବେଶ ଯୋଦ୍ଧା: ପ୍ରକୃତି ସଂରକ୍ଷଣରେ ଭାଇଭଉଣୀ

Advertisment
ପରିବେଶ ଯୋଦ୍ଧା: ପ୍ରକୃତି ସଂରକ୍ଷଣରେ ଭାଇଭଉଣୀ

ଅକ୍ଷତ ନକ୍ଷତ୍ର ଓ ଆଦ୍ୟା ଆକାଂକ୍ଷା ଭାଇଭଉଣୀ। ପ୍ରକୃତି ସୁରକ୍ଷା ପାଇଁ ଆଜକୁ ୪ ବର୍ଷ ହେବ ମାସର ଗୋଟିଏ ରବିବାରରେ ଏକ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ନିଆରା କାର୍ଯ୍ୟ କରିଆସୁଛନ୍ତି। ଏଭଳି ଅଭିନବ ଉଦ୍ୟମ ପାଇଁ ଅକ୍ଷତ ନିକଟରେ ପରିବେଶରତ୍ନ ଛାତ୍ର ସମ୍ମାନ ଓ ଆଦ୍ୟା ପରିବେଶ ରତ୍ନ ଆଇନ ସମ୍ମାନ ଲାଭ କରିଛନ୍ତି। ଅକ୍ଷତ ଓ ଆଦ୍ୟା କଟକର କାଠଯୋଡ଼ି କିମ୍ବା ମହାନଦୀ କୂଳରେ ଛିଡ଼ା ହୋଇ ବାଟୋଇମାନଙ୍କୁ ପରିବେଶ ସୁରକ୍ଷା ଓ ନଈକୁ ପ୍ରଦୂଷଣ ମୁକ୍ତ କରିବାର ମନ୍ତ୍ର ବାଣ୍ଟନ୍ତି। ସେମାନେ ମହାନଦୀ ଓ କାଠଯୋଡ଼ିର ପୋଲ ନିକଟରେ ଥିବା ଦୋକାନରୁ ଦୋକାନ ବୁଲି, ବାଟରେ ଯା’ଆସ କରୁଥିବା ଲୋକଙ୍କୁ ଅଟକାଇ ନଈନାଳକୁ ପୂଜାପାର୍ବଣ ଓ ଓଷା ବ୍ରତ ନାମରେ ଫୁଲ ତଥା ଅନ୍ୟାନ୍ୟ ସାମଗ୍ରୀ ନପକାଇବାକୁ ଅନୁରୋଧ କରିଆସୁଛନ୍ତି। ଏଥିସହ ସେମାନେ ‘‘ଏ ପ୍ଲାନ୍- ପ୍ଲାଣ୍ଟ ଫର ଦି ପ୍ଲାନେଟ୍‌’’ (ପୃଥିବୀ ପାଇଁ ଗଛଟିଏ ଲଗାଇବାର ଗୋଟିଏ ଯୋଜନା) ଶୀର୍ଷକ ଜନସଚେତନତା ସୃଷ୍ଟିକାରୀ ଏକ ଲେଖା ସମସ୍ତଙ୍କୁ ବାଣ୍ଟିଥାନ୍ତି।
ନଦୀ ଅବବାହିକା, ବାଡ଼ିବଗିଚା ଓ ଖୋଲା ସ୍ଥାନରେ ଔଷଧୀୟ ବୃକ୍ଷରୋପଣ ପାଇଁ ଅକ୍ଷତ ଓ ଆଦ୍ୟା ସମସ୍ତଙ୍କୁ ଅନୁରୋଧ କରନ୍ତି। ବିଭିନ୍ନ ସମୟରେ ସେମାନେ ‘ନେଚର କେୟାର’ ଅନୁଷ୍ଠାନର ଶ୍ରୀକାନ୍ତ ସାହୁ ଓ କଟକ ମାତାମଠର ବୃକ୍ଷରୋପଣ ଅଭିଯାନର ପ୍ରୋତ୍ସାହନକାରୀ ଅମିତ ଅଗ୍ରୱାଲଙ୍କ ଭଳି ବ୍ୟକ୍ତିଙ୍କଠାରୁ ନିମ, ପାତାଳ ଗରୁଡ଼, ରୁଦ୍ରାକ୍ଷ, ଅର୍ଜୁନ, କରଞ୍ଜ, ଚନ୍ଦନ ଚାରା ଆଣି ବାଣ୍ଟିଥାନ୍ତି। ଭୁବନେଶ୍ୱର ସାଇ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲର ଏକାଦଶ ଶ୍ରେଣୀରେ ଅକ୍ଷତ ପାଠ ପଢୁଥିବା ବେଳେ ଆଦ୍ୟା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି।

ଏଭଳି ଅଭିନବ କାର୍ଯ୍ୟ ପ୍ରସଙ୍ଗରେ ଅକ୍ଷତ କହନ୍ତି, ‘‘ଜଳବାୟୁ ପରିବର୍ତ୍ତନ ଜନିତ ବିପଦର ମୁକାବିଲା ଲାଗି ଆମେ ସଚେତନ ହେଲେ ସୁରକ୍ଷିତ ରହିପାରିବା। ବିଶ୍ୱର ସବୁ ନଦୀର ଜଳ ଓ ଏହାର ଅବବାହିକା ଆଜି ବିପନ୍ନ। ଏହାର ସୁରକ୍ଷା ପାଇଁ ମୁଁ ଜଣେ ଛାତ୍ର ହିସାବରେ ଲୋକମାନଙ୍କୁ ସଚେତନ କରିବା ସହିତ ଔଷଧୀୟ ବୃକ୍ଷ ସଂଗ୍ରହ କରି ତାକୁ ଆଗ୍ରହୀ ଲୋକଙ୍କୁ ଲଗାଇବାକୁ ଦେଇଥାଏ।’’ ଆପଣ ନିଜେ କାହିଁକି ଗଛ ଲଗାନ୍ତି ନାହିଁ ପ୍ରଶ୍ନରେ ସେ କହନ୍ତି, ‘‘ମୁଁ ବର୍ତ୍ତମାନ ପାଠ ପଢୁଛି। ଗଛ ଲଗାଇ ତା’ର ଯତ୍ନ ନେଇ ତାକୁ ବଞ୍ଚାଇବା ରଖିବା ବହୁତ କଷ୍ଟକର କାର୍ଯ୍ୟ। ଏହା ବ୍ୟୟ ଓ ସମୟ ସାପେକ୍ଷ। ଜଣେ ଛାତ୍ର ପକ୍ଷରେ ଏହା ସମ୍ଭବ ନୁହେଁ। ସଦ୍‌ଗୁରୁଙ୍କ ନଦୀ ସୁରକ୍ଷା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦ୍ୱାରା ପ୍ରଭାବିତ ହୋଇ ମୁଁ ଓ ମୋ ଭଉଣୀ ଅନ୍ୟ ସାଙ୍ଗସାଥୀଙ୍କ ସହ ଏହି କାମ କରୁଛୁ।’’

ଆଦ୍ୟା ନିଜର ଭବିଷ୍ୟତର ଲକ୍ଷ୍ୟ ନେଇ କହନ୍ତି, ‘‘ଆମ ଘର କାଠଯୋଡ଼ି କୂଳରେ। ମୋ ପିଲାଦିନର କାଠଯୋଡ଼ି ନଈ ପ୍ରତି ବର୍ଷ ଶୁଖି ଶୁଖି ଯାଉଛି, ମଇଳା ପଡ଼ି ନର୍ଦ୍ଦମା ଓ ଆବର୍ଜନା କୁଣ୍ଡରେ ପରିଣତ ହେଉଛି। ଏହା ଦେଖି ମୁଁ ନଈ ସୁରକ୍ଷା ଲାଗି ଜନସଚେତନତା ସୃଷ୍ଟି କରିବାକୁ ମନ ବଳାଇଲି। ନଈନାଳର ସୁରକ୍ଷା ପାଇଁ ଆଇନ ପାଠ ପଢ଼ିଲି। ଭବିଷ୍ୟତରେ ‘ରିପେରିଆନ୍‌ ୱାଟର୍ ରାଇଟ୍‌ସ’ ଉପରେ କାର୍ଯ୍ୟ କରିବି ଏବଂ ଓଡ଼ିଶାର ଅଳକା ଓ ବିଲୁଆଖାଇ ଭଳି ମୃତ ନଈର ପୁନରୁଦ୍ଧାର କରିବାକୁ ଉଦ୍ୟମ କରିବି ବୋଲି ଆଶା ବାନ୍ଧିଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe