ବନାଗ୍ନିରେ ଶ୍ବାସକ୍ରିୟା ବନ୍ଦ କରିଦିଅନ୍ତି ଗଛ

Advertisment
ବନାଗ୍ନିରେ ଶ୍ବାସକ୍ରିୟା ବନ୍ଦ କରିଦିଅନ୍ତି ଗଛ

ବାୟୁମଣ୍ଡଳରେ ଯେବେ ବନାଗ୍ନି ଧୂଆଁ ମିଶିଯାଏ, ଲୋକଙ୍କୁ ଘର ଭିତରେ ଆବଦ୍ଧ ହୋଇ ରହିବାକୁ ଡାକ୍ତରମାନେ ପରାମର୍ଶ କରିଥା’ନ୍ତି। କାରଣ ଶ୍ବାସକ୍ରିୟାରେ ବାୟୁମଣ୍ଡଳର କ୍ଷତିକାରକ କଣିକା ଓ ବାଷ୍ପ ଗ୍ରହଣ କରିବାରୁ ନିବୃତ୍ତ ରହିବା ଗୁରୁତ୍ବପୂର୍ଣ୍ଣ। ତେବେ ଆମେ ଗତିଶୀଳ ବୋଲି ନିଜର ସ୍ବାସ୍ଥ୍ୟ ଦୃଷ୍ଟିରୁ ଅନୁକୂଳ ସ୍ଥିତିକୁ ଆପଣେଇପାରୁଛେ। ମାତ୍ର ଏହି ଧୂଆଁରୁ ମୁକୁଳି ପାରୁନଥିବା ବୃକ୍ଷରାଜି କ’ଣ କରନ୍ତି? ଆଶ୍ଚର୍ଯ୍ୟର କଥା, ବୃକ୍ଷମାନେ ମଧ୍ୟ କିଛି ପରିମାଣରେ ନିଜର ଶ୍ବାସକ୍ରିୟା ଅଟକାଇପାରନ୍ତି। ଉଦାହରଣ ସ୍ବରୂପ, ପାଇନ୍‌ ଗଛର ପତ୍ରଗୁଡ଼ିକ ଧୂଆଁପୂର୍ଣ୍ଣ ପରିବେଶରେ ଏପରି ପ୍ରତିକ୍ରିୟା ଦେଖାଇଥା’ନ୍ତି ବୋଲି ଗବେଷକମାନେ ଜାଣିପାରିଛନ୍ତି।

ଗଛର ପତ୍ରରେ ଷ୍ଟୋମାଟା ନାମକ ଅସଂଖ୍ୟ ଛିଦ୍ର ରହିଥାଏ ଯାହା ସାହାଯ୍ୟରେ ସେମାନେ ଶ୍ବାସକ୍ରିୟା କରିଥା’ନ୍ତି, ଅର୍ଥାତ୍‌ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥା’ନ୍ତି। ତେବେ କୋଇଲା ଦହନ ହେଉଥିବା ପ୍ରଦୂଷିତ ଇଲାକାରେ ଗଛର ପତ୍ରରେ କଳାରଙ୍ଗର କଣିକା ଜମାଟ ବାନ୍ଧି ରହିଥିବା କଥା ଊନବିଂଶ ଶତାବ୍ଦୀରୁ ଜଣାପଡ଼ିଆସିଛି। ମାତ୍ର ଆବଶ୍ୟକ ଜ୍ଞାନକୌଶଳ ଅଭାବରୁ ତାହା ବୃକ୍ଷ ଦ୍ବାରା ସୃଷ୍ଟି ନା ବାୟୁମଣ୍ଡଳରୁ ଲାଖି ରହିଥାଏ, ତାହା ସ୍ପଷ୍ଟ ହୋଇପାରିନଥିଲା। ଏଥି ସହିତ ଗଛର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ‘ଆଲୋକ ସଂଶ୍ଳେଷଣ’ ଉପରେ ତାହାର କି ପ୍ରଭାବ ପଡୁଛି, ତାହା ମଧ୍ୟ ସ୍ପଷ୍ଟ ହୋଇପାରିନଥିଲା। ତେବେ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ କୃତ୍ରିମ ଧୂଆଁ ସୃଷ୍ଟି କରି ଜଣାପଡ଼ିଛି ଯେ ଧୂଆଁପୂର୍ଣ୍ଣ ପରିବେଶରେ ଗଛର ଉତ୍ପାଦକତା କମି ଯାଇଥାଏ ଏବଂ ଧୂଆଁ ଅପସରିଯିବା ପରେ ଗଛର ପୂର୍ବ ଉତ୍ପାଦକତା ଫେରି ଆସିଥାଏ। ଗବେଷକମାନଙ୍କ କହିବାନୁସାରେ, ବନାଗ୍ନି ଧୂଆଁ ବାୟୁମଣ୍ଡଳରେ ଦୂର ବାଟ ଅତିକ୍ରମ କରି ଆସିବା ବେଳେ ତାହାର ରାସାୟନିକ ପରିବର୍ତ୍ତନ ଘଟିଥାଏ। ବିଶେଷ କରି ତାହା ଭୂପୃଷ୍ଠ-ସ୍ତରୀୟ ଓଜୋନ୍‌ ବାଷ୍ପରେ ପରିଣତ ହୋଇ ଗଛର ଶ୍ବାସକ୍ରିୟା କରୁଥିବା ତନ୍ତୁକୁ କ୍ଷତିଗ୍ରସ୍ତ କରି ଆଲୋକ ସଂଶ୍ଳେଷଣକୁ ଧିମେଇ ଦେଇଥାଏ। ବନାଗ୍ନି ଧୂଆଁ ବାଜିବା ମାତ୍ରେ ବୃକ୍ଷ ପତ୍ରର ଷ୍ଟୋମାଟାଗୁଡ଼ିକ ବନ୍ଦ କରି ବାୟୁମଣ୍ଡଳରୁ ଆଉ ବାୟୁ ଗ୍ରହଣ କରନ୍ତି ନାହିଁ। କିନ୍ତୁ ଏହି ପ୍ରକ୍ରିୟା କେତେ ସମୟ ଲାଗି ଚାଲେ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe